Advertisment

Politics: କାହାଣୀ କହୁଛି କି ବିଜେଡି, ପୁଣି ପ୍ରମାଣ ମାଗିଲେ ଅରବିନ୍ଦ

‘କେଉଁ ସବୁ ବିଧାୟକମାନଙ୍କ ସହିତ ମୁଁ ବସାଉଠା କରୁଥିଲି, ତା’ର ତଥ୍ୟ ଦିଅନ୍ତୁ। କେଉଁଠି ଓ କେତେବେଳେ ସେମାନଙ୍କ ସହିତ ମୁଁ ମିଶିଥିଲି କୁହନ୍ତୁ। ଭୁଲ ଭୁଲୈୟା କାହାଣୀ ନକହି ସିଧାସଳଖ ଉତ୍ତର ରଖିଲେ ଠିକ୍ ହେବ।’

author-image
Jitendra Garnayak
Lenin and Aravinda

ଦୁର୍ନୀତିଗ୍ରସ୍ତ, ବିଶ୍ୱାସଘାତକ ଓ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଦର୍ଶାଇ ବିଜେଡି ତା’ର ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନିଲମ୍ବନ କରିଥିବା ବେଳେ ସେମାନେ ବାସ୍ତବରେ କ’ଣ କରିଛନ୍ତି, ତାହା ସମସ୍ତେ ଜାଣିବାକୁ ଚାହୁଁଥିଲେ। ଆଜି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଏହି ଦୁଇ ଜଣ ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ଥିଲେ, ଯାହା ଦଳକୁ ଦୁର୍ବଳ କରିବାକୁ ଉଦ୍ଦିଷ୍ଟ ଥିଲା। ଏନେଇ ସବୁ ତଥ୍ୟ ପ୍ରମାଣ ଥିବା ଲେନିନ ଦୃଢ଼ୋକ୍ତି ପ୍ରକାଶ କରିଥିବା ସତ୍ତ୍ୱେ ଏହାକୁ ବ୍ୟାଖ୍ୟା କରି ନଥିଲେ। ତେଣୁ ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି ଯେ ଭୁଲ ଭୁଲୈୟା କାହାଣୀ ନକହି ସିଧାସଳଖ ଉତ୍ତର ରଖିଲେ ଠିକ୍ ହେବ। ଏହା ସହିତ ବିଜେଡିର କୌଣସି ନେତା ଯେତେବେଳେ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ଆସୁଛନ୍ତି, ତଥ୍ୟ ପ୍ରମାଣ ନେଇ ଆସନ୍ତୁ ବୋଲି ଅରବିନ୍ଦ କହିଛନ୍ତି। 

Advertisment

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକମାନଙ୍କୁ ମାନନୀୟ ସଭାପତି (ନବୀନ ପଟ୍ଟନାୟକ) ସଦାବେଳେ ଘୃଣା କରନ୍ତି। ଗତ ୨୪ ବର୍ଷ ମଧ୍ୟରେ ଯେଉଁମାନେ ବି ଦଳୀୟ ଅନୁଶାସନ ଭିତରେ ରହି ନାହାନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିକ୍ରମରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାଟକୁରା ଓ ଚମ୍ପୁଆରୁ ତୃଣମୂଳ ସ୍ତରରୁ ମତାମତ ଆସିବା ପରେ ଦଳର ନେତାମାନଙ୍କ ସହିତ ଆଲୋଚନା କରିବା ପରେ ମାସାଧିକ କାଳ ଭଲ ଭାବେ ବିଚାର କରି ସଭାପତି ଏହି ନିଷ୍ପତ୍ତି ନେଇଛନ୍ତି। 

ସେ କହିଛନ୍ତି, ଗୋଟିଏ ବଡ଼ ଷଡ଼ଯନ୍ତ୍ର କରାଯାଇଥିଲା। ସନାତନ ମହାକୁଡ଼, ବିଜୟ ମହାପାତ୍ର ଓ ଅରବିନ୍ଦ ମହାପାତ୍ର ଏହି ଷଡ଼ଯନ୍ତ୍ରର ଅଂଶ ଥିଲେ। ଗତ କିଛି ମାସ ଧରି ଏହି ଷଡ଼ଯନ୍ତ୍ର ଚାଲିଥିଲା। ସେଥିପାଇଁ ସେମାନଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ କୁହାଯାଇଛି ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। 

Advertisment

ଲେନିନ କହିଛନ୍ତି, ଦଳର ଆତ୍ମବିଶ୍ୱାସ ବଢ଼ିଛି। ଲୋକେ ଏବେ ଅନୁତପ୍ତ। ଲୋକେ କହୁଛନ୍ତି ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଯେଉଁ ଡବଲ ଇଞ୍ଜିନ ସରକାର ଚାଲିଛି, ତାହା ଏକ ବିଫଳ ସରକାର। ଦଳ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରୁନି। ଲୋକେ କହୁଛନ୍ତି ନବୀନ ବାବୁ ଭଲ ଥିଲେ। ସେମାନେ ପୁଣି ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ଚାହୁଁଛନ୍ତି। ସେଥିପାଇଁ କିଛି ବର୍ଗ ଦଳଟିକୁ ଦୁର୍ବଳ କରିବାକୁ ଲାଗିଛନ୍ତି। ସେଥିରେ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ବ୍ୟାକ୍‌ଅପ୍ ଦେଉଛନ୍ତି ବିଜୟ ମହାପାତ୍ର। 

ସେହିପରି ସେ କହିଛନ୍ତି, ବିଭିନ୍ନ ସମୟରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ କିଛି ଲୋକ ଦଳ ବିରୋଧରେ କହୁଥିଲେ ହେଁ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି? ଏକ ଗଣତାନ୍ତ୍ରିକ ଦଳରେ କିଛି ଲୋକ ପ୍ରଶ୍ନ କରିବେ। କିନ୍ତୁ ସେମାନେ ଦଳଟିକୁ ଭାଙ୍ଗିବାକୁ ଉଦ୍ୟମ କରିନଥା’ନ୍ତି। ଦେବାଶିଷ ସାମନ୍ତରାୟଙ୍କ କଥାକୁ ନିଆଯାଉ। ସେ କେଉଁଠି କହି ନାହାନ୍ତି ଯେ ଦଳ ଭାଙ୍ଗାଯିବ। ଗତକାଲି ବି ସେ କହିଛନ୍ତି ନବୀନ ପଟ୍ଟନାୟକ ସବୁଠୁ ଉପରେ। ବିଜେଡି କେମିତି ଆହୁରି ଆଗକୁ ଯିବ, ସେହି କାର୍ଯ୍ୟ ସେ କରିବେ। କିଛି ଲୋକ କ୍ଷମତା ଲୋଭି। ବିଜେଡି ଶାସନକୁ ଆସିବା ପରେ ସେମାନେ ବିଜେଡିକୁ ଆସିଥିଲେ। ବିଜେଡି କ୍ଷମତାରୁ ଯିବା ପରେ ସେମାନେ ବିଜେପି କୋଳରେ ଯାଇ ବସି ପଡ଼ିଛନ୍ତି। ଏହା ଚଳିବ। କିନ୍ତୁ ଯଦି କେହି ଦଳକୁ କ୍ଷତି ପହଞ୍ଚାଇବା ପାଇଁ ଉଦ୍ୟମ କରୁଥିବାର ଆମେ ଦୃଢ଼ ପ୍ରମାଣ ପାଇବୁ, ତା’ହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିକ୍ରମରେ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 
ଲେନିନ କହିଛନ୍ତି, ବିଜେଡିକୁ ଦୁର୍ବଳ କରିବା ପାଇଁ ସନାତନ ମହାକୁଡ଼, ବିଜୟ ମହାପାତ୍ର ଓ ଅରବିନ୍ଦ ମହାପାତ୍ରଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା। କିଏ ବ୍ୟାକ୍‌ଅପ୍ ଦେବ, କିଏ ସଂଗଠିତ କରିବ ଓ କିଏ କାର୍ଯ୍ୟକାରୀ କରିବ, ତାହା ସ୍ଥିର ହୋଇସାରିଥିଲା। ଯେତେବେଳେ ଏହା ସ୍ପଷ୍ଟ ହୋଇଗଲା, ଏହି ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା। 

ଅରବିନ୍ଦ ମହାପାତ୍ର ପ୍ରମାଣ ମାଗିବା ସନ୍ଦର୍ଭରେ ଲେନିନ ମହାନ୍ତି କହିଛନ୍ତି ଯେ ସେ କୋର୍ଟକୁ ଯାଉନାହାନ୍ତି। ଯେଉଁଠି ଦରକାର ସେଠାରେ ଆମେ ପ୍ରମାଣ ଦେବୁ। ସେଥିରେ କିଛି ଅସୁବିଧା ନାହିଁ। ବାହାରକୁ ନିରୀହ ଦେଖାଯାଉଥିବା ସମସ୍ତ ବ୍ୟକ୍ତି ସରଳ ନୁହନ୍ତି ବୋଲି ସେ ଅରବିନ୍ଦଙ୍କ ଉଦ୍ଦେଶ୍ୟରେ କହିଛନ୍ତି।   

ବିଜେଡି ତରଫରୁ ଏହି ପ୍ରତିକ୍ରିୟା ଆସିବା ପରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି, ମୁଁ ସ୍ପଷ୍ଟ ଭାବେ କହି ରଖିବାକୁ ଚାହେଁ ବିଧାନସଭାରେ କିଛି ସମୟ ପାଇଁ ସନାତନ ମହାକୁଡ଼ଙ୍କ ସହିତ ମୋର ଦେଖାସାକ୍ଷାତ ହୋଇଛି। ଦେଖା ହେଲେ ନମସ୍କାର କରେ। କିନ୍ତୁ ତାଙ୍କ ସହିତ କେବେ ବିଧାନସଭା ଲବିରେ ବି ବସି କଥା ହୋଇନି। ତେଣୁ ଅଯଥା ଟଣାଟଣି କରି କଥାକୁ ଯୋଡ଼ିବାକୁ ଚେଷ୍ଟା କରାଯାଉଛି। ସେହିପରି ମୁଁ ବାରମ୍ବାର କହିଛି ଯେ ବିଜୟ ମହାପାତ୍ରଙ୍କୁ ଏ ଭିତରକୁ ଟାଣନ୍ତୁ ନାହିଁ। ତାଙ୍କର କୌଣସି ସଂପୃକ୍ତି ନାହିଁ। ସେ ବିଜେଡିରେ ନାହାନ୍ତି କି ଦଳକୁ ନେଇ ତାଙ୍କର କୌଣସି ଆଗ୍ରହ ନାହିଁ। କେଉଁ ସବୁ ବିଧାୟକମାନଙ୍କ ସହିତ ମୁଁ ବସାଉଠା କରୁଥିଲି, ତା’ର ତଥ୍ୟ ଦିଅନ୍ତୁ। କେଉଁଠି ଓ କେତେବେଳେ ସେମାନଙ୍କ ସହିତ ମୁଁ ମିଶିଥିଲି କୁହନ୍ତୁ। ଭୁଲ ଭୁଲୈୟା କାହାଣୀ ନକହି ସିଧାସଳଖ ଉତ୍ତର ରଖିଲେ ଠିକ୍ ହେବ। 

ଅରବିନ୍ଦ କହିଛନ୍ତି, ବିଜୟ ମହାପାତ୍ରଙ୍କର କୌଣସି ସଂପୃକ୍ତି ନାହିଁ। ତେଣୁ ସେ ବ୍ୟାକ୍‌ଅପ୍ ଦେବା କଥା ଉଠୁଛି କେଉଁଠୁ। ଯିଏ ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିଲେ ବୋଲି କୁହାଯାଉଛି, ତାଙ୍କ (ସନାତନ ମହାକୁଡ଼) ସହିତ ବିଧାନସଭାରେ ହିଁ କେବଳ ଦେଖା ହୁଏ, ତାହା ପୁଣି ବହୁତ୍ କମ୍ ସମୟରେ। ମୁଁ ସଂଗଠିତ କରିବା ଦାୟିତ୍ୱରେ ଥିଲି ବୋଲି କୁହାଯାଉଛି। ମୁଁ ପ୍ରଥମ ଥର ବିଧାୟକ ହୋଇଛି। ମୁଁ ମୋ ନିର୍ବାଚନ ମଣ୍ଡଳୀ ପାଟକୁରାରେ ସଂଗଠନ କରୁଛି। ପାଟକୁରା ବାହାରେ କୌଣସି ସଂଗଠନରେ ମୋର ସଂପୃକ୍ତି ନାହିଁ। ମୋର ଏଥିପ୍ରତି କୌଣସି ଆଗ୍ରହ ନାହିଁ। ବିଧାୟକ ହୋଇଛି। ନିଜ ନିର୍ବାଚନ ମଣ୍ଡଳୀ ସମ୍ଭାଳିବାକୁ ହେବ। ବିଧାନସଭାରେ ନିଜ ନିର୍ବାଚନ ମଣ୍ଡଳୀ କଥା ଉଠାଇବି। ରାଜ୍ୟର ବଡ଼ ସମସ୍ୟା ବିଷୟ ଉଠାଇବି। ଏତିକି ଭିତରେ ମୁଁ ସୀମିତ ହୋଇ ରହିଛି। ତେଣୁ ଏହି ଯେଉଁ ସଂଗଠିତ କରିବା ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଥିଲା ବୋଲି କୁହାଯାଉଛି, ତାହା ଭିତ୍ତିହୀନ। ଏହା ପଛରେ କିଛି ତଥ୍ୟ ନାହିଁ। ଭିତ୍ତିହୀନ ଅଭିଯୋଗ କରନ୍ତୁ ନାହିଁ। ଯାହା ଅଭିଯୋଗ ଆଣିଛନ୍ତି, ତାକୁ ସାବ୍ୟସ୍ତ କରନ୍ତୁ। ତା’ପରେ ନୂଆ ଅଭିଯୋଗ ଆଣନ୍ତୁ। 

ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି, ୧୮ ମାସ ହେଲା ମୁଁ ବିଧାୟକ ହୋଇଛି। ବ୍ଳକରେ ଦୁର୍ନୀତି ବନ୍ଦ କରିବାକୁ ଯେତେକି ଚେଷ୍ଟା କରିବା କଥା କରିଛି। ଏ ନେଇ ଗୋଟିଏ ସର୍ଭେ ହେଉ। ଆଗରୁ ଦୁର୍ନୀତି ହେଉଥିଲା ନା ନାହିଁ ଓ ବର୍ତ୍ତମାନର ସ୍ଥିତି କ’ଣ, ତାହା ସ୍ପଷ୍ଟ ହୋଇଯିବ। ମୁଁ ଖୋଲାଖୋଲି ଭାବେ ଏହି ଚ୍ୟାଲେଞ୍ଜ ଦେଉଛି। ମୁଁ ମନ୍ତ୍ରୀ ନୁହେଁ କି ଅଖଣ୍ଡ କ୍ଷମତାର ଅଧିକାରୀ ନୁହେଁ ଯେ ମୁଁ ଯାହା ଚାହିଁବି, ତାହା କରିବି। ତେଣୁ ଏହା ବି ଏକ ଭିତ୍ତିହୀନ ଅଭିଯୋଗ। ବେକାର କଥା କୁହନ୍ତୁ ନାହିଁ। ଯଦି ଗଣମାଧ୍ୟମକୁ ଆସୁଛନ୍ତି, ତା’ହେଲେ ମୋତେ ଜଣାନ୍ତୁ ମୁଁ କ’ଣ ଭୁଲ କରିଛି। ରାଜ୍ୟବାସୀ ମଧ୍ୟ ବାସ୍ତବ କଥା ଜାଣିବାକୁ ଚାହୁଁଛନ୍ତି। ଯଦି ୩/୪ ମାସ ହେଲାଣି ମୁଁ କୌଣସି ଷଡ଼ଯନ୍ତ୍ରରେ ସାମିଲ ଅଛି ବୋଲି ଦଳ ଜାଣିଥିଲା, ତା’ହେଲେ ଆଗରୁ କହିଲା ନାହିଁ କାହିଁକି? ତେଣୁ ଏସବୁ ମିଛ କଥା।