ଆଦିବାସୀଙ୍କ ବିକାଶ: ବିଭାଗ ଶୁଣୁନାହାନ୍ତି, ପ୍ରସ୍ତୁତ ହୋଇପାରୁନି ରାଜ୍ୟପାଳଙ୍କ ବାର୍ଷିକ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଆଦିବାସୀବହୁଳ ଅଞ୍ଚଳରେ ବିକାଶର ବାସ୍ତବ ଚିତ୍ର ଏବେ ରାଜ୍ୟ ସରକାରଙ୍କୁ ବିଚଳିତ କରିଛି। ଯେଉଁଥିପାଇଁ ୨୦୧୬-୧୭ ଆର୍ଥିକ ବର୍ଷରୁ ରାଜ୍ୟର ସିଡ୍ୟୁଲ ଏରିଆ ଭାବେ ପରିଚିତ ପ୍ରାୟ ୧୧୮ଟି ବ୍ଲକରେ ଆଦିବାସୀଙ୍କ ସାମଗ୍ରିକ ବିକାଶ ଓ ସ୍ଥିତିକୁ ନେଇ ପ୍ରସ୍ତୁତ ହେଉଥିବା ରାଜ୍ୟପାଳଙ୍କ ବାର୍ଷିକ ରିପୋର୍ଟକୁ ଚୂଡ଼ାନ୍ତ କରିବା ଦିଗରେ ସରକାରଙ୍କ ପ୍ରମୁଖ ବିଭାଗଗୁଡ଼ିକ ସହଯୋଗ କରୁନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଗତ ୩ବର୍ଷ ହେଲା ରାଷ୍ଟ୍ରପତିଙ୍କ ନିକଟରେ ରାଜ୍ୟପାଳଙ୍କ ବାର୍ଷିକ […]

tribe

Subrat Kumar Nayak
  • Published: Wednesday, 30 October 2019
  • , Updated: 30 October 2019, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଆଦିବାସୀବହୁଳ ଅଞ୍ଚଳରେ ବିକାଶର ବାସ୍ତବ ଚିତ୍ର ଏବେ ରାଜ୍ୟ ସରକାରଙ୍କୁ ବିଚଳିତ କରିଛି। ଯେଉଁଥିପାଇଁ ୨୦୧୬-୧୭ ଆର୍ଥିକ ବର୍ଷରୁ ରାଜ୍ୟର ସିଡ୍ୟୁଲ ଏରିଆ ଭାବେ ପରିଚିତ ପ୍ରାୟ ୧୧୮ଟି ବ୍ଲକରେ ଆଦିବାସୀଙ୍କ ସାମଗ୍ରିକ ବିକାଶ ଓ ସ୍ଥିତିକୁ ନେଇ ପ୍ରସ୍ତୁତ ହେଉଥିବା ରାଜ୍ୟପାଳଙ୍କ ବାର୍ଷିକ ରିପୋର୍ଟକୁ ଚୂଡ଼ାନ୍ତ କରିବା ଦିଗରେ ସରକାରଙ୍କ ପ୍ରମୁଖ ବିଭାଗଗୁଡ଼ିକ ସହଯୋଗ କରୁନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଗତ ୩ବର୍ଷ ହେଲା ରାଷ୍ଟ୍ରପତିଙ୍କ ନିକଟରେ ରାଜ୍ୟପାଳଙ୍କ ବାର୍ଷିକ ରିପୋର୍ଟ ଦାଖଲ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ସମ୍ବିଧାନର ଅନୁଚ୍ଛେଦ-୫ର ପ୍ରାବଧାନ ଅନୁସାରେ ରାଜ୍ୟର ୬ଟି ଜିଲ୍ଲା ସମ୍ପୂର୍ଣ୍ଣ ଓ ୭ଟି ଜିଲ୍ଲାର ଆଂଶିକ ଅଞ୍ଚଳ ଭାବେ ‘ସିଡ୍ୟୁଲ ଏରିଆ’ ଭାବେ ମାନ୍ୟତା ପାଇଛି। ଏସବୁ ଆଦିବାସୀ ବହୁଳ ଅଞ୍ଚଳରେ ସାମଗ୍ରିକ ବିକାଶ କାର୍ଯ୍ୟର ପ୍ରଶାସନିକ ସ୍ଥିତିକୁ ନେଇ ରାଜ୍ୟପାଳଙ୍କ ବାର୍ଷିକ ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଯାହାକି କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ମାଧ୍ୟମରେ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରାଯିବାର ପ୍ରାବଧାନ ରହିଛି। କିନ୍ତୁ ଓଡ଼ିଶାର ଏହି ‘ସିଡ୍ୟୁଲ ଏରିଆ’କୁ ନେଇ ରାଜ୍ୟପାଳଙ୍କ ବାର୍ଷିକ ରିପୋର୍ଟ(ପ୍ରଶାସନିକ) ପ୍ରସ୍ତୁତ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଯେଉଁ ଚିଠା ରିପୋର୍ଟ ପ୍ରସ୍ତୁତ କରିଛି ତାକୁ ସମ୍ପୃକ୍ତ ବିଭାଗଗୁଡ଼ିକ ତା’ଉପରେ ନିରବତା ଅବଲମ୍ବନ କରିଛନ୍ତି। ୨୦୧୬-୧୭ ବାର୍ଷିକ ରିପୋର୍ଟ ଉପରେ ୧୩ଟି ବିଭାଗ ଓ ୨୦୧୭-୧୮ ବାର୍ଷିକ ରିପୋର୍ଟ ଉପରେ ୧୧ଟି ବିଭାଗ କୌଣସି ମତାମତ ମଧ୍ୟ ଦେଇନଥିବା ଜଣାପଡ଼ିଛି। ଏପରିକି ଏସବୁ ରିପୋର୍ଟକୁ ଚୂଡ଼ାନ୍ତ କରିବା ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଗଷ୍ଟ ୨୮ତାରିଖରେ ଡାକିଥିବା ବୈଠକକୁ ମଧ୍ୟ ୮ଟି ବିଭାଗ ନିଜର ପ୍ରତିନିଧି ପଠାଇବାକୁ ଉଚିତ୍ ମଣିନଥିଲେ।

ଆଦିବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ସମ୍ବିଧାନର ଅନୁଚ୍ଛେଦ-୫ର ପ୍ରାବଧାନକୁ ଖାତିର କରୁନାହାନ୍ତି। ଏସବୁ ବିଭାଗ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅବକାରୀ, ଆଇନ, ସମବାୟ, କ୍ରୀଡ଼ା ଓ ଯୁବବ୍ୟାପାର, ଗ୍ରାମ୍ୟ ଉନ୍ନୟନ, ଏମଏସଏମଇ ଓ ଇଆଣ୍ଡଆଇଟି ବୋଲି ଜଣାପଡ଼ିଛି। ଯାହାକୁ ନେଇ ଅନୁସୂଚିତ ଜନଜାତି ବିଭାଗ ଅସନ୍ତୋଷ ବ୍ୟକ୍ତ କରିବା ସହ ମୁଖ୍ୟ ସଚିବଙ୍କ ନିକଟରେ ଫେରାଦ ହେବାକୁ ନିଷ୍ପତ୍ତି ନେଇଛି। ବିଭାଗଗୁଡ଼ିକ ଏହି ବାର୍ଷିକ ରିପୋର୍ଟକୁ ଭେଟିଂ କରୁନଥିବାରୁ ତାହା ଚୂଡ଼ାନ୍ତ ହୋଇପାରୁନି। ରିପୋର୍ଟ ଚୂଡ଼ାନ୍ତ ହେବାପରେ ତାହା ମୁଖ୍ୟ ସଚିବଙ୍କ ଅନୁମୋଦନ ପାଇ ପଠାଯିବ ଓ ପରେ ଏହାକୁ ଆଦିବାସୀ ପରାମର୍ଶଦାତା ପରିଷଦ ବୈଠକରେ ମଧ୍ୟ ଉପସ୍ଥାପନ କରାଯିବ। ଏସବୁ ପରେ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବାର ବ୍ୟବସ୍ଥା ରହିଛି।

ତେବେ ଆଦିବାସୀ ଅଞ୍ଚଳରେ ବିକାଶ ଦିଗରେ ସ୍ୱାସ୍ଥ୍ୟ, ଅବକାରୀ, ଗ୍ରାମ୍ୟ ଉନ୍ନୟନ,କ୍ରୀଡ଼ା ଓ ଯୁବ୍ୟବାପାର, ଏମଏସଏମଇ ଆଦି ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଏସବୁ ବିଭାଗ ରାଜ୍ୟପାଳଙ୍କ ବାର୍ଷିକ ରିପୋର୍ଟ ପ୍ରସ୍ତୁତ ଦିଗରେ ସହଯୋଗ ନକରିବା ପରୋକ୍ଷରେ ସମ୍ବିଧାନକୁ ବେଖାତିର କରିବା ଭଳି ପରିସ୍ଥିତି ଉପୁଜିଛି।

ସୂଚନାଯୋଗ୍ୟ, ଆଦିବାସୀଙ୍କ ପ୍ରାଚୀନ ରୀତିନୀତି,ପରମ୍ପରା ଓ ସାଂସ୍କୃତି ପରିଚୟକୁ ସୁବ୍ୟବସ୍ଥିତ ଓ ସୁରକ୍ଷିତ ରଖି ସେମାନଙ୍କ ସାମାଜିକ ଓ ଆର୍ଥିକ ପରିବେଶକୁ ପ୍ରଭାବିତ ନକରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ-୫ ଅନୁସାରେ ରାଜ୍ୟର ୬ଟି ଜିଲ୍ଲାର ସମ୍ପୂର୍ଣ୍ଣ ଅଞ୍ଚଳ ଓ ୭ଟି ଜିଲ୍ଲାର ଆଂଶିକ ଆଦିବାସୀବହୁଳ ଅଞ୍ଚଳକୁ ‘ସିଡ୍ୟୁଲ ଏରିଆ’ ଭାବେ ଘୋଷଣା କରାଯାଇଛି। ଏସବୁ ଅଞ୍ଚଳ ଉପରେ ରାଜ୍ୟପାଳଙ୍କ ବିନା ପରାମର୍ଶରେ ରାଜ୍ୟ ସରକାର କୌଣସି ନିୟମ କାର୍ଯ୍ୟକାରୀ କରିପାରିବେ ନାହିଁ। ମାତ୍ର ଏସବୁ ଅଞ୍ଚଳରେ ବିକାଶର ବାର୍ଷିକ ଚିତ୍ର ପ୍ରଦାନ ଦିଗରେ ବି ବିଭାଗଗୁଡ଼ିକ ଆଗ୍ରହ ନଦେଖାଇବା ସରକାରଙ୍କ ଆଦିବାସୀ ପ୍ରୀତିର ବାସ୍ତବତାକୁ ପଦାରେ ପକାଇଛି।

Related story