ବ୍ରହ୍ମପୁର(ଅଶୋକ ବ୍ରହ୍ମା): କରୋନା ସଂକ୍ରମିତଙ୍କ ସଂଖ୍ୟା ବ୍ରହ୍ମପୁରରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜିଠାରୁ ସହରକୁ ୪ ଦିନ ପାଇଁ ଶଟଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ । କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାର ଯାଞ୍ଚ ହେବ । ଏଥିପାଇଁ ୭୦ଟି ହେଲଥ୍ ଟିମ୍ ନିୟୋଜିତ ହେବେ । ଶଟଡାଉନ୍ ବେଳେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନ ଜାରି ରହିବ। ବ୍ରହ୍ମପୁର ସହରର ବାକି ସବୁ ଦୋକାନ ବଜାର ଏହି ସମୟରେ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଜିଲ୍ଲାର କବି ସୂର୍ଯ୍ୟନଗରର ଏ. ବାରିଡ଼ାକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା କରିଛି ପ୍ରଶାସନ। ସମସ୍ତ ଅଞ୍ଚଳରେ କଡ଼ା ନିୟମ ପାଳନ କରାଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ କୃଷି କାର୍ଯ୍ୟକୁ କଟକଣାରୁ ବାଦ୍ ଦିଆଯାଇଛି। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି । ଏ. ବାରିଡ଼ାର ଆଖପାଖ ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି ।
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର, ଗୋଷାଣି ଓ ଗୁମା ବ୍ଲକ ଏବଂ ରାଣୀପେଣ୍ଠ ଗ୍ରାମପଞ୍ଚାୟତକୁ ମଧ୍ୟ ୩ ଦିନ ଶଟଡାଉନ୍ ଘୋଷଣା କରିଛି ପ୍ରଶାସନ ।