ମୋହନା (ମିହିର ଜତି): ଅଙ୍ଗନବାଡି କେନ୍ଦ୍ରରେ ପଡ଼ିଲା ତାଲା। ପଛୁଆ ବର୍ଗର ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ଦାବିରେ ଗାଁ ଲୋକ ତାଲା ପକାଇଛନ୍ତି। ଏଭଳି ଚିତ୍ର ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ରଣାଲଇ ଗାଁରୁ ଆସିଛି।
ଅଭିଯୋଗରୁ ପ୍ରକାଶ, ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ସରକାରଙ୍କ ତରଫରୁ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ ଚୟନ କରାଯାଇଥିଲା। ଏହାକୁ ଗାଁ ଲୋକେ ବିରୋଧ କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀକୁ ବାତିଲ କରି ପଛୁଆ ବର୍ଗର ପ୍ରାର୍ଥୀ ନିଯୁକ୍ତି ଦେବାକୁ ଗାଁ ଲୋକେ ଦାବି କରିଥିଲେ।
ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପିଲା ପାଠ ପଢ଼ୁଥିଲେ। ପଛୁଆ ବର୍ଗରୁ ବିନୋଦିନି ସିଂଙ୍କ ଦ୍ଵାରା ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଥିଲା। କିନ୍ତୁ କୌଣସି କାରଣବଶତଃ ଚଳିତ ବର୍ଷ ମେ’ ମାସରେ ତାଙ୍କର ମୃତ୍ୟୁ ହେବା ପରେ ଖାଲି ପଡ଼ିଛି ପଦବୀ। ଏଥିପାଇଁ ଗତ ଜୁଲାଇ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କୁ ଚୟନ ପାଇଁ ଉଲ୍ଲେଖ ରହିଥିଲା। ଯାହାକୁ ଗାଁ ଲୋକେ ବିରୋଧ କରିଥିଲେ।
ପୂର୍ବରୁ ଉକ୍ତ କେନ୍ଦ୍ରରେ ପଛୁଆ ବର୍ଗର ଜଣେ କର୍ମୀ ଥିବା ବେଳେ ତାଙ୍କର ମୃତ୍ୟୁ ପରେ କେନ୍ଦ୍ରରେ ପଦବୀ ଖାଲି ପଡ଼ିଛି। ତେବେ କେନ୍ଦ୍ରରେ ପଛୁଆ ବର୍ଗ ପ୍ରାର୍ଥୀ ନିଯୁକ୍ତି ନେଇ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଅଣଦେଖା କରୁଛି। ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ବଡ଼ ଧାରଣ ଆନ୍ଦୋଳନ କରିବା ସହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।