ବ୍ୟାନ୍ ସତ୍ତ୍ୱେ ଭଦ୍ରକର ଗାଁଗହଳିରେ ଚାଲିଛି ମ୍ୟାଗି ନୁଡୁଲ୍ସର ବିକ୍ରି

ଭଦ୍ରକ: ରାଜ୍ୟରେ ମ୍ୟାଗି ନୁଡୁଲ୍ସ ବିକ୍ରି ଉପରେ ବ୍ୟାନ୍ ଜାରି କରାଯାଇଥିବା ସତ୍ତ୍ୱେ ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁରେ ଖୋଲାଖୋଲି ଭାବେ ଏହାର ବିକ୍ରି ଚାଲିଛି। ବିତରକମାନେ କେବଳ ସହରାଞ୍ଚଳରେ ଷ୍ଟକିଷ୍ଟମାନଙ୍କ ଠାରୁ ମ୍ୟାଗି ନୁଡୁଲ୍ସ ଫେରସ୍ତ ନେଇ ଯାଇଥିବା ବେଳେ ଗାଁଗହଳିରେ ତାହା କରି ନାହାନ୍ତି। ଏଣୁ ଗାଁଗୁଡ଼ିକର ଛୋଟ ଛୋଟ ଗ୍ରୋସୋରୀ ଦୋକାନ ସହିତ ଷ୍ଟେସନାରୀ ଓ ପାନ ଦୋକାନଗୁଡ଼ିକରେ ମ୍ୟାଗି ନୁଡୁଲ୍ସ ବିକ୍ରି ଚାଲିଛି। ମ୍ୟାଗିର ଭଦ୍ରକ ସହରାଞ୍ଚଳ ବିତରକ ଜ୍ୟୋତି ଷ୍ଟୋର […]

maggi

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 06:39 AM IST

ଭଦ୍ରକ: ରାଜ୍ୟରେ ମ୍ୟାଗି ନୁଡୁଲ୍ସ ବିକ୍ରି ଉପରେ ବ୍ୟାନ୍ ଜାରି କରାଯାଇଥିବା ସତ୍ତ୍ୱେ ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁରେ ଖୋଲାଖୋଲି ଭାବେ ଏହାର ବିକ୍ରି ଚାଲିଛି। ବିତରକମାନେ କେବଳ ସହରାଞ୍ଚଳରେ ଷ୍ଟକିଷ୍ଟମାନଙ୍କ ଠାରୁ ମ୍ୟାଗି ନୁଡୁଲ୍ସ ଫେରସ୍ତ ନେଇ ଯାଇଥିବା ବେଳେ ଗାଁଗହଳିରେ ତାହା କରି ନାହାନ୍ତି। ଏଣୁ ଗାଁଗୁଡ଼ିକର ଛୋଟ ଛୋଟ ଗ୍ରୋସୋରୀ ଦୋକାନ ସହିତ ଷ୍ଟେସନାରୀ ଓ ପାନ ଦୋକାନଗୁଡ଼ିକରେ ମ୍ୟାଗି ନୁଡୁଲ୍ସ ବିକ୍ରି ଚାଲିଛି। ମ୍ୟାଗିର ଭଦ୍ରକ ସହରାଞ୍ଚଳ ବିତରକ ଜ୍ୟୋତି ଷ୍ଟୋର କର୍ତ୍ତୃପକ୍ଷ କହିଛନ୍ତି ଯେ ସରକାର ବ୍ୟାନ୍ ଜାରି କରିବା ପରେ ଷ୍ଟକିଷ୍ଟମାନଙ୍କଠାରୁ ନୁଡୁଲ୍ସ ଫେରାଇ ଅଣାଯାଇଥିଲା ଓ ନିର୍ଦ୍ଦେଶ ମୁତାବକ ଓଡ଼ିଶା ଡିପୋକୁ ପଠାଇ ଦିଆଯାଇଥିଲା। ତେବେ ଭଦ୍ରକ ଗ୍ରାମାଞ୍ଚଳକୁ ମ୍ୟାଗି ନୁଡୁଲ୍ସ ଯୋଗାଉ ଥିବା ବାଲେଶ୍ୱର ଜିଲ୍ଲା ବିତରକ ଏଯାଏ ଏହାକୁ ପ୍ରତ୍ୟାହାର କରି ନେଇ ନାହାନ୍ତି।

ଗାଁଗହଳିର ଲୋକେ ମ୍ୟାଗି ନୁଡୁଲ୍ସର କୁପରିମାଣ ସଂପର୍କରେ ସଚେତନ ନଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚୁପ୍ ବସିଛି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏନେଇ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ଅଧିକାରୀ (ଏଡିଏମ୍‌ଓପିଏଚ୍) ଦେବାଶିଷ ଦେଙ୍କୁ ପଚରା ଯିବାରେ ସେ କହିଛନ୍ତି ଯେ ସରକାର ତ ମ୍ୟାଗି ନୁଡୁଲ୍ସ ଉପରେ ବ୍ୟାନ୍ ଘୋଷଣା କରିଛନ୍ତି। ତା’ସତ୍ତ୍ୱେ ଯଦି ଲୋକେ ମ୍ୟାଗି ନୁଡୁଲ୍ସ ଖାଇବେ ତା’ହେଲେ ଆମେ କ’ଣ କରିବୁ। ସେହିଭଳି ଭଦ୍ରକ ଜିଲ୍ଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର କହିଛନ୍ତି ଯେ ଜିଲ୍ଲାର ଗାଁଗହଳିରେ ମ୍ୟାଗି ନୁଡୁଲ୍ସ ବିକ୍ରି ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ତେବେ ଏନେଇ ତନାଘନା ପାଇଁ ଜିଲ୍ଲା ଯୋଗାଣ ବିଭାଗକୁ ଖୁବଶୀଘ୍ର ନିର୍ଦ୍ଦେଶ ଦେବେ। ତେବେ ପ୍ରଶାସନର ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ସମାଜସେବୀ ରାମଚନ୍ଦ୍ର ବେହେରା। ସେ କହିଛନ୍ତି, ରାଜ୍ୟ ସରକାର ମ୍ୟାଗିର ନମୂନା ପରୀକ୍ଷା ରିପୋର୍ଟ ପାଇବା ପରେ ଏହାକୁ ବ୍ୟାନ କରିବା ସହିତ ଏନେଇ ନଜର ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସ୍ୱାସ୍ଥ୍ୟ ସଚିବ ମଧ୍ୟ ଜିଲ୍ଲାର ସିଡିଏମଓମାନଙ୍କୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ସତ୍ତ୍ୱେ ଜିଲ୍ଲାରେ ମ୍ୟାଗି ନୁଡୁଲ୍ସର ବିକ୍ରି ବନ୍ଦ କରିବା ନେଇ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କଡ଼ା ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ।

Related story