ଖୋର୍ଦ୍ଧା: ଆସନ୍ତାବର୍ଷ ଆଇଆଇଟି ଅରଗୁଳୁ କ୍ୟାମ୍ପସ୍ କାମ ସରିବା ପରେ ନୂଆ କ୍ୟାମ୍ପସରେ ପିଲାଙ୍କ ପାଠପଢା ଆରମ୍ଭ ହେବ । ଆଜି ଅରଗୁଳୁ ଆଇଆଇଟି କ୍ୟାମ୍ପସରେ ୮୦୦ଛାତ୍ରଙ୍କ ପାଇଁ ନବନିର୍ମିତ ଛାତ୍ରାବାସ ଓ ଏକ ଅଡିଟୋରିୟମକୁ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ଭୁବନେଶ୍ୱର ଆଇଆଇଟିର ଚେୟାରମ୍ୟାନ ତଥା ବୋର୍ଡ ଅଫ ଗଭରନର୍ସ ଏସ୍.କେ. ରୁଙ୍ଗୁଟା। ଅରଗୁଳୁ ଆଇଆଇଟି ୯୩୬ ଏକର ଜମି ଉପରେ ୨୦୦୮ରୁ ଆରମ୍ଭ ହୋଇଥିଲା। ଏହି କ୍ୟାମ୍ପସ ଗତ ୨୦୧୩ ଡିସେମ୍ୱର ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହାର କାମ ସରି ନ ଥିବାରୁ ଭୁବନେଶ୍ୱରରେ ଅସ୍ଥାୟୀ ଭାବେ ପାଠପଢା ହେଉଛି। ତେବେ ସୋମବାରରୁ ଅରୁଗୁଳ ଆଇଆଇଟି ନିଜସ୍ୱ କ୍ୟାମ୍ପସର ଛାତ୍ରାବାସରେ ଛାତ୍ରଛାତ୍ରୀମାନେ ରହିବା ସହିତ ବସ୍ ଯୋଗେ ପ୍ରତିଦିନ ଭୁବନେଶ୍ୱର ଯିବା ଆସିବା କରିବେ ବୋଲି ଜଣାପଡିଛି। ଆଉ ଏହାକୁ ନେଇ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ଥିବା କହିଛନ୍ତି ।