ନବୀନ ସରକାରରେ ‘ଭାବମୂର୍ତ୍ତି’ ସଙ୍କଟ: ପୁଣି ଜଣେ ମନ୍ତ୍ରୀ ବିବାଦରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପଂଚମଥର ପାଇଁ ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକ ସରକାରରେ ଭାବମୂର୍ତ୍ତି ସଙ୍କଟ ଦେଖାଦେଇଛି। ନିଜର ନିର୍ମଳ ଭାବମୂର୍ତ୍ତିକୁ ଆଧାର କରି ନବୀନ ରାଜ୍ୟବାସୀଙ୍କ ଆସ୍ଥା ଜିଣିବାକୁ ପ୍ରୟାସ କରୁଥିବାବେଳେ ତାଙ୍କ  ସହଯୋଗୀ ମନ୍ତ୍ରୀମାନେ ଜଣେପରେ ଜଣେ ବିବାଦୀୟ ହେବାରେ ଲାଗିଛନ୍ତି। ଦୀର୍ଘ ଦେଢ଼ବର୍ଷ ମଧ୍ୟରେ ପ୍ରାୟ ଏକ ଡଜନ ମନ୍ତ୍ରୀ କିଛିନା କିଛି କାରଣ ପାଇଁ ବିବାଦଘେରକୁ ଆସିବା ସହ ରାଜ୍ୟବାସୀଙ୍କ ମନରେ ସେମାନଙ୍କ ପ୍ରତି ଶଙ୍କା ସୃଷ୍ଟି ହୋଇଛି। ଏବେ ପୂର୍ତ୍ତ […]

PRAFULLA

Tapas Behera
  • Published: Tuesday, 19 January 2021
  • , Updated: 19 January 2021, 09:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପଂଚମଥର ପାଇଁ ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକ ସରକାରରେ ଭାବମୂର୍ତ୍ତି ସଙ୍କଟ ଦେଖାଦେଇଛି। ନିଜର ନିର୍ମଳ ଭାବମୂର୍ତ୍ତିକୁ ଆଧାର କରି ନବୀନ ରାଜ୍ୟବାସୀଙ୍କ ଆସ୍ଥା ଜିଣିବାକୁ ପ୍ରୟାସ କରୁଥିବାବେଳେ ତାଙ୍କ  ସହଯୋଗୀ ମନ୍ତ୍ରୀମାନେ ଜଣେପରେ ଜଣେ ବିବାଦୀୟ ହେବାରେ ଲାଗିଛନ୍ତି। ଦୀର୍ଘ ଦେଢ଼ବର୍ଷ ମଧ୍ୟରେ ପ୍ରାୟ ଏକ ଡଜନ ମନ୍ତ୍ରୀ କିଛିନା କିଛି କାରଣ ପାଇଁ ବିବାଦଘେରକୁ ଆସିବା ସହ ରାଜ୍ୟବାସୀଙ୍କ ମନରେ ସେମାନଙ୍କ ପ୍ରତି ଶଙ୍କା ସୃଷ୍ଟି ହୋଇଛି। ଏବେ ପୂର୍ତ୍ତ ତଥା ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବେ ବିବାଦଘେରକୁ ଆସିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଖଣିମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ପ୍ରଭାବ ଯୋଗୁ ତାଙ୍କ ଅଧ୍ୟାପିକା ବୋହୂ ଲିପସା ପ୍ରଧାନ କାମ ନକରି ମଧ୍ୟ ରାଜକୋଷରୁ ଦରମା ନେଉଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ହିଁ ଏହା ସ୍ପଷ୍ଟ କରିଛି। ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ବୋହୂ ଲିପସା ପ୍ରଧାନ କାମାକ୍ଷାନଗର ଡିଗ୍ରୀ କଲେଜରେ ଜିଓଲୋଜି ବିଭାଗର ଅଧ୍ୟାପିକା ଥିବାବେଳେ ଗତ ପ୍ରାୟ ୭-୮ବର୍ଷ ଧରି ସେ କଲେଜ ଯାଉନଥିବା ଜଣାପଡ଼ିଛି। ଏପରିକି ଏହି କଲେଜର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜେ କାର୍ଯ୍ୟ କରୁଥିବାବେଳେ ତାଙ୍କର ପ୍ରଭାବ ଓ ପତିଆରା ଯୋଗୁ ତାଙ୍କ ବୋହୂ କୌଣସି କ୍ଲାସ୍ ନକରି ମଧ୍ୟ ନିୟମିତ ଦରମା ପାଉଛନ୍ତି। କେବଳ ଏତିକି ନୁହେଁ ମନ୍ତ୍ରୀଙ୍କ ବୋହୂଙ୍କୁ ସୁରକ୍ଷିତ ରଖିବା ନିମନ୍ତେ କାମାକ୍ଷାନଗର କଲେଜର ପ୍ରିନ୍ସିପାଲ ସୂଚନା ଅଧିକାର ଆଇନରେ ମିଛ ତଥ୍ୟ ଦେବାକୁ ପଛାଇ ନାହାନ୍ତି। ମନ୍ତ୍ରୀଙ୍କ ବୋହୂ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିବାରୁ କାମାକ୍ଷାନଗର ଡିଗ୍ରୀ କଲେଜରେ ନିୟମିତ କ୍ଲାସ କରିପାରୁନଥିବା ସମ୍ପୃକ୍ତ କଲେଜର ପ୍ରିନ୍ସିପାଲ ଲିଖିତ ଭାବେ ଦେଇଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ କିନ୍ତୁ ଏହାକୁ ଖଣ୍ଡନ କରିଛି। ଲିପସା ପ୍ରଧାନଙ୍କ ନାଁରେ କୌଣସି ଛାତ୍ରୀ ପିଏଚଡି କରୁନାହାନ୍ତି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଅଧିକାର ଆଇନରେ ମଗାଯାଇଥିବା ତଥ୍ୟ ମାଧ୍ୟମରେ ଜଣାଇଥିଲେ। ତେବେ ପ୍ରଶ୍ନ ଉଠୁଛି, ମନ୍ତ୍ରୀଙ୍କ ବୋହୂ ଗୋଟିଏ କଲେଜର ଅଧ୍ୟାପିକା ଥିବାବେଳେ କିଛି କାର୍ଯ୍ୟ ନକରି କିଭଳି ଦରମା ନେଉଛନ୍ତି। ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସବୁକିଛି ଜାଣିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜର ପତିଆରା ଦେଖାଇବାକୁ ବୋହୂ ଲିପସାଙ୍କୁ ସୁରକ୍ଷିତ ରଖିବାକୁ ପ୍ରୟାସ କରିନାହାନ୍ତି ତ? ମନ୍ତ୍ରୀଙ୍କ ଏଭଳି ଆଚରଣ ଏବେ ପଦାକୁ ଆସିବାପରେ ରାଜ୍ୟ ଓ ରାଜ୍ୟବାସୀଙ୍କ ପ୍ରତି ତାଙ୍କର ଉତ୍ତରଦାୟିତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ ଦାସ, ଜଗନ୍ନାଥ ସାରକା, ରଘୁନନ୍ଦନ ଦାସ, ଅରୁଣ ସାହୁ, ପ୍ରତାପ ଜେନା ବିଭିନ୍ନ କାରଣ ପାଇଁ ବିବାଦୀୟ ଥିବାବେଳେ ଏବେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ନାଁ ଚର୍ଚ୍ଚାକୁ ଆସିଛି। ସରକାରୀ ଖର୍ଚ୍ଚରେ ଜଣେ ମହିଳାଙ୍କୁ ସାଙ୍ଗରେ ନେଇ ରାଜ୍ୟ ବାହାରକୁ ଯାଇଥିବା କାରଣରୁ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବେଶ୍ ବିବାଦୀୟ ହୋଇଥିବାବେଳେ ସମବାୟ ବ୍ୟାଙ୍କରୁ ଚାଷୀଙ୍କ ନାଁରେ କୋଟିକୋଟି ଟଙ୍କାର ଋଣ ଲୁଟ୍ ପାଇଁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିଜର କ୍ଷମତାର ଅପବ୍ୟବହାର କରି ପୁଅ ଓ ଝିଅକୁ ଅହେତୁକ ଅନୁକମ୍ପା ଦେଖାଇବା ସହ ୨ବର୍ଷରେ ୮୦ରୁ ଅଧିକ ଗାଡ଼ି କ୍ରୟ କରିବା, ସରକାରୀ ଜମିକୁ ପୁଅ ନାଁରେ କରିବା ଆଦି କାରଣରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିବାଦରେ ଅଛନ୍ତି। ସେହିପରି ରତ୍ନପଥର ମାଫିଆଙ୍କ ସହ ସମ୍ପର୍କ ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା, ଗ୍ୟାଙ୍ଗଷ୍ଟର ତପୁକୁ ସମ୍ବର୍ଦ୍ଧିତ କରିବାକୁ ନେଇ ମନ୍ତ୍ରୀ ରଘୁନନ୍ଦନ ଦାସ, ପରୀ ମାମଲା ପାଇଁ ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡର ପାଇଁ ପ୍ରତାପ ଜେନା ବିବାଦୀୟ ହୋଇଛନ୍ତି। ଏହି ସମସ୍ତ ମନ୍ତ୍ରୀଙ୍କ ପାଇଁ ସରକାରର ଭାବମୂର୍ତ୍ତି ସଙ୍କଟରେ ପଡ଼ିଥିଲେ ବି ନବୀନ ଏମାନଙ୍କୁ ନିଜ ମନ୍ତ୍ରିମଣ୍ଡଳରୁ ହଟାଇବା ଦିଗରେ ସାମାନ୍ୟତମ ଆଗ୍ରହ ଦେଖାଉନାହାନ୍ତି। ଅବଶ୍ୟ ପୂର୍ବରୁ ବିବାଦର ଛାଇ ପଡ଼ିଲେ ନବୀନ ନିଜ ମନ୍ତ୍ରିମଣ୍ଡଳର ସହଯୋଗୀଙ୍କୁ ବାହାର ରାସ୍ତା ଦେଖାଇବାକୁ ପଛାଉନଥିଲେ।

Related story