ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଗଣମାଧ୍ୟମ ଆଗରେ ମୁହଁ ଖୋଲି ପୁଲିସ୍ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ଆଜି ବି ଗଣମାଧ୍ୟମ ଆଗରେ ନିଜ କଥା କହିଛନ୍ତି। ମୁଁ ଇଡିକୁ ଅପେକ୍ଷା କରିଥିଲି, ଇଡି ଆଗରେ ସବୁ ସତ କହିବି ବୋଲି ଆଜି ରିମାଣ୍ଡରେ ଯିବା ବେଳେ କହିଛନ୍ତି ଅର୍ଚ୍ଚନା। ହେଲେ ଏଥିରେ କିଏ ତାଙ୍କୁ ଫସାଇଛି ସେ ନେଇ କିଛି କହି ନ ଥିବା ବେଳେ ଇଡି ଆଗରେ କିନ୍ତୁ ସବୁ ସତ ଉଗାରିଦେବାର ବହୁତ ସମ୍ଭାବନା ଥିବା ଚର୍ଚ୍ଚା ହେଉଛି। ଅର୍ଚ୍ଚନାଙ୍କ ଏପରି ପ୍ରତିକ୍ରିୟା ଶୁଣି ସେ ଇଡି ଆଗରେ କିଛି ବଡ଼ବଡ଼ିଆଙ୍କ ନାଁ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ଏବେଠୁ ବହୁ ବଡ଼ବଡ଼ିଆଙ୍କ ଛାତିରେ ଛନକା ପଶିଥିବା ଜଣାଯାଇଛି।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜି ରିମାଣ୍ଡରେ ନେଇଛି ଇଡି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଜଣେ ଇଡି ଅଧିକାରୀ ଝାରପଡ଼ା ଜେଲ୍ରେ ପହଞ୍ଚି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ନିମନ୍ତେ କାଗଜପତ୍ର ଦେଖାଇଥିଲେ। ଏହାପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ଝାରପଡ଼ା ଜେଲ୍ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟରେ ଅର୍ଚ୍ଚନାଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରପଡ଼ା ଜେଲ୍ରୁ ବାହାର କରି ପୁଲିସ୍ ଭ୍ୟାନ୍ରେ ବସା ଯାଇଥିଲା। ସେଠାରୁ ସିଧାସଳଖ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଅପେକ୍ଷାରତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଅର୍ଚ୍ଚନା ଇଡି ଆଗରେ ସବୁ ସତ କହିବେ ବୋଲି କହିଛନ୍ତି।
ଗତକାଲି କୋର୍ଟରେ ହାଜର ହେବା ବେଳେ ପୁଲିସ୍ ଉପରେ ଗର୍ଜିଥିବା ଅର୍ଚ୍ଚନା ସୋ’ କଲ୍ଡ ଭିକ୍ଟିମମାନେ କୁଆଡ଼େ ଗଲେ ବୋଲି ପଚାରିଥିଲେ। ଆଜିଠୁ ଅର୍ଚ୍ଚନା ୭ ଦିନିଆ ରିମାଣ୍ଡରେ ଇଡି ଅର୍ଥାତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ଯାଉଥିବାରୁ ବହୁ ବଡ଼ ବଡ଼ିଆଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ କରିଥିବା ଜଣାଯାଇଛି। କାରଣ ସିବିଆଇ ତଦନ୍ତ ହେଲେ ସବୁ ସତ ପଦାକୁ ଆସିବ ବୋଲି ଗତକାଲି କହିଥିବା ଅର୍ଚ୍ଚନାଙ୍କଠାରୁ ଇଡି ଏବେ କେଉଁ କେଉଁ ସତ ଉଗାରି ପାରୁଛି ତାହା ଉପରେ ସମସ୍ତଙ୍କ ଆଖି।
ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ ମାମଲାରେ ଇଡି ଏଯାଏ ୧୧ ଜଣଙ୍କୁ ପଚରାଉଚରା କରି ସାରିଲାଣି। ସେମାନଙ୍କ ମଧ୍ୟରେ ପ୍ରଯୋଜକ, ଜମି ବ୍ୟବସାୟୀ, ହୋଟେଲ ବ୍ୟବସାୟୀ, ଠିକାଦାର, ଆର୍କ୍ଟିଟେକ, ଜମି ମାଲିକ ପ୍ରମୁଖ ସାମିଲ ଅଛନ୍ତି। ହେଲେ ଏ ଯାଏ କୌଣସି ବଡ଼ ବଡ଼ିଆ ନେତା କି ଅଫିସରଙ୍କୁ ହାତ ମାରିନି ଇଡି।
ଆଉ ବଡ଼ ବଡ଼ିଆ ନେତା ଓ ଅଫିସରଙ୍କ ସାହାଯ୍ୟ ସହଯୋଗ ବିନା ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରୁ ଆସି ରାଜଧାନୀରେ ଏତେ ବଡ଼ ସାମ୍ରାଜ୍ୟ ଛିଡ଼ା କରାଇବା କାଠିକର ପାଠ। ତେଣୁ ଅର୍ଚ୍ଚନାଙ୍କ ନାଗଫାଶରେ କେଉଁ କେଉଁ ବଡ଼ ମୁଣ୍ଡ ସାମିଲ ଅଛନ୍ତି, ସେମାନଙ୍କଠାରୁ ଅର୍ଚ୍ଚନା କେଉଁ ବାଟରେ ଓ କେତେ ଟଙ୍କା ଆଦାୟ କରିଛନ୍ତି ତାହାକୁ ନେଇ ଘାଣ୍ଟିବ ଇଡି। ଏପରିକି କ’ଣ ପାଇଁ ବଡ଼ ବଡ଼ ମୁଣ୍ଡ ଅର୍ଚ୍ଚନାଙ୍କୁ ମୋଟା ଅଙ୍କର ଅର୍ଥ ଦେଉଥିଲେ, ତାହାର ବି ଉତ୍ତର ଖୋଜିବାକୁ ଚେଷ୍ଟା କରିବ ଇଡି। ୩ ବର୍ଷ ଭିତରେ ଅର୍ଚ୍ଚନା କିପରି ନିଜ କୋଟି କୋଟି ଟଙ୍କାର କଳା ସାମ୍ରାଜ୍ୟ ଛିଡ଼ା କରିପାରିଥିଲେ, ତାହାର ରହସ୍ୟ ଭେଦ କରିବାକୁ ଚେଷ୍ଟା କରିବ ଇଡି।
ଏହାବାଦ, ଗତକାଲି କମିଶନରେଟ ପୁଲିସ୍ ଉପରେ ଗର୍ଜିଥିବା ଅର୍ଚ୍ଚନା ତାଙ୍କୁ ବିନା ନୋଟିସରେ ବାଲିଅନ୍ତା ଥାନାରେ ୬୦ ଘଣ୍ଟା ନଜରବନ୍ଦୀ ରଖାଯାଇଥିବା ଅଭିଯୋଗ କରିଥିଲେ। କମିଶନରେଟ ପୁଲିସ୍ ଅର୍ଚ୍ଚନାଙ୍କୁ ଫସାଇ ବଡ଼ ବଡ଼ିଆଙ୍କୁ ଖସାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଥିବା ବେଳେ ସେ ଏହା ଉପରୁ ପରଦା ହଟାଇବେ।
ସୂଚନାଯୋଗ୍ୟ, ଝାରପଡ଼ା ଜେଲ୍ରେ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଆସନ୍ତାକାଲି କୋର୍ଟରେ ହାଜର ହେବାକୁ ଥିବା ବେଳେ ତାଙ୍କୁ ବି ରିମାଣ୍ଡରେ ନେବାକୁ ଇଡି ଯୋଜନା କରୁଥିବା ଜଣାଯାଇଛି। ଏହାପରେ ନାଗ-ଚାନ୍ଦ ଦମ୍ପତିଙ୍କୁ ମୁହାଁମୁହିଁ ଜେରା କରାଯାଇପାରେ।