ମେଡିକାଲକୁ ଛାଡ଼ି ସବୁ ୟୁଜି, ପିଜି ପରୀକ୍ଷା ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀଜନିତ ଲକଡାଉନ୍ ଓ ସାମାଜିକ ଦୂରତ୍ୱ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବଳ ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ଗୁଡ଼ିକରେ ବାକିଥିବା ପରୀକ୍ଷାକୁ ବାତିଲ କରିଛନ୍ତି। ମେଡିକାଲ ପାଠ୍ୟକ୍ରମର ସମସ୍ତ ପରୀକ୍ଷା ଧାର୍ଯ୍ୟ ତାରିଖରେ ଯଥାରୀତିରେ ହେବ। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୁଳପତି, ପ୍ରିନ୍ସିପାଲ ଓ ବିଭାଗୀୟ ପଦାଧିକାରୀମାନଙ୍କ ଏକ ବୈଠକରେ ଯୁକ୍ତ ତିନି […]

edn

Ranjit Kumar Jena
  • Published: Thursday, 11 June 2020
  • , Updated: 11 June 2020, 07:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀଜନିତ ଲକଡାଉନ୍ ଓ ସାମାଜିକ ଦୂରତ୍ୱ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବଳ ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ଗୁଡ଼ିକରେ ବାକିଥିବା ପରୀକ୍ଷାକୁ ବାତିଲ କରିଛନ୍ତି। ମେଡିକାଲ ପାଠ୍ୟକ୍ରମର ସମସ୍ତ ପରୀକ୍ଷା ଧାର୍ଯ୍ୟ ତାରିଖରେ ଯଥାରୀତିରେ ହେବ।

ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୁଳପତି, ପ୍ରିନ୍ସିପାଲ ଓ ବିଭାଗୀୟ ପଦାଧିକାରୀମାନଙ୍କ ଏକ ବୈଠକରେ ଯୁକ୍ତ ତିନି ଓ ପିଜି ଶ୍ରେଣୀର ଶେଷବର୍ଷର ବାକିଥିବା ସମସ୍ତ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶ୍ୱବିଦ୍ୟାଳୟ ଓ ସ୍ୱଂୟଶାସିତ କଲେଜଗୁଡ଼ିକ ୟୁଜିସି ପରାମର୍ଶ ଅନୁସାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ୟୁଜି, ଓ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ଅଗଷ୍ଟ ମାସ ଶେଷ ସୁଦ୍ଧା ପ୍ରକାଶ କରିବେ। ବିକଳ୍ପ ମୂଲ୍ୟାୟନରେ ଯଥେଷ୍ଟ ମାର୍କ ପାଇନଥିବା ପିଲାଙ୍କ ପାଇଁ ପରୀକ୍ଷା ହେବ। ଯେଉଁମାନେ ଅଧିକ ମାର୍କ ପାଇଁ ହକଦାର ବୋଲି ଭାବିବେ, ସେମାନେ ପରୀକ୍ଷା ଦେବେ। ନଭେମ୍ବର ମାସ ମଧ୍ୟରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ କଲେଜ କର୍ତ୍ତୃପକ୍ଷ ପରୀକ୍ଷା କରାଇବେ।

ସେହିପରି ଯେଉଁ ଫାଇନାଲ ସେମିଷ୍ଟର ଛାତ୍ରଛାତ୍ରୀଙ୍କର ଗୋଟିଏ କିମ୍ବା ଦୁଇଟି ବ୍ୟାକ୍ ପେପର ଥିବ, ତାଙ୍କ ପାଇଁ ସେହି ବ୍ୟାକ ପେପର ପରୀକ୍ଷାକୁ ବାତିଲ କରାଯିବ। ଅନ୍ୟ କୌଣସି ଶୈଳୀରେ ସେହି ବ୍ୟାକ ପେପର ମୂଲ୍ୟାଙ୍କନ କରାଯିବ। ଯେଉଁ ଛାତ୍ରଛାତ୍ରୀମାନଙ୍କର ଦୁଇରୁ ଅଧିକ ବ୍ୟାକପେପର ଥିବ ସେମାନେ ସବୁ ବ୍ୟାକପେପର ପାଇଁ ସାଧାରଣ ଭାବେ ପରୀକ୍ଷା ଦେବେ। ଯାହାର କାର୍ଯ୍ୟସୂଚୀ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜମାନେ କୋଭିଡ-୧୯ ପରିସ୍ଥିତିକୁ ଦେଖି ଧାର୍ଯ୍ୟ କରିବେ।

ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ସଂସ୍ଥାଗୁଡ଼ିକ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା ବାତିଲ କରି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରିଥିବା ସମ୍ପର୍କରେ ବିଭାଗକୁ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଓ କେତେକ କୁଳପତି ଜଣାଇଥିଲେ। ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ଧାର୍ଯ୍ୟ କରାଯାଇଥିବା ୟୁଜି ଓ ପିଜି ପାଠ୍ୟକ୍ରମର ଫାଇନାଲ ପରୀକ୍ଷା ସୁରୁଖୁରୁରେ କରାଇବା ସମ୍ଭାବନା କ୍ଷୀଣ ବୋଲି ସଂଖ୍ୟାଧିକ କୁଳପତି ଓ ପ୍ରିନ୍ସିପାଲମାନେ ମତ ଦେବାପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Related story