ଏମିତି ତାଣ୍ଡବ ରଚିପାରେ ‘ଫୋନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ସାମୁଦ୍ରିକ ଝଡ଼ ‘ଫୋନି’ ଉପକୂଳ ଅଞ୍ଚଳରେ ତାଣ୍ଡବ ରଚିପାରେ। ପୁରୀ ପାଖାପାଖି କୌଣସି ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି କୁହାଯାଉଥିବା ବେଳେ ସେତେବେଳେ ୧୭୦ ରୁ ୧୮୦ ଏବଂ ବେଳେ ବେଳେ ୨୦୦ କିମି ବେଗରେ ପବନ ବହିପାରେ। ଏହା ସହିତ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରେ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ଏବଂ ବେଳେ […]

wind1

wind1

Jitendra Garnayak
  • Published: Thursday, 02 May 2019
  • Updated: 02 May 2019, 10:52 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ସାମୁଦ୍ରିକ ଝଡ଼ ‘ଫୋନି’ ଉପକୂଳ ଅଞ୍ଚଳରେ ତାଣ୍ଡବ ରଚିପାରେ। ପୁରୀ ପାଖାପାଖି କୌଣସି ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି କୁହାଯାଉଥିବା ବେଳେ ସେତେବେଳେ ୧୭୦ ରୁ ୧୮୦ ଏବଂ ବେଳେ ବେଳେ ୨୦୦ କିମି ବେଗରେ ପବନ ବହିପାରେ। ଏହା ସହିତ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରେ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ଏବଂ ବେଳେ ବେଳେ ୧୫୦ କିମି ବେଗରେ ପବନ ବହିପାରେ। ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲା, କଟକ ସହର ସମେତ କଟକ ଜିଲ୍ଲା, ଗଜପତି, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ଏବଂ ବେଳେ ବେଳେ ୧୧୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ପ୍ରବଳ ବର୍ଷା ସାଙ୍ଗକୁ ଏତେ ଜୋରରେ ପବନ ବହିବାର ସମ୍ଭାବନା ଥିବାରୁ ଏସବୁ ଅଞ୍ଚଳରେ ସମସ୍ତ ପ୍ରକାରର ମାଟି ଘର ସହିତ ପୁରୁଣା ପକ୍କା ଘର କ୍ଷତିଗ୍ରସ୍ତ ହୋଇପାରେ। ସେହିପରି ରାସ୍ତାଘାଟ କ୍ଷତିଗ୍ରସ୍ତ ହେବ। ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିଯିବାର ସମ୍ଭାବନା ଥିବାରୁ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପାରେ। ଫସଲ ନଷ୍ଟ ହେବ। ତାଳ ଓ ନଡ଼ିଆ ଗଛ ଉପୁଡ଼ିପଡ଼ିବା ସହ ବଡ଼ ବଡ଼ ଗଛ ଗୁଡ଼ିକ ଭାଙ୍ଗିଯାଇପାରେ। ରେଳପଥଗୁଡ଼ିକ ମଧ୍ୟ ନଷ୍ଟ ହୋଇପାରେ।

ଏସବୁକୁ ଦୃଷ୍ଟିରେ ରଖି ମାଟି ଘରେ ନ ରହିବାକୁ ପରାମର୍ଶ ଦିଆଯାଇଛି। ଉପକୂଳରେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବାତ୍ୟାଆଶ୍ରୟ ସ୍ଥଳକୁ ନେଇ ଆସିବାକୁ ବ୍ୟବସ୍ଥା ହୋଇଛି। ‘ଫୋନି’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଯେଉଁମାନଙ୍କର ପକ୍କା ଘର ରହିଛି, ସେମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।

ବାତ୍ୟା ପାଇଁ ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏକ ପ୍ରେସ୍ ରିଲିଜ୍ ଜରିଆରେ ସେ କହିଛନ୍ତି, ରାଜ୍ୟ ସରକାର ବାତ୍ୟାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରତିଟି ଜୀବନ ଅମ ପାଇଁ ମୂଲ୍ୟବାନ। ଆତଙ୍କିତ ନହୋଇ ଶାନ୍ତ ରହନ୍ତୁ ଏବଂ ସରକାରଙ୍କୁ ସହଯୋଗ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos