କଂଗ୍ରେସ ଛାଡ଼ିଲେ ଆଉ ଜଣେ ପୂର୍ବତନ ବିଧାୟକ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଂଗ୍ରେସ ଛାଡ଼ିଲେ ଆଉ ଜଣେ ପୂର୍ବତନ ବିଧାୟକ। ତାଙ୍କ ନାଁ ଶିବାଜୀ ମାଝୀ। ସେ ତାଙ୍କ ଇସ୍ତଫାପତ୍ର ଇ-ମେଲ୍ ଯୋଗେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଶିବାଜୀ ମାଝୀ କହିଛନ୍ତି ଯେ ୨୦୧୯ ନିର୍ବାଚନରେ ପରାସ୍ତ ହେବା ପରଠୁ ତାଙ୍କୁ ଦଳର କୌଣସି କାର୍ଯ୍ୟକ୍ରମକୁ ଡକା ଯାଉ ନଥିଲା। ଏମିତିକି ଦଳର ପଞ୍ଚାୟତ ଓ ବ୍ଲକ୍ ସ୍ତରୀୟ ବୈଠକରେ ମଧ୍ୟ ତାଙ୍କୁ ସାମିଲ କରାଯାଉ ନଥିଲା। ତାଙ୍କୁ ଦଳ […]

Shibaji Majhi

Jitendra Garnayak
  • Published: Saturday, 06 November 2021
  • , Updated: 06 November 2021, 06:31 PM IST

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଂଗ୍ରେସ ଛାଡ଼ିଲେ ଆଉ ଜଣେ ପୂର୍ବତନ ବିଧାୟକ। ତାଙ୍କ ନାଁ ଶିବାଜୀ ମାଝୀ। ସେ ତାଙ୍କ ଇସ୍ତଫାପତ୍ର ଇ-ମେଲ୍ ଯୋଗେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଶିବାଜୀ ମାଝୀ କହିଛନ୍ତି ଯେ ୨୦୧୯ ନିର୍ବାଚନରେ ପରାସ୍ତ ହେବା ପରଠୁ ତାଙ୍କୁ ଦଳର କୌଣସି କାର୍ଯ୍ୟକ୍ରମକୁ ଡକା ଯାଉ ନଥିଲା। ଏମିତିକି ଦଳର ପଞ୍ଚାୟତ ଓ ବ୍ଲକ୍ ସ୍ତରୀୟ ବୈଠକରେ ମଧ୍ୟ ତାଙ୍କୁ ସାମିଲ କରାଯାଉ ନଥିଲା। ତାଙ୍କୁ ଦଳ ଅଣଦେଖା କରି ଆସୁଥିଲା। ତେଣୁ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି।

ଶ୍ରୀ ମାଝୀ ୨୦୦୭ରେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୦୯ରେ ସେ କଂଗ୍ରେସ ଟିକେଟ୍‌ରେ ଲାଞ୍ଜିଗଡ଼ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ତାଙ୍କୁ ଏହି ଆସନରୁ ଟିକେଟ୍ ଦିଆଯାଇ ନଥିଲା। ୨୦୧୯ ନିର୍ବାଚନରେ ସେ ପୁଣି ଏହି ଆସନରୁ କଂଗ୍ରେସ ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ହାରି ଯାଇଥିଲେ।

ଶିବାଜୀ ମାଝୀ କେଉଁ ଦଳକୁ ଯିବେ, ତାହା ସ୍ପଷ୍ଟ ହୋଇନାହିଁ। ଏବେ ସେ ଏ ବିଷୟରେ ଚିନ୍ତା କରି ନାହାନ୍ତି ବୋଲି କହିଛନ୍ତି। ସମୟ ଆସିଥିଲେ ଏ ସଂପର୍କରେ କହିବେ ବୋଲି ଶ୍ରୀ ମାଝୀ କହିଛନ୍ତି। ତେବେ ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବରୁ ଦଳ ଛାଡ଼ିଥିବା ଯୋଗୁ ସେ ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି। କାରଣ ନିକଟ ଅତୀତରେ କଂଗ୍ରେସ ଛାଡ଼ିଥିବା ଆଉ ଦୁଇ ପୂର୍ବତନ ବିଧାୟକ ବି ବିଜେଡିରେ ସାମିଲ ହୋଇଛନ୍ତି।

ଶିବାଜୀଙ୍କ ପୂର୍ବରୁ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ କଂଗ୍ରେସ ଛାଡ଼ିଥିଲେ। ତାଙ୍କ ପୂର୍ବରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା ଓ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କୈଳାସ କୁଲେସିକା ଓ ଚନ୍ଦ୍ର ଶେଖର ମାଝୀ ବିଜେଡିରେ ମିଶି ସାରିଛନ୍ତି।

ନବୀନ ନନ୍ଦ ପୂର୍ବରୁ ବିଜେଡିରେ ଥିଲେ। ସେଠାରୁ ନିଲମ୍ବିତ ହେବା ପରେ ସେ ୨୦୧୯ରେ କଂଗ୍ରେସରେ ଯୋଗ ଦେଇ ଢେଙ୍କାନାଳ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ନିର୍ବାଚନ ହାରି ଯାଇଥିଲେ।

ଅନ୍ୟପକ୍ଷରେ ଗତମାସ ଶେଷ ଆଡ଼କୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି।

Related story