ଉଚ୍ଚଶିକ୍ଷା ବିଭାଗ ଲୁଚାଇଛି ବିଶ୍ୱବିଦ୍ୟାଳୟ ଅଡିଟ୍ ରିପୋର୍ଟ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ବାର୍ଷିକ ଅଡିଟ୍ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗ ପାଖରେ ରହିଛି। ବିଶ୍ୱବିଦ୍ୟାଳୟର ଅଡିଟ୍ କରିଥିବା ଲୋକାଲ୍ ଫଣ୍ଡ ଅଡିଟ୍ ନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ଏହା ଅବଗତ କରାଯାଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକର ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେଉନଥିବା ନେଇ ବିଧାୟକମାନେ ଉଦବେଗ ପ୍ରକାଶ କରିବା ପରେ ବାଚସ୍ପତି ଏନେଇ ଗତ ୩୦ ତାରିଖରେ ରୁଲିଂ ଦେଇଥିଲେ। ସୂଚନା ଅନୁସାରେ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଜୁଲାଇ […]

assembly

Manoranjan Sial
  • Published: Thursday, 01 August 2019
  • , Updated: 01 August 2019, 09:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ବାର୍ଷିକ ଅଡିଟ୍ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗ ପାଖରେ ରହିଛି। ବିଶ୍ୱବିଦ୍ୟାଳୟର ଅଡିଟ୍ କରିଥିବା ଲୋକାଲ୍ ଫଣ୍ଡ ଅଡିଟ୍ ନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ଏହା ଅବଗତ କରାଯାଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକର ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେଉନଥିବା ନେଇ ବିଧାୟକମାନେ ଉଦବେଗ ପ୍ରକାଶ କରିବା ପରେ ବାଚସ୍ପତି ଏନେଇ ଗତ ୩୦ ତାରିଖରେ ରୁଲିଂ ଦେଇଥିଲେ।

ସୂଚନା ଅନୁସାରେ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଜୁଲାଇ ୩୦ତାରିଖରେ ବିଶ୍ୱବିଦ୍ୟାଳୟ ଅଡିଟ୍ ରିପୋର୍ଟକୁ ଆସନ୍ତା ବିଧାନସଭା ଅଧିବେଶନ କାଳରେ ଉପସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାନସଭାରେ ଏହି ଅଡିଟ୍ ରିପୋର୍ଟ ଉପସ୍ଥାପନ ହେଉନଥିବା ନେଇ ବିଧାୟକମାନେ ଉଦବେଗ ବ୍ୟକ୍ତ କରିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଡକାଇ ବାଚସ୍ପତି ଶ୍ରୀ ପାତ୍ର ଏକ ବୈଠକ କରିଥିଲେ। ବାଚସ୍ପତିଙ୍କ ଏଭଳି ତାଗିଦ ଦୃଷ୍ଟିରୁ ଉଚ୍ଚଶିକ୍ଷା ବିଭାଗ ଜୁଲାଇ ୩୦ ତାରିଖରେ ଲୋକାଲ ଫଣ୍ଡ ଅଡିଟ୍ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ବିଶ୍ୱବିଦ୍ୟାଳୟଗୁଡ଼ିକର ଅଡିଟ୍ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରିଥିଲେ। ତେବେ ଉଚ୍ଚଶିକ୍ଷା ବିଭାଗର ଏହି ଅନୁରୋଧର ୨୪ଘଣ୍ଟା ମଧ୍ୟରେ ଲୋକାଲ ଫଣ୍ଡ ଅଡିଟ୍ ନିର୍ଦ୍ଦେଶାଳୟ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ଗତ ଦୁଇବର୍ଷ ଧରି ହୋଇଥିବା ସମସ୍ତ ବିଶ୍ୱବିଦ୍ୟାଳୟର ଅଡିଟ୍ ରିପୋର୍ଟକୁ ସମ୍ପୃକ୍ତ ଜିଲ୍ଲା ଅଡିଟ୍ ଅଫିସରମାନେ ଚୂଡ଼ାନ୍ତ କରି ଉଚ୍ଚଶିକ୍ଷା ବିଭାଗକୁ ଦେଇଛନ୍ତି। ଏସବୁ ଅଡିଟ୍ ରିପୋର୍ଟ ବିଭାଗ ପାଖରେ ଉପଲବ୍ଧ ନଥିଲେ ଅବଗତ କରାଇବାକୁ ଲୋକାଲ ଫଣ୍ଡ ଅଡିଟ୍ ନିର୍ଦ୍ଦେଶାଳୟ କହିଛି।

ସୂଚନାଯୋଗ୍ୟ, ରାଜ୍ୟର ୧୨ଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ଯଥା ଉତ୍କଳ ବିଶ୍ୱବିଦ୍ୟାଳୟ, ଓୟୁଏଟି, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୁର୍ଲା ଭିଏସଏସ୍ ବୈଷୟିକ ବିଶ୍ୱବିଦ୍ୟାଳୟ, ଜିଏମ୍ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଏଫଏମ୍ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ବିପିୟୁଟି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ପୁରୀ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟର ବାର୍ଷିକ ଅଡିଟ୍ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରାଯାଇନାହିଁ।

Related story