ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ବିଦ୍ରୋହ। ପାଟକୁରାର ଶହ ଶହ ବିଜେଡି କର୍ମୀ ଆଜି ଶ୍ରୀ ମହାପାତ୍ରଙ୍କ ସମର୍ଥନରେ ବାହାରି ଭୁବନେଶ୍ୱରରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଘେରାଉ କରିଛନ୍ତି। ସେମାନେ କେବଳ ଦଳରୁ ବିଧାୟକଙ୍କ ନିଲମ୍ବନ ବିରୋଧରେ ପ୍ରତିବାଦ କରି ନାହାନ୍ତି, ସଭାପତି ନବୀନ ପଟ୍ଟନାୟକ ତୁରନ୍ତ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରନ୍ତୁ ବୋଲି କହିଛନ୍ତି। ନିଷ୍ପତ୍ତି ନବଦଳିଲେ ସେମାନେ ବିଧାୟକଙ୍କ ସହିତ ରହିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶଙ୍ଖ ଭବନରେ ଦଳର ବରିଷ୍ଠ ନେତାମାନେ ସେମାନଙ୍କ ସହିତ ଆଲୋଚନା କରି ଏହି ପ୍ରସଙ୍ଗରେ ସଭାପତିଙ୍କ ସହିତ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ପାଟକୁରାବାସୀଙ୍କୁ ହଇରାଣ କରିଥିବାରୁ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଦୁଇ ଦିନ ତଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ ଓ ଏନେଇ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କ ଉଦ୍ୟମ ବିଫଳ ହୋଇଛି। ନିଲମ୍ବନ ପରଠାରୁ ବିଧାୟକ ଶ୍ରୀ ମହାପାତ୍ର ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ପ୍ରମାଣ ମାଗୁଥିବା ବେଳେ ଆଜି ପାଟକୁରାର ଶହ ଶହ ଦଳୀୟ କର୍ମୀ ତାଙ୍କ ସମର୍ଥନରେ ବାହାରି ପ୍ରମାଣ ମାଗିଛନ୍ତି, ତାହା ପୁଣି ଶଙ୍ଖ ଭବନ ଘେରାଉ କରି।
ଆଜି ଶଙ୍ଖ ଭବନ ଘେରାଉ କରିବାକୁ ଆସିଥିବା ବିଜେଡି କର୍ମୀମାନେ କହିଛନ୍ତି ଯେ ସେମାନେ କେବଳ ଅରବିନ୍ଦଙ୍କ ସମର୍ଥକ ନୁହନ୍ତି। ସେମାନେ ସମସ୍ତେ ବିଜେଡିର କର୍ମୀ। ବିଧାୟକଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେମାନେ କହିଛନ୍ତି। ସେ ବିଜେଡିରେ ମିଶିବା ପରଠାରୁ ସେମାନେ ତାଙ୍କ ସହିତ ଅଛନ୍ତି। ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି। ସେ ଦୁର୍ନୀତି କରି ନାହାନ୍ତି କି ଦଳ ସହ ବିଶ୍ୱାସଘାତ କରି ନାହାନ୍ତି। ଏ ସବୁ ମିଥ୍ୟାଭିଯୋଗ। ବିଧାୟକଙ୍କ ସହିତ କେବଳ ଗୋଟିଏ ଜିନିଷ ଘଟିଛି। ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇଛି।
ସେହିପରି ବିଧାୟକ ଶ୍ରୀ ମହାପାତ୍ର ପାଟକୁରାବାସୀଙ୍କ ସେବା କରିବା ବଦଳରେ ସେମାନଙ୍କୁ ହଇରାଣ କରୁଥିବା ନେଇ ସଭାପତି ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ଦଳୀୟ କର୍ମୀମାନେ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା କଥା ଯେ ଯଦି ବିଧାୟକ ହଇରାଣ କରୁଥା’ନ୍ତେ, ତା’ହେଲେ ଆଜି ଦଳର ଏତେ କର୍ମୀ କାହିଁକି ଏଠାରେ ଏକାଠି ହୋଇଥା’ନ୍ତେ।
ଏମିତିକି ଶଙ୍ଖ ଭବନ ଘେରାଉ କରିବାକୁ ଆସିଥିବା ବିଜେଡିର ଏହି କର୍ମୀଙ୍କ ମଧ୍ୟରୁ କେହି କେହି ନବୀନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ପଚାରିଛନ୍ତି ଯେ ନବୀନ ଏକ କର୍ପୋରେଟ୍ ସଂସ୍ଥାର ମୁଖ୍ୟ କି? ସେ ଏକ ରାଜନୀତିକ ଦଳର ମୁଖ୍ୟ। ତା’ହେଲେ ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ସେମାନଙ୍କ ମତାମତ କାହିଁକି ନେଲେ ନାହିଁ। କାହିଁକି କୁଚକ୍ରୀ ଗୋଷ୍ଠୀଙ୍କ କଥା ଶୁଣି ଏକପାଖିଆ ନିଷ୍ପତ୍ତି ଶୁଣାଇଲେ?
ଅରବିନ୍ଦଙ୍କ ଏହି ସମର୍ଥକ ତଥା ବିଜେଡି କର୍ମୀମାନଙ୍କ ମଧ୍ୟରୁ ଆଉ କିଛି ଜଣ ଖୋଲା ଖୋଲି ଭାବେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ସେମାନେ କହିଛନ୍ତି ଯେ ଅତନୁ ଜାଣିଗଲେଣି ଯେ ମହାକାଳପଡ଼ାରେ ଆଉ ତାଙ୍କ ଭବିଷ୍ୟତ ନାହିଁ। କାରଣ ସେଠାରେ ବିଧାୟକ ହୋଇଥିବା ବିଜେପିର ଦୁର୍ଗା ପ୍ରସନ୍ନ ନାୟକ ନିଜ ସ୍ଥିତିକୁ ବେଶ୍ ଦୃଢ଼ କରିସାରିଛନ୍ତି। ସେଥିପାଇଁ ପାଟକୁରା ଉପରେ ସେ ଆଖି ପକାଇଛନ୍ତି। ଆଗାମୀ ଦିନରେ ପାଟକୁରାରୁ ନିର୍ବାଚନ ଲଢ଼ିବାକୁ ସେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ବିରୋଧରେ ଚକ୍ରାନ୍ତ କରିଛନ୍ତି।
ଶଙ୍ଖ ଭବନ ଘେରାଉ କରିଥିବା ବିଜେଡିର ଏହି ଶହ ଶହ କର୍ମୀଙ୍କ ଏକ ଟିମ୍ ସେମାନଙ୍କ ଦାବି ସଂପର୍କରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରତା ଜେନା ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ପରେ ସେମାନେ କହିଥିଲେ ଯେ ପ୍ରତାପ ଜେନା ଓ ଦେବୀ ପ୍ରସାଦ ମିଶ୍ର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ପୁନର୍ବିଚାର କରିବାକୁ ସେମାନେ ସମୟ ମାଗିଛନ୍ତି। ପୁନର୍ବିଚାର କରାଯିବ ବୋଲି ସେମାନେ କହିଛନ୍ତି। ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି। କିନ୍ତୁ ଏନେଇ କୌଣସି ସମୟ ସୀମା ଦେଇ ନାହାନ୍ତି।
ସେମାନେ ଆହୁରି କହିଛନ୍ତି ଯେ ସେମାନେ ଏକ ଫୋରମ ଦେଇ ଯିବାକୁ ଚାହୁଁଥିଲୁ। ତେଣୁ ଆଜି ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ଦାବି ଜଣାଇଛୁ। ଆମର ଯୋଜନା ଥିଲା ଦଳର ସଭାପତିଙ୍କୁ ଭେଟି ଦାବି ଜଣାଇବାକୁ। କିନ୍ତୁ ତାହା ସମ୍ଭବ ହୋଇପାରିନାହିଁ।
ନବୀନ ନିଷ୍ପତ୍ତି ନବଦଳେଇଲେ ସେମାନେ କ’ଣ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ବିଜେଡିର ଏକ କର୍ମୀମାନେ କହିଛନ୍ତି ଯେ ସେମାନେ ଏବେ ବିଜେଡିରେ ଅଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ଓ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସହିତ ଅଛନ୍ତି। କିନ୍ତୁ ସେମାନଙ୍କ ନିଷ୍ପତ୍ତି ପୂରା ସ୍ପଷ୍ଟ। ଯଦି ନିଲମ୍ବନ ଆଦେଶ ପ୍ରତ୍ୟାହାର ନହୁଏ, ତା’ହେଲେ ସେମାନେ ବିଧାୟକଙ୍କ ସହିତ ରହିବେ।
ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକମାନେ ପାଟକୁରାରୁ ଭୁବନେଶ୍ୱର ଆସୁଥିବା ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ନବୀନ ନିବାସର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ନଉପୁଜିବ, ସେଥିପାଇଁ ନବୀନ ନିବାସର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/23/bjd-worker-2026-01-23-17-51-15.jpg)