ଜୟପୁର (ଟି.ଗୌରୀଶଙ୍କର): ତିନି ଜଣ ସାଙ୍ଗ ହୋଇ ବାଇକ୍ରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି।
ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ଏନ୍ଏଚ୍କୁ ଅବରୋଧ କରିଛନ୍ତି।
ଗତକାଲି ଗୋପୀନାଥ ମାଝୀ, ପଦ୍ମନ ମାଝୀ ଓ ପାନ ପୂଜାରୀ ଏକ ବାଇକ୍ରେ କୋଟପାଡ଼ ଯାଉଥିଲେ। ଢମଣାହାଣ୍ଡି ନିକଟରେ ଏକ କାର୍ ସେମାନଙ୍କ ବାଇକ୍କୁ ଧକ୍କାଦେଇଥିଲା। ଫଳରେ ୩ ଜଣ ଯାକ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ କୋଟପାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସନ୍ଧ୍ୟା ବେଳେ ସେମାନଙ୍କ ମଧ୍ୟରୁ ଗୋପୀନାଥ ଓ ପଦ୍ମନଙ୍କ ମୃତ୍ୟୁ ଘଟିଥିଲା।
ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ପରିବାର ଲୋକେ କ୍ଷତିପୂରଣ ଦାବିରେ ମୃତଦେହକୁ ୬୩ ନମ୍ୱର ଜାତୀୟ ରାଜପଥରେ ରଖି ଟ୍ରାଫିକ ଅବରୋଧ କରିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।