ବଡ଼ବିଲର ବିଭିନ୍ନ ୱାର୍ଡ ବୁଲିଲେ କେନ୍ଦ୍ରୀୟ ଡାକ୍ତରୀ ଦଳ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ରେ ଡେଙ୍ଗୁ ଆତଙ୍କ ଜାରି ରହିଥିବା ବେଳେ ଆଜି ଡାକ୍ତର ଗଗନ ସିଂହ ସୋନାଲ୍‌ଙ୍କ ନେତୃତ୍ୱରେ ଏକ ୬ ଜଣିଆ କେନ୍ଦ୍ରୀୟ ଡାକ୍ତରୀ ଦଳ ବିଭିନ୍ନ ୱାର୍ଡ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଡେଙ୍ଗୁର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଏଠାରେ ନିଆଯାଇଥିବା ପଦକ୍ଷେପକୁ ଏହି ଟିମ୍ ପ୍ରଶଂସା କରିଥିବା ବେଳେ ଲୋକ ସଚେତନ ନ ହେଲେ ଡେଙ୍ଗୁକୁ ରୋକା ଯାଇ ପାରିବ ନାହିଁ ବୋଲି କହିଛନ୍ତି। ଏହି ଟିମ୍ ୱାର୍ଡ ୱାର୍ଡ […]

dengu

Rakesh Mallick
  • Published: Sunday, 17 July 2016
  • , Updated: 17 July 2016, 03:15 PM IST

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ରେ ଡେଙ୍ଗୁ ଆତଙ୍କ ଜାରି ରହିଥିବା ବେଳେ ଆଜି ଡାକ୍ତର ଗଗନ ସିଂହ ସୋନାଲ୍‌ଙ୍କ ନେତୃତ୍ୱରେ ଏକ ୬ ଜଣିଆ କେନ୍ଦ୍ରୀୟ ଡାକ୍ତରୀ ଦଳ ବିଭିନ୍ନ ୱାର୍ଡ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଡେଙ୍ଗୁର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଏଠାରେ ନିଆଯାଇଥିବା ପଦକ୍ଷେପକୁ ଏହି ଟିମ୍ ପ୍ରଶଂସା କରିଥିବା ବେଳେ ଲୋକ ସଚେତନ ନ ହେଲେ ଡେଙ୍ଗୁକୁ ରୋକା ଯାଇ ପାରିବ ନାହିଁ ବୋଲି କହିଛନ୍ତି। ଏହି ଟିମ୍ ୱାର୍ଡ ୱାର୍ଡ ବୁଲି ଲୋକଙ୍କୁ ଡେଙ୍ଗୁ ନେଇ ସଚେତନ କରିଥିଲେ। ଘର ଆଖପାଖରେ ପାଣି ଜମା କରି ନ ରଖିବାକୁ କହିଥିଲେ।

ଗଗନ ସିଂହ ସୋନାଲ କହିଛନ୍ତି,“ବଡ଼ବିଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଛି। ଲୋକଙ୍କ ମଧ୍ୟରେ ଡେଙ୍ଗୁ ନେଇ ସଚେତନତା ବଢ଼ିଛି। ଯେହେତୁ ଲୋକେ ସଚେତନ ହେଲେଣି ଦେହ ଖରାପ ହେବା ମାତ୍ରେ ଡେଙ୍ଗୁ ପରୀକ୍ଷା କରିବା ପାଇଁ ଚାଲି ଯାଉଛନ୍ତି। ତେଣୁ ଆମକୁ ଲାଗୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କିନ୍ତୁ କିଛି ଦିନ ପରେ ଏହା କମି ଯିବ।”

ସେ କହିଛନ୍ତି,“ବଡ଼ବିଲରେ ଡେଙ୍ଗୁର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସଠିକ୍ ପଦକ୍ଷେପ ନିଆଯାଇଛି।”

ସେ ଆହୁରି କହିଛନ୍ତି,“ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ସ୍ୱାସ୍ଥ୍ୟ କର୍ମଚାରୀମାନେ ଲୋକଙ୍କୁ ସଚେତନ କରୁଛନ୍ତି। କିନ୍ତୁ ସେମାନେ କହୁଥିବା କଥାକୁ ଲୋକମାନେ ପାଳନ କରିବା ଉଚିତ୍। ତା’ହେଲେ ଯାଇ ଡେଙ୍ଗୁକୁ ପ୍ରତିହତ କରି ହେବ।”

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଞ୍ଚଳିକ ଅଫିସର ଭେକ୍ଟର କଣ୍ଟ୍ରୋଲ୍ କନ୍‌ସଲଟାଣ୍ଟ ସୁମନ ଖତ୍ରୀ କହିଛନ୍ତି,“ଡେଙ୍ଗୁର ରୋଗ ପାଇଁ କୌଣସି ଔଷଧ ନ ଥିବାରୁ ଆମେ ଏହାର ନିରାକରଣ ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ଗତ ୪ ତାରିଖରୁ ଆମେ ବଡ଼ବିଲରେ ଡେଙ୍ଗୁ ନିରାକରଣ ନେଇ ଅଭିଯାନ ଆରମ୍ଭ କରିଛୁ। ମ୍ୟୁନିସିପାଲଟି, ଆଶା ଓ ଅଙ୍ଗନୱାଡି ଦିଦିଙ୍କ ସହାୟତାରେ ଗତ ୩ ଦିନ ହେବ ବିଭିନ୍ନ ୱାର୍ଡରେ ଡେଙ୍ଗୁ ନିରାକରଣ କରାଯାଉଛି। ହେଲେ କିଛି ଲୋକ ସଚେତନତା ଅଭାବରୁ ଟାୟାର ଗୁଡ଼ିକୁ ଛାତ ଉପରେ ରଖୁଛନ୍ତି। ପ୍ରତିଦିନ ବର୍ଷା ହେଉଥିବାରୁ ଟାୟାର ଗୁଡ଼ିକରେ ପାଣି ଜମି ରହି ମଶାଙ୍କ ବଂଶ ବୃଦ୍ଧି ହେଉଛି। ଆଜି ପର୍ଯ୍ୟନ୍ତ ଏଠାକାର ଲୋକମାନେ ଠିକ୍‌ସେ ବୁଝି ପାରି ନାହାନ୍ତି। ପୂର୍ବରୁ ୭୦ ପ୍ରତିଶତ ଲୋକଙ୍କ ରକ୍ତ ନମୂନାରୁ ଡେଙ୍ଗୁ ପିଜିଟିଭ୍ ଆସୁଥିଲା। ଗତକାଲିର ରିପୋର୍ଟ ଅନୁସାରେ ବଡ଼ବିଲ୍‌ରେ ଡେଙ୍ଗୁର ସ୍ଥିତି ୧୭ ପ୍ରତିଶତ ରହିଛି। ମୁଁ’ ଅନୁରୋଧ କରୁଛି କୁଲରରେ ଜମି ରହୁଥିବା ପାଣି ଓ ଫ୍ରିଜ୍‌ରେ ବାହାରୁଥିବା ପାଣି ସବୁଦିନ ପରିସ୍କାର କରନ୍ତୁ।”

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧,୧୦୦ ଟପି ଥିବା ବେଳେ କେନ୍ଦୁଝର ଜିଲ୍ଲାରେ ସ୍ଥିତି ଜଟିଳ ରହିଛି। ଜିଲ୍ଲାର ବଡ଼ବିଲ ପରେ ଯୋଡ଼ା ଅଞ୍ଚଳକୁ ଡେଙ୍ଗୁ ବ୍ୟାପିଛି। ବଡ଼ବିଲରେ ପରୀକ୍ଷା ହୋଇଥିବା ୨,୨୨୯ ରନ୍ତ ନମୂନାରୁ ୭୨୩ଟି ପଜିଟିଭ ଆସିଛି।

କଟକରେ ମଧ୍ୟ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। କଟକ ବଡ଼ ମେଡିକାଲ୍‌ରେ ୧୫୭ ଜଣ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ଡେଙ୍ଗୁ ୱାର୍ଡରେ ରଖାଯାଇଛି। ଏହି ୧୫୭ ଜଣ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ କେବଳ କଟକର ହେଉଛନ୍ତି ୮୭ ଜଣ। ଅନ୍ୟପଟେ କଟକ ବଡ଼ମେଡିକାଲ୍‌ର ଡେଙ୍ଗୁ ୱାର୍ଡର ବେଡ୍‌ ସଂଖ୍ୟା ୧୭୫କୁ ବୃଦ୍ଧି କରାଯାଇଛି।

Related story