ବାରିପଦା(ମାଣିକଲାଲ୍ ପାଣି): ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଗିରଫ କରାଯାଇଛି। ସଦର ଥାନା ପୁଲିସ ତାଙ୍କୁ ଗିରଫ କରିଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୁଲିସ। ବିଧାୟକଙ୍କ ବିରୋଧରେ ଦଫା ୨୯୪, ୩୪୧, ୩୨୩, ୫୦୬ ଲଗାଇଛି।
ITDA ଅଫିସର ଶ୍ରୀ ଜେନାଙ୍କ କହିବା ଅନୁଯାୟୀ, ଗୁରୁବାର ସକାଳେ ବାରିପଦା ବିଧାୟକ ପ୍ରକାଶ ସୋରେନ ଫୋନ କରି ତାଙ୍କୁ ଡାକିଥିଲେ। ମାତ୍ର ଫିଲ୍ଡରେ ଥିବାରୁ ସେ ଦିନ ବେଳା ବିଧାୟକଙ୍କୁ ଦେଖା କରିବାକୁ ଯାଇ ପାରିନଥିଲେ। ସନ୍ଧ୍ୟାରେ ଶ୍ରୀ ଜେନା ଫିଲ୍ଡରୁ ଫେରି ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ୍ ହାଉସ୍ ଯାଇଥିଲେ। ଅଭିଯୋଗ ଅନୁସାରେ ସେଠାରେ ବିଧାୟକ ଓ ତାଙ୍କର ୩ ସମର୍ଥ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ବିଧାୟକ ଓ ତାଙ୍କ ସମର୍ଥକମାନେ ଶ୍ରୀ ଜେନାଙ୍କୁ ଛାଡ଼ିନଥିଲେ। ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ନିଜେ ଆଇଟିଏ ଅଧିକାରୀ ଗଣପତି ଜେନା।
ରାତି ପ୍ରାୟ ସାଢ଼ ୮ଟାରେ ଶ୍ରୀ ଜେନା ଆହତ ହୋଇ ଘରକୁ ଫେରିଥିଲେ। ହେଲେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଆଜି ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ସର୍କିଟ ହାଉସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହ ସେଠାରୁ ସିସିଟିଭି ଫୁଟେଜ୍ ଜବତ କରିବା ସହ ସର୍କିଟ ହାଉସ୍ର କର୍ମଚାରୀଙ୍କୁ ପଚରା ଉଚୁରା କରୁଛି। ଆଜି ପୁଲିସ ବିଧାୟକ ପ୍ରକାଶ ସୋରେନଙ୍କ ଘରେ ପହଞ୍ଚି ତାଙ୍କୁ ଥାନାକୁ ଡକାଇ ଆଣି ସଞ୍ଜ ବେଳେ ଗିରଫ କରିଛି।