ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ା ପୁଣିଥରେ ଓଡ଼ିଶା ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ହରିଆଣା ଓ ଅରୁଣାଚଳ ପ୍ରଦେଶର ମହିଳା ସଭାନେତ୍ରୀଙ୍କ ନାଁ ଘୋଷଣା କରାଯାଇଛି।
ଶ୍ରୀମତୀ ପରିଡ଼ା ଏବେ ପ୍ରଦେଶ କଂଗ୍ରେସ ମହିଳାର ଆକ୍ଟିଂ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ଅନୁମୋଦନରେ ଶ୍ରୀମତୀ ପରିଡ଼ାଙ୍କ ନାଁରେ ପୁଣିଥରେ ମୋହର ଲାଗିଛି। ଯାଜପୁରର କୋରେଇ ବିଧାନସଭା ଆସନରୁ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀମତୀ ପରିଡ଼ା କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ତାଙ୍କୁ ପୁଣିଥରେ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଥିବାରୁ କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଶ୍ରୀମତୀ ପରିଡ଼ାଙ୍କ ସମେତ ଅରୁଣାଚଳ ପ୍ରଦେଶର ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ମାରିନା କେଙ୍ଗଲାଙ୍ଗ ଓ ହରିଆଣାର କଂଗ୍ରେସ ସଭାନେତ୍ରୀ ଭାବେ ସୁଧା ଭରଦ୍ୱାଜଙ୍କୁ ନିଯୁକ୍ତି ମିଳିଛି।