ଏମାନେ କ’ଣ ସୁପରସ୍ପ୍ରେଡର ନୁହଁନ୍ତି, କିଏ ଲଗାଇବ ଅଙ୍କୁଶ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇ ମୃତ୍ୟୁ ସଂଖ୍ୟା ୫ଶହ ଟପିଲାଣି। ଦୈନିକ ପ୍ରାୟ ୩ହଜାରରୁ ବେଶୀ ଲୋକ ସଂକ୍ରମିତ ହେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ କରୋନାର ପ୍ରକୋପ ଏବେ ଚରମସୀମାରେ ଥିବାବେଳେ କିଛି ନିର୍ଦ୍ଧିଷ୍ଟ ଅଫିସର ଓ ନେତାମାନେ ଏବେ ନିଜର ଦାୟିତ୍ୱହୀନତା ଆଚରଣ ଯୋଗୁ ସୁପରସ୍ପ୍ରେଡର ହେବାର ଆଶଙ୍କା ସୃଷ୍ଟି ହୋଇଛି। କରୋନା ମହାମାରୀ ସଂକ୍ରମଣ ପାଇଁ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନକୁ ଲୋକଙ୍କ ପ୍ରତି ଲୋକଙ୍କୁ […]

690

Tapas Behera
  • Published: Tuesday, 01 September 2020
  • , Updated: 01 September 2020, 09:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇ ମୃତ୍ୟୁ ସଂଖ୍ୟା ୫ଶହ ଟପିଲାଣି। ଦୈନିକ ପ୍ରାୟ ୩ହଜାରରୁ ବେଶୀ ଲୋକ ସଂକ୍ରମିତ ହେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ କରୋନାର ପ୍ରକୋପ ଏବେ ଚରମସୀମାରେ ଥିବାବେଳେ କିଛି ନିର୍ଦ୍ଧିଷ୍ଟ ଅଫିସର ଓ ନେତାମାନେ ଏବେ ନିଜର ଦାୟିତ୍ୱହୀନତା ଆଚରଣ ଯୋଗୁ ସୁପରସ୍ପ୍ରେଡର ହେବାର ଆଶଙ୍କା ସୃଷ୍ଟି ହୋଇଛି।

କରୋନା ମହାମାରୀ ସଂକ୍ରମଣ ପାଇଁ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନକୁ ଲୋକଙ୍କ ପ୍ରତି ଲୋକଙ୍କୁ ସଚେତନ କରାଇବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧା ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଛି। କିନ୍ତୁ ଶାସକ ଦଳର ରାଜନେତା ଓ ଅଫିସରମାନେ ଏଭଳି ସରକାରୀ ଗାଇଡଲାଇନକୁ ଖୋଦ୍ ଉଲ୍ଲଘଂନ କରୁଥିବା ଜଣାପଡ଼ିଛି। ବିଜେଡିର ଅଧିକାଂଶ ବିଧାୟକ ଏବେ ଜଣକପରେ ଜଣେ କରୋନା ସଂକ୍ରମିତ ହେଉଥିବାବେଳେ ସେମାନଙ୍କ ଦାୟିତ୍ୱହୀନ ଆଚରଣ ଯୋଗୁ ସାଧାରଣ ଲୋକମାନେ ବି ସଂକ୍ରମିତ ହେବାର ଆଶଙ୍କା ରହିଛି। ବନ୍ୟାଂଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଗତ ଦୁଇଦିନ ତଳେ ମୁତୟନ ଥିବା ବରୀର ବିଧାୟିକା ସୁନନ୍ଦା ଦାସ ଆଜି ନିଜକୁ କରୋନା ସଂକ୍ରମିତ ବୋଲି ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛନ୍ତି। ବିଗତ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇ ନେବା ଓ ସଙ୍ଗରୋଧରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଯଦିଓ ଶ୍ରୀମତୀ ଦାସ ଗତ ଦୁଇଦିନ ତଳେ ରସୁଲପୁର ବ୍ଲକର ସରକାରୀ ଅଧିକାରୀମାନଙ୍କ ସହ ବ୍ରହ୍ମବରଦା, ମହେଶ୍ୱରପୁର,ବନ୍ଧଡିହ ବନ୍ୟା ପ୍ରଭାବିତ ଅଂଚଳକୁ ବୁଲି ଲୋକମାନଙ୍କୁ ଭେଟିଥିଲେ।

ସେହିପରି ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କୁ ବାଲେଶ୍ୱର ଜିଲ୍ଲାର ବନ୍ୟା କ୍ଷୟକ୍ଷତି, ରିଲିଫ ଓ ଉଦ୍ଧାର କାର୍ଯ୍ୟର ତ୍ୱରାନ୍ୱିତ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ ହୋଇଥିଲା। ସେ ରବିବାର ବାଲେଶ୍ୱର ଗସ୍ତରେ ଯାଇ ବସ୍ତା,ଜଳେଶ୍ୱର,ଭୋଗରାଇ ଓ ସଦର ବ୍ଲକର ବନ୍ୟାଂଚଳ ବୁଲିବା ସହ ସାଧାରଣ ଲୋକଙ୍କୁ ଭେଟିଥିଲେ । ତା’ପରେ ଜିଲ୍ଲା ପଦାଧିକାରୀଙ୍କ ସହ ସମୀକ୍ଷା ମଧ୍ୟ କରିଥିଲେ। କିନ୍ତୁ ଆଜି(ମଙ୍ଗଳବାର) ସେ କରୋନା ସଂକ୍ରମିତ ହୋଇ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

କେବଳ ଏହି ଦୁଇ ଜଣ ନୁହଁନ୍ତି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଗତ ୪ଦିନ ଧରି ବନ୍ୟାଂଚଳରେ ବିଭିନ୍ନ ଲୋକଙ୍କୁ ଭେଟୁଛନ୍ତି। ଯଦିଓ ସେ ୨୬ତାରିଖରେ ବିଜେଡିର ଯୁବ ଓ ଛାତ୍ର ସଂଗଠନର ଦଳୀୟ କାର୍ଯ୍ୟକ୍ରମ(ଭର୍ଚୁଆଲ)ରେ ଏକାଠି ଗୋଟିଏ ମଂଚରେ ବିଧାୟକ ବ୍ୟୋମକେଶ ରାୟଙ୍କ ପାଖରେ ବସିଥିବାର ଫଟୋଚିତ୍ର ଦଳ ପକ୍ଷରୁ ଦିଆଯାଇଥିଲା। ଆଉ ଚାନ୍ଦବାଲି ବିଧାୟକ ଶ୍ରୀ ରାୟ ନିଜକୁ ୨ଦିନ ତଳେ କରୋନା ସଂକ୍ରମିତ ବୋଲି ଘୋଷଣା କରିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇବା ସହ ସଙ୍ଗରୋଧରେ ରହିବା ନିମନ୍ତେ ପରାମର୍ଶ ଦେଇଛନ୍ତି। କିନ୍ତୁ ପ୍ରଣବ ବଳବନ୍ତରାୟ ସତର୍କତାମୂଳକ ପଦକ୍ଷେପ ନେବାକୁ ଉଚିତ୍ ମଣିନାହାନ୍ତି।
ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର, ସୁଶାନ୍ତ ରାଉତ, ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଏବେ କରୋନା ସଂକ୍ରମିତ ଥିବାବେଳେ ମନ୍ତ୍ରୀ ସୁଶାନ୍ତ ସିଂ ସୁସ୍ଥ ହୋଇଥିବା ନିଜେ ଘୋଷଣା କରିଛନ୍ତି।
ତେବେ ପ୍ରଶ୍ନଉଠୁଛି, ଶାସକ ଦଳର ଏହି ନେତାମାନେ ଯଦି ସରକାରୀ ନିୟମ ପାଳନ କରି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି ତା’ହେଲେ ସେମାନେ ସଂକ୍ରମିତ ହେଉଛନ୍ତି କେମିତି? ଯେଉଁ ନେତା ବା ଅଫିସରମାନେ ନିଜେ ସଂକ୍ରମିତ ହେଉଛନ୍ତି, ସେମାନେ ନିଜଆଡ଼ୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସାଧାରଣ ଲୋକଙ୍କ କୋଭିଡ୍ ନମୂନା ପରୀକ୍ଷା ଦିଗରେ ପଦକ୍ଷେପ ନେଉଛନ୍ତି କି? ଅବାପୁଣି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ଯେଭଳି ସଂକ୍ରମଣର ବାହକ (ସୁପରସ୍ପ୍ରେଡର) ନହେବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି କି? ଏସବୁ ଦିଗ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା।

Related story