ସ୍କୁଟି-ଅଟୋ ମୁହାଁମୁହିଁ ଧକ୍କା; ଆଖି ବୁଜିଲେ ୨ ଶିକ୍ଷୟିତ୍ରୀ

ପିପିଲି(ଦ୍ୱିତିକୃଷ୍ଣ ପଟ୍ଟନାୟକ): ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ସ୍କୁଲ ଶିକ୍ଷୟିତ୍ରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସେମାନେ ସ୍ଥାନୀୟ ପୀତବାସ ୟୁଜି ଏମ୍ଇ ସ୍କୁଲର ଶିକ୍ଷୟିତ୍ରୀ ଥିଲେ ବୋଲି ସୂଚନା ମିଳିଛି। ସେମାନେ ହେଲେ ସ୍ନେହଲତା  ସାହୁ (୪୨) ଓ ଶୁଭଲକ୍ଷ୍ମୀ ପରିଡ଼ା(୨୩)।

ଆଜି ଶନିବାର ସକାଳୁଆ ସ୍କୁଲ ଥିବାରୁ ଉଭୟ ସ୍କୁଟି ଯୋଗେ ଆସୁଥିଲେ। ଆଉ ଅଳ୍ପ ସମୟରେ ସ୍କୁଲରେ ପହଞ୍ଚି ଯାଇଥା’ନ୍ତେ। ହେଲେ ବିଧିର ନିୟମ ଥିଲା ଅଲଗା। ଦାଣ୍ଡମୁକୁନ୍ଦପୁର କେନ୍ଦ୍ରୀୟ ପ୍ରାଥମିକ ସ୍କୁଲ ସମମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ସେମାନଙ୍କର ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ

ସୂଚନାଯୋଗ୍ୟ, ଉଭୟ ସ୍ନେହଲତା ଓ ଶୁଭଲକ୍ଷ୍ମୀଙ୍କ ବାପଘର ଦାଣ୍ଡମୁକୁନ୍ଦପୁରରେ। ସଂପର୍କରେ ସେମାନେ ପିଇସୀ-ଝିଆରୀ ଥିଲେ। ସେମାନେ ପିପିଲିରେ ରହୁଥିଲେ। ସେଠାରୁ ସ୍କୁଟି ଯୋଗେ ପ୍ରତିଦିନ ସାଙ୍ଗ ହୋଇ ସ୍କୁଲ ଯିବା ଆସିବା କରୁଥିଲେ। ଦୁର୍ଘଟଣାରେ ପିଇସୀ-ଝିଆରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।