“ମୁଁ ଓଏଏସ୍‌ ଅଫିସର୍‌, ତୋ ଭଳିଆ ଦାଦନ ଖଟୁନି; ଚୁପ୍‌ ରହ”

ଜଳେଶ୍ୱର (ଅଜିତ ଦାସ): “… ମୁଁ ଓଏଏସ୍‌ ଅଫିସର। ତୋ ଭଳି ଦାଦନ ଖଟୁନି। ପାଟି ଚୁପ୍‌ କର…।” ଲକ୍‌ଡାଉନ୍‌ ସମୟରେ ବିଡିଓ ଛବିରାଣୀ ସାହୁଙ୍କ ଏପରି ଦୁର୍ବ୍ୟବହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ବିଡିଓ ସଫେଇ ଦେଇ କହିଛନ୍ତି, ନିଜ ପିଲା ଭାବି ଏମିତି କହିଥିଲି। ଆଜି ଗୁଜରାଟରୁ ଏକ ବସ୍‌ରେ କେତେକ ଓଡ଼ିଶା ବାଲେଶ୍ୱର ଜିଲ୍ଲାକୁ ଆସିଥିଲେ। ସେମାନେ ବାଲିଆପାଳରେ […]

bdo-misbehave-with-migrate-labour

Manoranjan Sial
  • Published: Wednesday, 13 May 2020
  • , Updated: 13 May 2020, 10:28 PM IST

ଜଳେଶ୍ୱର (ଅଜିତ ଦାସ): “… ମୁଁ ଓଏଏସ୍‌ ଅଫିସର। ତୋ ଭଳି ଦାଦନ ଖଟୁନି। ପାଟି ଚୁପ୍‌ କର…।” ଲକ୍‌ଡାଉନ୍‌ ସମୟରେ ବିଡିଓ ଛବିରାଣୀ ସାହୁଙ୍କ ଏପରି ଦୁର୍ବ୍ୟବହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ବିଡିଓ ସଫେଇ ଦେଇ କହିଛନ୍ତି, ନିଜ ପିଲା ଭାବି ଏମିତି କହିଥିଲି।

ଆଜି ଗୁଜରାଟରୁ ଏକ ବସ୍‌ରେ କେତେକ ଓଡ଼ିଶା ବାଲେଶ୍ୱର ଜିଲ୍ଲାକୁ ଆସିଥିଲେ। ସେମାନେ ବାଲିଆପାଳରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନ୍‌ ବା ଘରକୁ ଯିବା ପାଇଁ ବିଡିଓଙ୍କୁ ଅନୁରୋଧ କରିବାକୁ ଯାଇଥିଲେ। ହେଲେ ବିଡିଓ ତାଙ୍କୁ ଦେଖା ଦେଇନଥିବା ଅଭିଯୋଗ ହୋଇଛି। ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ସେମାନେ ଅଖିଆ ପିଆ ବ୍ଲକ ଅଫିସ ଆଗରେ ଠିଆ ହୋଇଥିଲେ। ପ୍ରବାସୀମାନେ ସୁରତରୁ ଆସିଥିବାରୁ ସେମାନଙ୍କ ପାଖକୁ କେହି ଯାଉନଥିଲେ। ଏପରିକି ସମସ୍ତେ ଆଡ ଆଖିରେ ଚାହୁଁଥିଲେ। ଶୋଷ ହେବାରୁ ପ୍ରବାସୀମାନେ ପାଣି ମାଗିଥିଲେ। ଏକଥା ଶୁଣି ବିଡିଓ ଛବିରାଣୀ ସାହୁ କୁଆଡ଼େ ରାଗି ଯାଇଥିଲେ। ଆଉ ସଙ୍ଗେ ସଙ୍ଗେ ପ୍ରବାସୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ।

ଭାଇରାଲ୍‌ ହୋଇଥିବା ଭିଡିଓରେ ବିଡିଓ ଛବିରାଣୀ ପ୍ରବାସୀମାନଙ୍କୁ ଅତ୍ୟନ୍ତ ଉତ୍ତେଜିତ ହୋଇ ଗାଳି କରୁଥିବା ଦେଖିବାକୁ ମିଳିଛି। “... ତୁମେ ନିଜକୁ କଣ ଭାବୁଛ? ଉପରୁ ଯାହା ଅନୁମତି ଆସିବ, ସେହି ହିସାବରେ ଦିଆଯିବ। କିଛି ନକହିବାରୁ ବେଶୀ କଥା କହୁଛ। ଏକରେ ବାହାରୁ ଆସି ଆମକୁ ହଇରାଣ କରୁଛ, ପୁଣି ମନ ଇଚ୍ଛା କଥାବାର୍ତ୍ତା କରୁଛ।”

ବାହାରୁ ତୁମେ ଆମକୁ ଆଣିଛ ବୋଲି ଜଣେ ପ୍ରବାସୀ କହିବାରୁ ଏହାର ପ୍ରତ୍ୟୁତ୍ତରରେ ବିଡିଓ ଛବିରାଣୀ କହୁଛନ୍ତି-“ତୁମକୁ କିଏ ଆଣିଛି? ଚୁପ୍‌ ପାଟି ବନ୍ଦ କର। ତୋ ମାଆ, ଭଉଣୀ ତୋତେ ସଂସ୍କାର ଶିଖାଇ ନାହାନ୍ତି। ତୁପ୍‌ ମାନେ ଚୁପ୍‌, ବେଶୀ କଥା କହୁଛ। ତୁମମାନଙ୍କ ପାଇଁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଯଦି ୫ ଘଣ୍ଟା ସମୟ ଲାଗେ, ତାହାହେଲେ ତୁମେ ଠିଆ ହେବ। ଚୁପ୍‌ଚାପ ଠିଆ ହୁଅ। ଜମାରୁ ଭଲ ଲୋକ ନୁହେଁ। ତୁ କଣ, ତୋ ଚଉଦ ପୁରୁଷ ଛିଡ଼ା ହେବ। ତୁ କଣ ଭାବିଛୁ କି? ମୁଁ ଓଏଏସ୍‌ ଅଫିସର। ତୋ ଭଳିଆ କେଉଁଠି ଯାଇ ଦାଦନ ଖଟୁନି। ନିଜ ଔକାତରେ ରହ....।” ଭିଡିଓରେ ବିଡିଓ ମହାଶୟା ଏହା କହୁଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି।

ଭିଡିଓ ଭାଇରାଲ ପରେ ବିଡିଓ ଛବିରାଣୀ ସାହୁ କହିଛନ୍ତି-“ସେମାନେ ମୋ ପ୍ରତି ଅସମ୍ମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। ସେମାନଙ୍କୁ ବ୍ଲକ ପରିସରକୁ ଡାକିଥିଲି, କିଛି ନଶୁଣି ଯୁକ୍ତି କରିଥିଲେ। ସେମାନେ ମୋତେ ଖରାପ କରି କହିବାରୁ ମୁଁ ବିରକ୍ତ ହୋଇ କହିଛି। ଯାହା କହିଛି ନିଜ ପିଲା ଭାବି କହିଛି। ନିଜ ବ୍ଲକ ପିଲା ଭାବି କହିଛି। ସେମାନେ ତାକୁ କଦର୍ଥ କରୁଛନ୍ତି। ଏହାକୁ ନେଇ ମୁଁ ଆଇନର ଆଶ୍ରୟ ନେବି।”

ଅନ୍ୟପକ୍ଷରେ ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ। ଜଣେ ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ବିଚାର କରାଯିବ।

Related story