Advertisment

ବରଗଡ଼: ଝିଅଙ୍କ ଦ୍ୱାରା ମାଆ’ର ଶବ ସତ୍କାର ପରେ ପ୍ରଶାସନିକ ତତ୍ପରତା

ବରଗଡ଼: ସୋହେଲା ବାଇପାଲି ଗାଁର ଦେଇ ପ୍ରଧାନଙ୍କ ଗତକାଲି ମୃତ୍ୟୁ ଘଟିବା ଓ ତାଙ୍କ ଶବ ସଂସ୍କାର ପାଇଁ ଗାଁ ଲୋକେ ନ ଆସିବା ଖବର ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମୃତ ମହିଳାଙ୍କ ପରିବାର ବର୍ଗଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ […]

ବରଗଡ଼: ଝିଅଙ୍କ ଦ୍ୱାରା ମାଆ’ର ଶବ ସତ୍କାର ପରେ ପ୍ରଶାସନିକ ତତ୍ପରତା

bargarh

Advertisment

ବରଗଡ଼: ସୋହେଲା ବାଇପାଲି ଗାଁର ଦେଇ ପ୍ରଧାନଙ୍କ ଗତକାଲି ମୃତ୍ୟୁ ଘଟିବା ଓ ତାଙ୍କ ଶବ ସଂସ୍କାର ପାଇଁ ଗାଁ ଲୋକେ ନ ଆସିବା ଖବର ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମୃତ ମହିଳାଙ୍କ ପରିବାର ବର୍ଗଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ଗର୍ଡିଆ କହିଛନ୍ତି, “ଏପରି ଘଟଣା ଅତ୍ୟନ୍ତ ନିନ୍ଦନୀୟ। କୁଷ୍ଠରୋଗ ପ୍ରତି ଲୋକଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ଦୂର ଲାଗି ସଚେତନତା ସୃଷ୍ଟି କରାଯିବ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।”

Advertisment

ଗତକାଲି ସକାଳ ୯ଟାରେ ଦେଇ ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା। ୨୫ ବର୍ଷ ପୂର୍ବେ ତାଙ୍କ ସ୍ୱାମୀ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାରୁ ତାଙ୍କ ଶବ ସଂସ୍କାର ଲାଗି ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଜ କୁଟୁମ୍ବ, ସାହି ପଡ଼ିଶା, ଗାଁ ଲୋକେ କେହି ଆସିଲେ ନାହିଁ। ଏପରି କି ନିଜ ଭାଇ ମଧ୍ୟ ଶେଷ ସମୟରେ ଭଉଣୀକୁ ଦେଖିବାକୁ ଆସିଲା ନାହିଁ। ହିନ୍ଦୁ ସମାଜରେ ପୁଅ ମାଆବାପାଙ୍କ ଶବ ସଂସ୍କାର କରିବାର ସାମାଜିକ ପ୍ରଥା ଥିବା ବେଳେ ନିରୂପାୟ ହୋଇ ଦେଇଙ୍କ ଦୁଇ ଝିଅ ବାହାରି ପଡ଼ିଥିଲେ ମାଆର ଶବ ସଂସ୍କାର କରିବାକୁ। ଏଥିପାଇଁ ବୃଦ୍ଧାଙ୍କ ଜ୍ୱାଇଁ ପୂର୍ଣ୍ଣ ସହଯୋଗ କରିଥିଲେ। ଦୁଇ ଝିଅ, ଜ୍ୱାଇଁ ସହ ମିଶି ମାଆ ପାଇଁ କୋକେଇ ତିଆରି କଲେ। ଏହାପରେ ନିଜେ କାନ୍ଦରେ ମଶାଣିକୁ ନେଇ ଶେଷକୃତ୍ୟ ସମ୍ପନ୍ନ କଲେ। ଗାଁ ଲୋକେ ରାସ୍ତାରେ ଛିଡା ହୋଇ ସବୁ ଦେଖିଲେ ହେଲେ ସାହାଯ୍ୟର ହାତ ବଢାଇଲେ ନାହିଁ। ଖବର ପାଇ ଆଖପାଖର କିଛି ସାମାଜିକ କର୍ମୀ ସେମାନଙ୍କୁ ସହଯୋଗ କରିଥିଲେ।

ରୋଜି ପ୍ରଧାନ (ସାନ ଝିଅ) କହିଛନ୍ତି, “ଶେଷ ସମୟରେ ମୁହଁରେ ପାଣି ମୁନ୍ଦେ ଦେବାକୁ ବି ସାହି ପଡ଼ିଶା କେହି ଆସିଲେ ନାହିଁ। ସକାଳୁ ମାଆ ମରିଗଲା, ଅପରାହ୍ନ ଯାଏଁ ଅପେକ୍ଷା କରି ଶେଷରେ ଆମେ ସଂସ୍କାର କଲୁ।”

Advertisment

ସାମାଜିକ କର୍ମୀ ସୁଶୀଲ କୁମାର ସାହୁ କହିଛନ୍ତି, “ଗାଁରୁ କେହି ସହଯୋଗ କଲେ ନାହିଁ। ଦୁଇ ଜଣ ଲୋକ ଆସିଥିଲେ କାଠ ଯୋଗାଡ କରିଦେଇ ପଳାଇଲେ। ଆମେ ୭ରୁ ୮ ଜଣ ବନ୍ଧୁ ଖବର ପାଇ ସେଠାରେ ପହଞ୍ଚି ଯଥା ସମ୍ଭବ ସହଯୋଗ କରିଥିଲୁ।”

କୁଷ୍ଠ ଡିଆଁ ରୋଗ ନୁହେଁ। ନିୟମିତ ଚିକିତ୍ସା ଓ ଏମ୍‌ଡିଟି ସେବନ ଦ୍ୱାରା ଏହା ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ। ଏହି ବାର୍ତ୍ତା ନେଇ ସରକାର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ପାଲା, ଦାସକାଠିଆ, ସଭା, ସମିତି କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ଗତକାଲି ବରଗଡ଼ରେ ଯେପରି ଘଟଣା ଘଟିଗଲା, ତାହା ସରକାରଙ୍କ ସବୁ ସଚେତନତା କାର୍ଯ୍ୟକ୍ରମ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe