ବିଜେଡିକୁ ଶାହାଙ୍କ ଟାର୍ଗେଟ: କହିଲେ ଏମିତି କିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଯଦି ବିକାଶ କରିପାରୁନ, ଗାଦି ଛାଡ଼’। ବିଜେପି ମିଶନ୍ ୨୦୧୯ର କାର୍ଯ୍ୟକାରିତା ଲାଗି ଓଡ଼ିଶା ଆସିଥିବା ବେଳେ ଆଜି ଏଇ ଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ସେହିପରି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମଧ୍ୟ ନିଶାନା କରି ୪ କୋଟି ଓଡିଆଙ୍କ ଆସ୍ଥା ଓ ଭରଷାକୁ ସୁରକ୍ଷା ଦେବାରେ ନବୀନ ବିଫଳ ହୋଇଥିବା କହିଛନ୍ତି ଶାହା। ଅମିତଙ୍କୁ ନେଇ ଆଜି ବିଜେପି […]

saha

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 07:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଯଦି ବିକାଶ କରିପାରୁନ, ଗାଦି ଛାଡ଼’। ବିଜେପି ମିଶନ୍ ୨୦୧୯ର କାର୍ଯ୍ୟକାରିତା ଲାଗି ଓଡ଼ିଶା ଆସିଥିବା ବେଳେ ଆଜି ଏଇ ଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ସେହିପରି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମଧ୍ୟ ନିଶାନା କରି ୪ କୋଟି ଓଡିଆଙ୍କ ଆସ୍ଥା ଓ ଭରଷାକୁ ସୁରକ୍ଷା ଦେବାରେ ନବୀନ ବିଫଳ ହୋଇଥିବା କହିଛନ୍ତି ଶାହା।

ଅମିତଙ୍କୁ ନେଇ ଆଜି ବିଜେପି ଶିବିରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ ଲାଗି ବିମାନବନ୍ଦରରେ ଭବ୍ୟ ଆୟୋଜନ ହୋଇଥିଲା। ପାରମ୍ପରିକ ବାଦ୍ୟରେ କମ୍ପୁଥିଲା ବିଜୁପଟ୍ଟନାୟକ ବିମାନବନ୍ଦର। ଅମିତ ପହଞ୍ଚିବା ପରେ ତାଙ୍କୁ ଦିଆଯାଇଥିଲା ଉତ୍ସସିତ ସମ୍ବର୍ଦ୍ଧନା।ପରେ ବିଶାଳ ବାଇକ୍‌ ରାଲିରେ ଅମିତଙ୍କୁ ଦଳୀୟ କାର୍ଯ୍ୟାଳୟ ଯାଏଁ ପାଛୋଟି ନିଆଯାଇଥିଲା। ଏହାପରେ ଅମିତ ଆରମ୍ଭ କରିଥିଲେ ମାରାଥନ୍ ବୈଠକ। ନେତା ଓ କର୍ମକର୍ତ୍ତାଙ୍କୁ ଦେଇଥିଲେ ଗୁପ୍ତମନ୍ତ୍ରଣା। ପ୍ରଥମ ପର୍ଯ୍ୟାୟରେ ୨୧ଟି ସଂସଦୀୟ କ୍ଷତ୍ରର ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ବିସ୍ତାରକମାନଙ୍କ ସହ କରିଥିଲେ ବିଚାରବିମର୍ଶ। ଭବାନୀପାଟଣା ଓ ବଲାଙ୍ଗିର ଗସ୍ତ ସମୟରେ ବିସ୍ତାରକଙ୍କୁ ଦେଇଥିବା ଟାସ୍କର ଟିକିନିଖି ହିସାବ ବି ନେଇଥିଲେ। ଦିଆଯାଇଥିବା କାର୍ଯ୍ୟକୁ କେତେଦୂର ଓ କେତେ ସଫଳତାର ସହ ସମ୍ପାଦନ କରାଯାଇଛି, ତାହା ବିସ୍ତାରକମାନେ ଅମିତଙ୍କୁ ଜଣ ଜଣ କରି ଅବଗତ କରିଥିଲେ।

ଅପରାହ୍ନରେ ପଞ୍ଚାୟତ ପ୍ରମୁଖଙ୍କୁ ଭେଟି ଗୁରୁମନ୍ତ୍ର ଦେଇଥିଲେ ଅମି। ପୂର୍ବରୁ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବା ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲାଗି ଆହ୍ୱାନ ଦେଥିଲେ। ଆଗାମୀ ୧୫ ଦିନ ଭିତରେ ଶକ୍ତି କେନ୍ଦ୍ର ଓ ବୁଥ୍ କମିଟି ଅଧ୍ୟକ୍ଷମାନେ ଘର ଘର ଯାଇ ମୋଦି ସରକାରଙ୍କ ସଫଳତା ଓ ନବୀନ ସରକାରଙ୍କ ବିଫଳତାର ବାର୍ତ୍ତା ଲିଫ୍‌ଲେଟ୍‌ ମାଧ୍ୟମରେ ପହଞ୍ଚାଇବାକୁ କହିଥିଲେ।

ଏଥିସହିତ ରାଜ୍ୟ ସରକାରଙ୍କୁ ଜୋରଦାର ଢଙ୍ଗରେ ଟାର୍ଗେଟ କରିଥିଲେ ଅମିତ। ‘କେନ୍ଦ୍ର ଓଡ଼ିଶା ପାଇଁ ୪ ଲକ୍ଷ କୋଟି ଟଙ୍କାର ଯୋଜନା କରିଥିବା ବେଳେ ୨ ଲକ୍ଷ ୧୧ହଜାର କୋଟିରୁ ଅଧିକ ଟଙ୍କା ଅନୁଦାନ ଯୋଗାଇ ଦେଇଛି। ଏହାସତ୍ତ୍ୱେ ଯଦି ରାଜ୍ୟର ବିକାଶ କରିପାରୁନାହିଁ, ତେବେ ତୁରନ୍ତ ଗାଦି ଛାଡ଼” ବୋଲି ନବୀନ ସରକାରଙ୍କୁ ଆହ୍ୱାନ ଦେଇଥିଲେ ଅମିତ।

ସେହିପରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ନବୀନଙ୍କୁ ସିଧାସଳଖ ଟର୍ଗେଟ କରିଥିଲେ ଅମିତ।  ସେ କହିଥିଲେ, “ଯିଏ ହିନ୍ଦୁଙ୍କ ଆଶାକୁ ସୁରକ୍ଷା ଦେଇପାରୁନି, ଓଡ଼ିଶାକୁ କ’ଣ ସୁରକ୍ଷା ଦେବ। ଓଡ଼ିଶାର ୩୬ ପ୍ରତିଶତ ଲୋକ ବିଜୁଳିରୁ ବଞ୍ଚିତ। ୨ ପ୍ରତିଶତ ଘରେ ପାଣି ପହଞ୍ଚିଛି। କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ଠିକ୍‌ରେ ବିନିଯୋଗ କରୁନାହାନ୍ତି। ବିକାଶ କରିପାରୁ ନଥିବା ଲୋକ ସରକାରରେ ରହିବାର ଅଧିକାର ନାହିଁ।”

ଅମିତଙ୍କ ଟାର୍ଗେଟ ପରେ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି “ଆଗାମୀ ନିର୍ବାଚନ ପାଇଁ ବିଜେପିର କୌଣସି ପ୍ରସଙ୍ଗ ନାହିଁ। ଶ୍ରୀମନ୍ଦିରକୁ ନେଇ ରାଜନୀତି କରୁଛି ବିଜେପି। ଅତୀତରେ ଯିଏ ଜଗନ୍ନାଥଙ୍କୁ ନେଇ ରାଜନୀତି କରିଛି, ରସାତଳକୁ ଯାଇଛି। ନିଜର ନୀତି ବଦଳାନ୍ତୁ ନଚେତ ଜଗନ୍ନାଥ ଉତ୍ତର ଦେବେ।”

ସେ ଆହୁରି କହିଛନ୍ତି, “କେନ୍ଦ୍ରର ଅର୍ଥ ନେଇ ଶାହା ଡାହାମିଛ କହୁଛନ୍ତି। ସେ ଅଧା ସତ କହୁଛନ୍ତି। କେନ୍ଦ୍ର ସରକାର ୩୩ ଯୋଜନାର ସେୟାର ପାର୍ଟନର ବଦଲାଇଛନ୍ତି। ଫଳରେ ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ପଡ଼ୁଛି। ଆପଣଙ୍କ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏବେ ପ୍ରତାରଣା ଓ ପାଣିର ଗାର।”

ସୂଚନାଯୋଗ୍ୟ ଯେ, ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ଉତ୍ସାହିତ ହୋଇପଡିଥିଲା ରାଜ୍ୟ ବିଜେପି। ୨୦୧୯ରେ କ୍ଷମତା ଦଖଳ ଲାଗି ଦଳ ଆରମ୍ଭ କରିଥିଲା ଅଭିଯାନ। ତେବେ ବିଜେପୁର ଉପ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ ଉତ୍ସାହରେ ଭଟ୍ଟା ପଡିଥିବା ଦେଖିବକୁ ମିଳିଥିଲା। ଦଳ ସଭାପତି ଅମିତ ଶାହକଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ପୁଣି ସଂଗଠିତ ହେବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି।

Related story