ରାଜଧାନୀରେ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ମିଳୁନି ମାଲିକାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ମାର୍ଟ ହେଉଛି ଛୋଟ ବଡ଼ ସହର। ବଢ଼ି ଚାଲିଛି ଆପାର୍ଟମେଣ୍ଟ କଲଚର। ହେଲେ ଆପାର୍ଟମେଣ୍ଟରେ ଫ୍ଲାଟ୍‌ କିଣି ରହୁଥିବା ଲୋକଙ୍କୁ ସେମାନଙ୍କ ଅଧିକାର ମିଳୁନି। ଯାହାଫଳରେ ସେମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାଜଧାନୀର ଟଙ୍କପାଣି ରୋଡ୍‌ ଗଡ଼ଶ୍ରୀରାମପୁରରେ ରହିଛି ଏକ ଆପାର୍ଟମେଣ୍ଟ। ଏଥିରୁ ଫ୍ଲାଟ୍‌ କିଣିଛନ୍ତି ମନୋଜ ଦାଶ। ହେଲେ ସେଠି ତାଙ୍କୁ ମିଳୁନି ଆବଶ୍ୟକ ସୁବିଧା ସୁଯୋଗ କି ହକ୍। ନା ଫ୍ଲାଟ୍‌ ମାଲିକମାନେ ମିଶି ସୋସାଇଟି ତିଆରି କରିପାରୁଛନ୍ତି […]

Apartment-owners-in-Bhubaneswar-unhappy-over-non-implementation-of-ownership-laws

Manoranjan Sial
  • Published: Wednesday, 21 August 2019
  • , Updated: 21 August 2019, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ମାର୍ଟ ହେଉଛି ଛୋଟ ବଡ଼ ସହର। ବଢ଼ି ଚାଲିଛି ଆପାର୍ଟମେଣ୍ଟ କଲଚର। ହେଲେ ଆପାର୍ଟମେଣ୍ଟରେ ଫ୍ଲାଟ୍‌ କିଣି ରହୁଥିବା ଲୋକଙ୍କୁ ସେମାନଙ୍କ ଅଧିକାର ମିଳୁନି। ଯାହାଫଳରେ ସେମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ରାଜଧାନୀର ଟଙ୍କପାଣି ରୋଡ୍‌ ଗଡ଼ଶ୍ରୀରାମପୁରରେ ରହିଛି ଏକ ଆପାର୍ଟମେଣ୍ଟ। ଏଥିରୁ ଫ୍ଲାଟ୍‌ କିଣିଛନ୍ତି ମନୋଜ ଦାଶ। ହେଲେ ସେଠି ତାଙ୍କୁ ମିଳୁନି ଆବଶ୍ୟକ ସୁବିଧା ସୁଯୋଗ କି ହକ୍। ନା ଫ୍ଲାଟ୍‌ ମାଲିକମାନେ ମିଶି ସୋସାଇଟି ତିଆରି କରିପାରୁଛନ୍ତି ନା ଘରର ଉପଯୁକ୍ତ ମେଣ୍ଟେନାନ୍ସ ହୋଇପାରୁଛି। ଏମିତିକି ସଂପୃକ୍ତ ବିଲଡର ସେମାନଙ୍କୁ ସାମୁହିକ ସଂପତ୍ତିର ମାଲିକାନା ପ୍ରଦାନ କରୁନଥିବା ବେଳେ ଧରାଛୁଆଁ ମଧ୍ୟ ଦେଉନାହାନ୍ତି ବୋଲି ମନୋଜ ଅଭିଯୋଗ କରିଛନ୍ତି।

ଆପାର୍ଟମେଣ୍ଟରେ ଫ୍ଳାଟ୍‌ କିଣି ରହୁଥିବା ଲୋକଙ୍କୁ ଏହି ସବୁ ସମସ୍ୟାରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପୁରୁଣା ଆପାର୍ଟମେଣ୍ଟ ଆଇନରେ ପରିବର୍ତ୍ତନ କରି ୪ବର୍ଷ ତଳୁ ପ୍ରଣୟନ କରିଛନ୍ତି ‘ଆପାର୍ଟମେଣ୍ଟ ଓନରସିପ୍‌ ଆକ୍ଟ-୨୦୧୫’। ଆଇନ ଅନୁଯାୟୀ, ଆପାର୍ଟମେଣ୍ଟ ଗୁଡ଼ିକରେ ସୋସାଇଟି ପଞ୍ଜୀକୃତ କରିବା ପାଇଁ ନିୟମ ରହିଛି। ତେବେ ସୋସାଇଟି କେଉଁ କର୍ତ୍ତୃପକ୍ଷଙ୍କ ପାଖରେ ରେଜିଷ୍ଟ୍ରି କରିବେ, କେଉଁ ଅଧିକାରୀଙ୍କ ପାଖକୁ ଯିବେ, ସେ ନେଇ କୌଣସି ରୁଲ୍‌ ଫ୍ରେମ୍‌ ହୋଇନାହିଁ। ଯାହାର ଫାଇଦା ଉଠାଇ ବିଲ୍‌ଡିରମାନେ ଆପାର୍ଟମେଣ୍ଟର ସୋସାଇଟି ଗୁଡ଼ିକୁ ନିଜ ଅକ୍ତିଆରରେ ରଖୁଥିବା ଅଭିଯୋଗ ହେଉଛି।

ଆଶ୍ଚର୍ଯ୍ୟର କଥା ହେଉଛି, ବିଧାନସଭାରେ ୪ ବର୍ଷ ହେଲା ଆଇନ୍ ପାରିତ ହେବା ସତ୍ତ୍ୱେ ଏହାର ରୁଲ୍ ଫ୍ରେମ୍ ନହେବା ପଛରେ ବିଲ୍‌ଡରଙ୍କ ଲବି ଥିବା ଅଭିଯୋଗ ହେଉଛି। ତେବେ ନୂଆ ଏହି ଆଇନ୍ ସଂପର୍କିତ ଡ୍ରାଫଟ୍‌ ରୁଲ୍‌ରେ ଅନେକ ତ୍ରୁଟିବିଚ୍ୟୁତି ରହିଥିବା ଅଭିଯୋଗ କରିଛନ୍ତି କେତେକ ବିଲ୍‌ଡର। ତେବେ ଏ ନେଇ ଯୋଗାଯୋଗ କରିଥିଲେ ମଧ୍ୟ ନଗର ଉନ୍ନୟନ ବିଭାଗର ନା ମନ୍ତ୍ରୀ ନା ଅଧିକାରୀ କେହି ପ୍ରତିକ୍ରିୟା ଦେବାକୁ ନାରାଜ୍। ସେପଟେ ଦିନକୁ ଦିନ ରାଜ୍ୟରେ ଛତୁ ଫୁଟିଲା ଭଳି ଆପାର୍ଟମେଣ୍ଟ ଗଢ଼ି ଉଠୁଥିବା ବେଳେ ଅନ୍ୟ ରାଜ୍ୟ ଭଳି ଏହାର ମେଣ୍ଟେନାନ୍ସ ସମ୍ପର୍କିତ ଆଇନ୍ କାର୍ଯ୍ୟକାରୀ ହେଉନଥିବାରୁ ଘର କିଣି ନାନା ସମସ୍ୟାରେ ଧନ୍ଦି ହେଉଛନ୍ତି ଆପାର୍ଟମେଣ୍ଟ ବାସିନ୍ଦା।

Related story