ଘର ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ଆନନ୍ଦପୁର (ମୁନା ସିଂ): ସୁସ୍ଥ ହୋଇଥିବା ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ ଘର ପରିବର୍ତ୍ତେ ଜଙ୍ଗଲରେ ଛାଡ଼ିଦେଲା ନିଶାସକ୍ତ ଆମ୍ବୁଲାନ୍ସ ଡ୍ରାଇଭର। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଘରେ ପହଞ୍ଚିଲେ ବ୍ୟକ୍ତି ଜଣକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ଆନନ୍ଦପୁର ଅଞ୍ଚଳର ଭାସ୍କର ସାହୁ ନାମକ ଜଣେ କୋଭିଡ୍ ସଂକ୍ରମିତ ବ୍ୟକ୍ତି କେନ୍ଦୁଝରରେ ରହି ଚିକିତ୍ସିତ ହେଉଥିଲା । ସୁସ୍ଥ ହେବା ପରେ ଗତକାଲି […]

covid recovery patient

Niharika Rout
  • Published: Friday, 25 June 2021
  • , Updated: 25 June 2021, 11:17 AM IST

ଆନନ୍ଦପୁର (ମୁନା ସିଂ): ସୁସ୍ଥ ହୋଇଥିବା ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ ଘର ପରିବର୍ତ୍ତେ ଜଙ୍ଗଲରେ ଛାଡ଼ିଦେଲା ନିଶାସକ୍ତ ଆମ୍ବୁଲାନ୍ସ ଡ୍ରାଇଭର। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଘରେ ପହଞ୍ଚିଲେ ବ୍ୟକ୍ତି ଜଣକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ।

ଆନନ୍ଦପୁର ଅଞ୍ଚଳର ଭାସ୍କର ସାହୁ ନାମକ ଜଣେ କୋଭିଡ୍ ସଂକ୍ରମିତ ବ୍ୟକ୍ତି କେନ୍ଦୁଝରରେ ରହି ଚିକିତ୍ସିତ ହେଉଥିଲା । ସୁସ୍ଥ ହେବା ପରେ ଗତକାଲି ତାଙ୍କୁ ଡିସଚାର୍ଜ କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଯାଇଥିଲା। ମାତ୍ର ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ପ୍ରାୟ ୪୦ କିମି ଦୂର ଜଙ୍ଗଲ ମଝିରେ ଛାଡି ଚାଲି ଯାଇଥିଲା ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର।

୨୦ ନଂ ଜାଜୀୟ ରାଜପଥର ଅଟେଇ ଜଙ୍ଗଲ ଅଧୀନ  କୁମୁଡ ଛକଠାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗାଡିରୁ ତଳକୁ ଓହ୍ଲାଇ ଦେଇ ଗାଡି ଧରି ପଳାଇଲା ଡ୍ରାଇଭର।  ବ୍ୟକ୍ତିଜଣକ ପ୍ରାୟ ୨ ଘଣ୍ଟା ପାଖାପାଖି ଅପେକ୍ଷା କରିବା ପରେ ମଧ୍ୟ ଡ୍ରାଇଭରଙ୍କ ପତ୍ତା ପାଇଲା ନାହିଁ। ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷପ ଫଳରେ ସାଇଁକୁଳ ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରରୁ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ତାଙ୍କୁ ନେଇ ଘରେ ଛାଡ଼ିଛି।

ଏନେଇ  ଭାସ୍କର ସାହୁ କହିଛନ୍ତି,  କେନ୍ଦୁଝରରେ ଥିଲି। ଗାଡ଼ି ଡ୍ରାଇଭର ବାଟରେ ନିଶାସକ୍ତ ହୋଇ  ଶୋଇ ପଡ଼ିଲା। କିଛି ସମୟରେ ଉଠି ପୁଣି କୁଆଡ଼େ ପଳାଇଲା। ମୁଁ ଅପେକ୍ଷା କଲି, ଆଉ ତା’ର ଦେଖା ମିଳିଲାନି।

ରୋଗୀଜଣକ କୁମୁଡ ଛକଠାରେ ଛିଡ଼ା ହୋଇଥିବା ଖବର ପାଇ ସେଠାକୁ ଯାଇଥିଲି। ତା’ପରେ ତାଙ୍କୁ ନେଇ ତାଙ୍କ ଗାଁରେ ଛାଡ଼ିଥିଲି ବୋଲି କହିଛନ୍ତି ଭାସ୍କରଙ୍କୁ ଘରେ ପହଞ୍ଚାଇଥିବା ଅନ୍ୟ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବିନୋଦ ବିହାରୀ ସାହୁ।

ଆମ୍ବୁଲାନ୍ସ ଚଳାଇବା ପରି ଗୁରୁଦାୟିତ୍ୱ ନ୍ୟସ୍ତ ଥିବା ସତ୍ତ୍ୱେ ସମ୍ପୃକ୍ତ ଡ୍ରାଇଭର ଡ୍ୟୁଟିରେ ଥାଇ ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ ଅଧା ବାଟରେ ଛାଡ଼ି ଚାଲିଯିବା ଏକ ସ୍ପର୍ଶକାତର ଘଟଣା। ଏପରି କର୍ମଚାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯିବ, ତାହା ଦେଖିବା ବାକି ରହିଲା।

Related story