ଅପରାଜିତା ଡାଳେ ଡାଳେ, ବିଏମସି ପତ୍ରେ ପତ୍ରେ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପରହିଟ୍‌ ହିନ୍ଦୀ ଚଳଚ୍ଚିତ୍ର ‘ଉରି’ ସିନେମାର ଏକ ଚର୍ଚ୍ଚିତ ସଂଳାପ ଯୁବପିଢ଼ିଙ୍କୁ ବେଶ ଛୁଇଁପାରିଥିଲା। ତାହା ହେଉଛି ‘ହାଓ ଇଜ୍‌ ଦି ଜୋସ୍‌’। ଉତ୍ତର ହେଉଛି ‘ହାଇ ସାର୍‌’। ରାଜନୀତିରେ ଅପରାଜିତାଙ୍କ ଆଗମନଠାରୁ ସେମିତି ଏକ ମାର୍କାଦିଆ ଜୋସ୍‌ ନେଇ ଆସିଥିବା ତାଙ୍କ ଚାଲିଚଳନ କହିଦିଏ। ରାଜ୍ୟ ରାଜନୀତିରେ ପାୱାରଫୁଲ କରିଡର କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରୁ ଅପରାଜିତା ୨୦୧୯ରେ ସାଂସଦ ଭାବେ ବିଜୟୀ ହେବା ପରଠାରୁ  ତାଙ୍କ ଲୋକପ୍ରିୟତା ଏକ୍ସପ୍ରେସ ବେଗରେ ବଢ଼ିଚାଲିଛି। ଆଉ […]

7nm

Tapas Behera
  • Published: Wednesday, 13 January 2021
  • , Updated: 14 January 2021, 01:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପରହିଟ୍‌ ହିନ୍ଦୀ ଚଳଚ୍ଚିତ୍ର ‘ଉରି’ ସିନେମାର ଏକ ଚର୍ଚ୍ଚିତ ସଂଳାପ ଯୁବପିଢ଼ିଙ୍କୁ ବେଶ ଛୁଇଁପାରିଥିଲା। ତାହା ହେଉଛି ‘ହାଓ ଇଜ୍‌ ଦି ଜୋସ୍‌’। ଉତ୍ତର ହେଉଛି ‘ହାଇ ସାର୍‌’। ରାଜନୀତିରେ ଅପରାଜିତାଙ୍କ ଆଗମନଠାରୁ ସେମିତି ଏକ ମାର୍କାଦିଆ ଜୋସ୍‌ ନେଇ ଆସିଥିବା ତାଙ୍କ ଚାଲିଚଳନ କହିଦିଏ। ରାଜ୍ୟ ରାଜନୀତିରେ ପାୱାରଫୁଲ କରିଡର କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରୁ ଅପରାଜିତା ୨୦୧୯ରେ ସାଂସଦ ଭାବେ ବିଜୟୀ ହେବା ପରଠାରୁ  ତାଙ୍କ ଲୋକପ୍ରିୟତା ଏକ୍ସପ୍ରେସ ବେଗରେ ବଢ଼ିଚାଲିଛି।

ଆଉ ସେଇ ଗାଡ଼ିର ବ୍ରେକଫେଲ ପାଇଁ ବିଜେଡି ଯେତେ ପ୍ରକାର ଅସ୍ତ୍ର ପ୍ରୟୋଗ କଲେ ମଧ୍ୟ ତାହା ଫେଲ ହୋଇଯାଉଛି। ଯାହାର ସଦ୍ୟ ଉଦାହରଣ କୋଭିଡ୍‌ ସମୟରେ ଦେଖିବାକୁ ମିଳିଲା। ସରକାରୀ କଳ ମାଧ୍ୟମରେ ଅପରାଜିତାଙ୍କ ଅଫିସ୍‌ରେ ଚାବି ପକାଇବା ଚିତ୍ର ଯାହା ସମଗ୍ର ରାଜ୍ୟବାସୀ ଦେଖିଲେ। ଆଉ ବିଜେଡି ନେତା ମନ୍ତ୍ରୀମାନେ କୋଭିଡ୍ ନିୟମ ଭାଙ୍ଗିଲେ କେମିତି ସାତଖୁଣ ମାଫ କରାଯାଏ ତାହା ମଧ୍ୟ ରାଜ୍ୟବାସୀ ଜାଣିଲେ।

ଏବେ ଅପରାଜିତାଙ୍କ ଅନ୍ନପୂର୍ଣ୍ଣା ଯୋଜନା ବାବଦରେ ବିଚାର କରାଯାଉ। କିଛି ଦିନ ତଳେ ଅନ୍ନପୂର୍ଣ୍ଣା’ ଟ୍ରଷ୍ଟ ଗଠନ କରି ଭୁବନେଶ୍ୱର ସହରରେ ଗରିବ ଓ ଭୋକିଲା ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଦେବାକୁ ଘୋଷଣା କଲେ ଅପରାଜିତା। ୫ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ‘ଅନ୍ନପୂର୍ଣ୍ଣା ’ ଟ୍ରଷ୍ଟ ଗଠିତ  ହୋଇଥିବା ଖବର ଆସିଥିଲା। ଦେଶବିଦେଶରେ ରହୁଥିବା ବଦାନ୍ୟ ବ୍ୟକ୍ତିମାନେ ପ୍ରାୟ ୪୦ ଲକ୍ଷ ଟଙ୍କା ଦାନ କରିଥିବା ମଧ୍ୟ ଚର୍ଚ୍ଚା ହେଲା। ଆଗକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିର୍ବାଚନ ଆସୁଥିବାରୁ  ଅପରାଜିତା ଅନ୍ନପୂର୍ଣ୍ଣା ରଣନୀତି ଆପଣେଇଥିବା ଚର୍ଚ୍ଚା ହେଲା। ଯାହାକି ରାଜ୍ୟ ସରକାରଙ୍କ ୫ ଟଙ୍କିଆ ଭାତ-ଡାଲମା ଯୋଜନା ‘ଆହାର’କୁ ସିଧାସଳଖ ଚ୍ୟାଲେଞ୍ଜ ସୃଷ୍ଟି କଲା।

ତେବେ ଅପରାଜିତା ଡାଳେ ଡାଳେ ଗଲେ ରାଜ୍ୟ ସରକାରଙ୍କ ଇଙ୍ଗିତରେ ପରିଚାଳିତ ବିଏମସି ପତ୍ରେ ପତ୍ରେ। ମାଗଣା ଭୋଜନ ନେଇ ଦିନେ ନାହିଁ କି କାଳେ ନାହିଁ ନୋଟିସ୍‌ ଜାରି କରି ନଥିବା ବିଏମସି ହଠାତ୍‌ ଏକ ନୋଟିସ୍‌ ଜାରି କରି ମାଗଣା ବାଣ୍ଟିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦେଇଛି। ନୋଟିସ୍‌ରେ କୁହାଯାଇଛି ଯେ, ଭୁବନେଶ୍ୱରକୁ ଭିକ୍ଷାବୃତ୍ତିମୁକ୍ତ ସହର ଭାବେ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି। ହେଲେ କିଛି ସଂସ୍ଥା ବିଏମସିର ବିନା ଅନୁମିତିରେ ଖାଦ୍ୟ ବସ୍ତ୍ର ବାଣ୍ଟୁଛନ୍ତି। ଏହା ଫଳରେ ସେହି ବୃତ୍ତିର ଲୋକମାନେ ସରକାରୀ ଆଶ୍ରୟସ୍ଥଳରେ ନରହି ରାସ୍ତାକଡ଼ରେ ରହିବାକୁ ପସନ୍ଦ କରୁଛନ୍ତି। ତେଣୁ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଏହାର ଜବାବ ଦେଇଛନ୍ତି ଅପରାଜିତା। ଅପରାଜିତା କହିଛନ୍ତି ଅନ୍ନପୂର୍ଣ୍ଣା ଯୋଜନାରେ କାହାକୁ ମାଗଣାରେ ଖାଦ୍ୟ ଦିଆଯାଉ ନାହିଁ। ଲୋକଙ୍କୁ ଏଥିପାଇଁ ୧ ଟଙ୍କା ଦେବାକୁ ପଡ଼ିବ।

ଏ ସବୁ ତ ରାଜନୀତିର ଛକାପଞ୍ଝାର କଥା। ଏହାବାଦେ ସାଧାରଣ ଭାବେ ମନରେ ଗୋଟିଏ ବିଚାର ଆସୁଛି।  ଆମ ହିନ୍ଦୁ ଧର୍ମରେ ଦାନ ପରମ୍ପରାର ବିଶ୍ୱାସ ରହିଛି, ଅସହାୟ, ଗରିବ ଓ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟ ଦେଲେ ପୁଣ୍ୟ ଅର୍ଜନ ହୁଏ। ଏଥିପାଇଁ ଲୋକେ ବିଭିନ୍ନ କ୍ରିୟା କର୍ମ ତଥା ବାହାଘର, ବ୍ରତ, ଜନ୍ମଦିନ ଓ ଶ୍ରାଦ୍ଧ କର୍ମରେ ମାଗଣା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରନ୍ତି। ଏଥିପାଇଁ ଭୁବନେଶ୍ୱରର ବିନ୍ଦୁ ସାଗରଠାରୁ ଆରମ୍ଭ କରି ରାମମନ୍ଦିରରେ ଅଧିକ ଭିଡ଼ ଜମେ।

ଏବେ ପ୍ରଶ୍ନ ଉଠୁଛି ଯଦି କେହି ଜଣେ ତାଙ୍କ ସମ୍ପର୍କୀୟଙ୍କ ଶ୍ରାଦ୍ଧ କର୍ମରେ କାହାକୁ ମାଗଣା ବାଣ୍ଟିବାକୁ ଇଚ୍ଛା କରନ୍ତି ତାଙ୍କୁ କ’ଣ ବିଏମସି ପାଖରୁ ଅନୁମିତି ନେବାକୁ ପଡ଼ିବ? ବିଏମସି ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ରେ ଏହାର ସ୍ପଷ୍ଟ ଉତ୍ତର କିନ୍ତୁ ନାହିଁ। ଏମିତି ବି ଦେଖିବାକୁ ଗଲେ ଉତ୍ସବ, ପୂଜା ପର୍ବକୁ  ଆଳ କରି ନେତାମନ୍ତ୍ରୀଙ୍କ ଠାରୁ ଅଧିକ କେହି ବାଣ୍ଟି ପାରନ୍ତି ନାହିଁ। ତେବେ ସେ ଯାହା ହେଉ ନା କାହିଁକି ଏ ରାଜ୍ୟକୁ କିଏ ମାଗଣାଖିଆ ଓ ଛତ୍ରଖିଆ କରିଛି ଏହାର ଉତ୍ତର ହୁଏତ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ଠାରୁ ଆଉ କେହି ଅଧିକ କହି ପାରିବେ ନାହିଁ। ଯାହା ସେ ବୁଲି ବୁଲି ପ୍ରଚାର କରନ୍ତି ?

ଅଧିକ ପଢନ୍ତୁ : ୮୦ ବିଧାୟକଙ୍କୁ ଧରି ଗ୍ରାଣ୍ଡ ସୋ’ ଅଭିମୁଖେ ନବୀନ, କାଲି କମ୍ପିବ କଳାହାଣ୍ଡି 

 

 

Related story