ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ଆଜି ତାଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ମଧ୍ୟ ବାନ୍ଧିଛି। ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ତଥା ଟଙ୍କା ଲୁଚାଇବାରେ ସହଯୋଗ କରିବା ଅଭିଯୋଗରେ କଳ୍ପନାଙ୍କୁ ଗିରଫ କରାଯାଇଛି।
ଗତକାଲି ଜେରା ବେଳ କଳ୍ପନା କହିଥିଲେ ଯେ ସେ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ତାଙ୍କ ଭଉଣୀ ଘରେ ଟଙ୍କା ଓ ସୁନା ଲୁଚାଇଛନ୍ତି। ଆଜି ଭୋରରେ ଭିଜିଲାନ୍ସ ଅଧିକାରୀମାନେ ସେଠାରେ ଚଢ଼ାଉ କରି ୧ କୋଟି ୪୧ ଲକ୍ଷ ୬୨ ହଜାର ୪ ଶହ ଟଙ୍କା ଜବତ କରିଥିଲେ। ଏହା ପରେ ଭିଜିଲାନ୍ସ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ (କଳ୍ପନା), ଶାଳି ଓ ପୁତୁରାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏମିତିକି ଏହି ତିନି ଜଣଙ୍କୁ କାର୍ତ୍ତିକେଶ୍ୱର ସହ ମୁହାଁମୁହିଁ ବସାଇ ଜେରା କରିଥିଲେ ଭିଜିଲାନ୍ସ ଅଧିକାରୀ। ଏହି ଜେରା ପରେ ଭିଜିଲାନ୍ସ କଳ୍ପନାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଗତ ୬ ଓ ୭ ତାରିଖରେ ଚଢ଼ାଉ ବେଳେ ଭିଜିଲାନ୍ସ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ନଗଦ ୨ କୋଟି ୩ ଲକ୍ଷ ୮୮୦ ଟଙ୍କା ଜବତ କରାଯାଇଥିଲା। ଆଉ ଏହି ଟଙ୍କାକୁ ମିଶାଇ ତାଙ୍କର ୪.୭୬ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ତେବେ ଆଜି କାର୍ତ୍ତିକେଶ୍ୱରଙ୍କ ଶାଳି (ଦ୍ୱିତୀୟ ପତ୍ନୀଙ୍କ ଭଉଣୀ)ଙ୍କ ଘରେ ଚଢ଼ାଉ ବେଳେ ଆହୁରି ୧.୪୧ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ବି କାର୍ତ୍ତିକେଶ୍ୱରଙ୍କର। ଅର୍ଥାତ୍ ତାଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା ୩.୪୫ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଗଲାଣି। ଚଢ଼ାଉ ବେଳେ ନଗଦ ଟଙ୍କା ଜବତ କରିବାରେ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ।
ସୂଚନାଯୋଗ୍ୟ, କାର୍ତ୍ତିକେଶ୍ୱରଙ୍କ ଶାଳି ସାଲିଆସାହିରେ ଘର ଭଡ଼ା ନେଇ ରହନ୍ତି। ସେ ଜଣେ ଶ୍ରମିକ। ସେହିପରି କାର୍ତ୍ତିକେଶ୍ୱରଙ୍କ କଳା ଟଙ୍କାକୁ ତାଙ୍କ ପୁତୁରା ଅଟୋରେ ବିଭିନ୍ନ ସ୍ଥାନକୁ ନେଇ ଲୁଚାଇ ରଖୁଥିଲା ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।