ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଅର୍ଥ ହେରଫେର ମାମଲାରେ ଚିଟ୍ଫଣ୍ଡ କମ୍ପାନୀ ଶାସ୍ତ୍ର ଏଣ୍ଡରପ୍ରାଇଜର୍ସର ଦୁଇ ନିର୍ଦ୍ଦେଶକ ଓ ଦୁଇଜଣ କର୍ମଚାରୀଙ୍କୁ ଜେଲ ସହ ଜରିମାନା ଦଣ୍ଡାଦେଶ ଦେଲେ ବାଲେଶ୍ୱର ଓପିଆଇଡି କୋର୍ଟ। ଆଜି ମାମଲାର ଶୁଣାଣି କରାଯାଇ ଶାସ୍ତ୍ର ଏଣ୍ଡରପ୍ରାଇଜର୍ସର ପରିଚାଳନା ନିର୍ଦ୍ଦେଶକ ଭି. ସମ୍ପଥ ଏବଂ ବୋର୍ଡ ଅଫ୍ ଡାଇରେକ୍ଟର ବି. ମଲ୍ଲିକାର୍ଜୁନ ରାଜୁଙ୍କୁ ୭ ବର୍ଷ ଲେଖାଏଁ ଜେଲ ସହ ୪ ଲକ୍ଷ ୨୧ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି କୋର୍ଟ।
ସେହିପରି କମ୍ପାନୀର ଅନ୍ୟ ଦୁଇଜଣ କର୍ମଚାରୀ ସଦାଶିବ ନାୟକ ଓ ତପନ କୁମାର ବାରିକଙ୍କୁ ୩ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୬୦ ହଜାର ଟଙ୍କା ଲେଖାଏଁ ଜୋରିମାନ କରାଯାଇଛି। ତେବେ ଏହି ମାମଲାରେ ଅଭିଯୁକ୍ତ ଥିବା ଡାକ୍ତର ପାର୍ଥ ସାରଥୀ ଜେନାଙ୍କୁ ନିର୍ଦ୍ଧୋଷରେ ଖଲାସ ହୋଇଛନ୍ତି।
୨୦୧୦ ମସିହାରେ ଶାସ୍ତ୍ର ଏଣ୍ଡରପ୍ରାଇଜସ ବାରପଦାରେ ଅଫିସ ଖୋଲି ମୟୁରଭଞ୍ଜ ଓ ଏହାର ଆଖପାଖ ଜିଲ୍ଲାର ଲୋକଙ୍କୁ ଆକର୍ଷିୟଣୀୟ ସୁଦ୍ଧ ଦେବାର ଲୋଭ ଦେଖାଇ ୪ କୋଟି ୮ ଲକ୍ଷ ୩ ହଜାର ଟଙ୍କା ନେଇଥିଲା। ମାତ୍ର ପରେ ଜମାକାରୀମାନେ ମୂଳ ଟଙ୍କା ବି ଫେରି ପାଇ ନ ଥିଲେ। ଓଡିଶାର ବିଭିନ୍ନ ଜିଲ୍ଲାର ଲୋକଙ୍କଠାରୁ ଏହି ସଂସ୍ଥା ପ୍ରାୟ ୨୨ କୋଟି ୯୨ ଲକ୍ଷରୁ ଅଧିକ ଟଙ୍କା ଉଠାଇଥିଲା।
ବାରିପଦା ୱାର୍ଡ ନମ୍ବର ୨୦ର କ୍ଷୀରୋଦ ଚନ୍ଦ୍ର ବାରିକ କମ୍ପାନୀ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ୨୦୧୦ ନଭେମ୍ବର ୨ ତାରିଖରେ ଉକ୍ତ ଅଭିଯୋଗ ଅଧାରାରେ ବାରିପଦା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ୨୦୧୧ରେ କ୍ରାଇମ୍ବ୍ରାଞ୍ଚ(ସିବି-ସିଆଇଡି) ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣାପଡ଼ିଥିଲା ଯେ ଏହି ଠକସଂସ୍ଥା ଓଡ଼ିଶାର ମୋଟ ୧୦ ହଜାର ୩୨୭ ଜଣ ଠାରୁ ଟଙ୍କା ଜମା ନେଇଥିଲା। ଯାହା ଭିତରେ ମୟୂରଭଞ୍ଜର ୧୩୫୭ ଜଣ ଜମାକାରୀ ଥିଲେ। ଆଜି ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍ ଦାସ ୫୭ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରି ରାୟ ଶୁଣାଇଛନ୍ତି। ଏହି ଅର୍ଥ ହେରଫେର ମାମଲାରେ ଅନ୍ୟଜଣେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର୍ ଅଛି। ଜମାକାରୀଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।