ରାଜନୀତି ପଶାପାଲିରେ ବେକାରୀ ସାଜିଛି ଗୋଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତିର ପଶାପାଲିରେ ଏବେ ବେକାରୀ ସମସ୍ୟା ସାଜିଛି ଗୋଟି। ବେକାରଙ୍କୁ ଅସ୍ତ୍ର କରି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ରାସ୍ତାକୁ ଓହ୍ଲାଉଛନ୍ତି। ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ବୋଲି ଅଭିଯୋଗ କରି ବିଜେପି କାଲି ଏମ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବାକୁ ଘୋଷଣା କରିଥିବା ବେଳେ ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ପ୍ରତିବାଦରେ କାଲିଠୁ ୩ ଦିନ ଧରି ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଫିସ ଆଗରେ ବିକ୍ଷୋଭ […]

unemployment

Rakesh Mallick
  • Published: Sunday, 04 November 2018
  • , Updated: 04 November 2018, 09:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତିର ପଶାପାଲିରେ ଏବେ ବେକାରୀ ସମସ୍ୟା ସାଜିଛି ଗୋଟି। ବେକାରଙ୍କୁ ଅସ୍ତ୍ର କରି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ରାସ୍ତାକୁ ଓହ୍ଲାଉଛନ୍ତି। ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ବୋଲି ଅଭିଯୋଗ କରି ବିଜେପି କାଲି ଏମ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବାକୁ ଘୋଷଣା କରିଥିବା ବେଳେ ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ପ୍ରତିବାଦରେ କାଲିଠୁ ୩ ଦିନ ଧରି ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଫିସ ଆଗରେ ବିକ୍ଷୋଭ କରିବ। କଂଗ୍ରେସ  ବି ପଛରେ ପଡ଼ିନାହିଁ। ଦଳ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିବା ସହ ବେକାରୀ ସମସ୍ୟାକୁ ନେଇ ଶୋଭାଯାତ୍ରା କରିବାକୁ ସଜବାଜ ହେଉଛି।

ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟା ପାଇଁ ଦାୟୀ କିଏ ? କେନ୍ଦ୍ର  ନା ରାଜ୍ୟ ?  ନା ଉଭୟ ? ଏହି ପ୍ରସଙ୍ଗକୁ ନେଇ ଜୋର ଧରିଛି ଆରୋପ-ପ୍ରତ୍ୟାରୋପର ରାଜନୀତି। ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଅଭିଯୋଗ ଆଣି କାଲି ସବୁ ଏମ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବାକୁ ଧମକ ଦେଇଛି ବିଜେପି। ଦଳ ଦାବି କରିଛି କେନ୍ଦ୍ର ସରକାର ବେକାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ବେଳେ ରାଜ୍ୟରେ ଏମ୍ଲୟମେଣ୍ଟ ଏକ୍ସଚେଞ୍ଜ କାମ କରୁନାହିଁ।

ଇକୋନମିକ ସର୍ଭେର ତଥ୍ୟକୁ ଉଦ୍ଧାର କରି ଦଳ କହିଛି, ୨୦୧୪ରେ ୨ ଲକ୍ଷ ୮୮ ହଜାର ବେକାର ଯୁବକ ଯୁବତୀଙ୍କ ନାଁ ପଞ୍ଜିକୃତ ହୋଇଥିବା ବେଳେ ନିଯୁକ୍ତି ପାଇଛନ୍ତି ମାତ୍ର ୧୧୪୪ ଜଣ। ନିଯୁକ୍ତି ମେଳା କରି ସରକାର ୨୦୧୪ରେ ୩୦୦ କମ୍ପାନୀ ମାଧ୍ୟମରେ ୪୦ ହଜାର ନିଯୁକ୍ତି ଦେବାକୁ କହି ବେକାରଙ୍କ ପାଖରୁ ୧୦୦ ଟଙ୍କା ଲେଖାଏ ଆଦାୟ କରିଥିଲେ ବି ଏଥିରେ ବିଫଳ ହୋଇଛନ୍ତି ବୋଲି ଦଳ ଅଭିଯୋଗ କରିଛି। ସେହିପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ନିଯୁକ୍ତି ନେଇ ୨୦୦୮ରେ ରାଜ୍ୟ ସରକାର କରିଥିବା ଗାଇଡଲାଇନ୍‌ ପାଳନ କରୁନାହାନ୍ତି ବୋଲି ଦଳ ଅଭିଯୋଗ ଆଣିଛି।

ବିଜେଡି ରାଜ୍ୟରେ ବେକାରୀ ବଢିବା ନେଇ କେନ୍ଦ୍ରକୁ ପାଲଟା ଦାୟୀ କରିଛି। ଦଳ ଅଭିଯୋଗ କରିଛି, ରାଷ୍ଟ୍ରାୟତ୍ତ କମ୍ପାନୀ ଓଡିଶାରେ ନିଜ ରାଜସ୍ୱ ବୃଦ୍ଧି କରୁଥିଲେ ମଧ୍ୟ ଓଡିଆଙ୍କୁ ନିଯୁକ୍ତି ଦେଉନାହାନ୍ତି। ଦେଶରେ ପ୍ରତିବର୍ଷ ୨ କୋଟି ବେକାରଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଆଧାରରେ ୫ ବର୍ଷରେ କେନ୍ଦ୍ର ଓଡିଶାର ୩୬ ଲକ୍ଷ ବେକାରଙ୍କୁ ନିଯୁକ୍ତି ଦେବାକୁ କହିଥିଲେ ବି ଏହା କରିପାରିନି। ତେବେ ଗତ ୪ ବର୍ଷରେ ସରକାରୀ କ୍ଷେତ୍ରରେ ୧ ଲକ୍ଷ ନିଯୁକ୍ତି ଦିଆଯାଇଥିବା ବିଜେଡି ଦାବି କରିଛି।

ହେଲେ ମେ’ ୭ ତାରିଖରେ ସରକାରୀ କ୍ଷେତ୍ରରେ ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ କରିଥିବା  ବୈଠକର ବିବରଣୀ ଅନୁସାରେ ଗତ ୪ ବର୍ଷରେ ବିଭିନ୍ନ ବିଭାଗରେ ଖାଲିଥିବା ୬୨ ହଜାର ୫୦୦ ଶହ ପଦ ପୂରଣ କରାଯାଇଥିବା ବେଳେ ବାକି ୧୯ ହଜାର ପଦ ଶୀଘ୍ର ପୂରଣ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ନିଯୁକ୍ତିକୁ ନେଇ ବିଜେଡି-ବିଜେପି କଳି ଭିତରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେକାର ଯୁବକ ଯୁବତୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ କରିଛି। ଏହାର ପ୍ରତିବାଦରେ କଂଗ୍ରେସ ବେକାରୀ ସମସ୍ୟାକୁ ନେଇ ଶୋଭାଯାତ୍ରା କରିବ ବୋଲି ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି।

ବେକାରୀଙ୍କୁ ନେଇ କଳି ଭିତରେ କେନ୍ଦ୍ର-ରାଜ୍ୟ ତଥ୍ୟରେ ତାଳମେଳ ନାହିଁ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ କେବଳ ୨୦୧୮ରେ ୯୬ ହଜାର ଯୁବକଙ୍କୁ ତାଲିମ ଓ  ନିଯୁକ୍ତି  ଦିଆଯାଇଥିବା ବିଜେଡି ଦାବି କରିବା ସହ ରାଜ୍ୟ ସରକାର ଲଗାତର ଦ୍ୱିତୀୟ ବର୍ଷ କେନ୍ଦ୍ର ପାଖରୁ ପୁରସ୍କାର ପାଇଥିବା କହି ବାହାବା ନେବାକୁ ଚେଷ୍ଟା କରିଛି। ତେବେ ଏହି ଯୋଜନାରେ ୨୦୧୫ରୁ ୧୮ ଭିତରେ ୭୧ ହଜାର ୧୭୯ ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ୫୩ ହଜାର ୮୧୯ ଜଣଙ୍କୁ ନିଯୁକ୍ତି ମିଳିଥିବା କେନ୍ଦ୍ରୀୟ ତଥ୍ୟ କହୁଛି।

ଏପଟେ ଆରଟିଆଇ ତଥ୍ୟ ଅନୁସାରେ ରାଜ୍ୟ ବେକାରୀ ସ୍ଥିତିର ଗୁମର ଖୋଲିଛି। ଗଲା ୧୭ ବର୍ଷରେ ୩୫ଲକ୍ଷରୁ ଅଧିକ ବେକାର ଯୁବକଯୁବତୀ ଚାକିରି ଲାଗି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାଁ ପଞ୍ଜିକରଣ କରିଥିବା ବେଳେ ଏଯାଏ ମାତ୍ର ୪୫ ହଜାର ୭୪୩ ଜଣଙ୍କୁ ସରକାର ଚାକିରି ଦେବାରେ ସମର୍ଥ ହୋଇଛନ୍ତି।

https://youtu.be/jqTCz5IjhS8

Related story