କୋରାପୁଟ (ସୂର୍ଯ୍ୟ ପଣ୍ଡା): ଚାରିପାଖେ ଆକାଶଛୁଆଁ ପର୍ବତମାଳା ଆଉ ମଝିରେ ଝରଣାର କମନୀୟ ରୂପ। ଦେଓମାଳିର ଛାତି ଚିରି ବୋହି ଯାଉଛି ସ୍ୱଚ୍ଛ ସ୍ନିଗଧ ଜଳ ରାଶି। ତା’ ପୁଣି ଶାନ୍ତଶୀଳ ସ୍ୱଭାବରେ। ଭୀମ ଭୈରବର ଭୟ ନାହିଁ ତ ଜଙ୍ଗଲି ପରିବେଶରେ ପାଣି ସହ ଖେଳିବା ପାଇଁ ଛୁଟି ଆସୁଛନ୍ତି ପ୍ରକୃତିପ୍ରେମୀ।
ପ୍ରାକୃତିକ ବିଭବରେ ଭରପୂର କୋରାପୁଟର ଇଏ ହେଉଛି ପୁଞ୍ଜିସିଲ୍। ଦାମନଯୋଡ଼ିରେ ଦେଓମାଳି ପର୍ବତମାଳାର ପାଦଦେଶରେ କୁଳୁ କୁଳୁ ବୋହି ଯାଉଛି ଏହି ଛୋଟିଆ ଝରଣା। ଯାବତୀୟ କୋଳାହଳକୁ ବହୁ ପଛରେ ଛାଡ଼ି ପ୍ରକୃତିର ଏହି ଅନନ୍ୟ ଉପହାରକୁ ମନଭରି ଉପଭୋଗ କରିବା ପାଇଁ ଶୀତ ହେଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼େ। ଏଠାକାର ସବୁଠାରୁ ଆକର୍ଷଣୀୟ ସଂପତ୍ତି ହେଉଛି ନିରୋଳା ପାଣିରେ ଖେଳ ବା ସ୍କୋଟିଂ। ଜଳ ରାଶିର ଅବିରତ ସ୍ପର୍ଶରେ ଚିକ୍ ଚିକ୍ କରୁଥିବା ପଥରରେ ଖସି ଖସି ଲୋକେ ଘଣ୍ଟା ଘଣ୍ଟା ଧରି ଖେଳରେ ମାତି ଯାଆନ୍ତି ପୁଞ୍ଜିସିଲର ଛାତି ଉପରେ।
ଶୀତ ହେଲେ ପିକନିକ୍ ପାଇଁ ଏଠାରେ ଭିଡ଼ ଜମେ। କିଛି କ୍ୱାଲିଟି ଟାଇମ୍ କାଟିବାକୁ ପରିବାର ସହ ଛୁଟି ଆସନ୍ତି ଦୂର ଦୂରାନ୍ତରୁ ପର୍ଯ୍ୟଟକ। ଏଥର କୋରନା କଟକଣା ପାଇଁ ଅବଶ୍ୟ ସେମାନଙ୍କ ସଂଖ୍ୟାରେ କିଛି ଟା ହ୍ରାସ ଘଟିଛି। ତେବେ ଏଠାକାର ପ୍ରମୁଖ ସମସ୍ୟା ହେଉଛି ରାସ୍ତା। ଏଯାଏ ପୁଞ୍ଜିସିଲକୁ ପକ୍କା ରାସ୍ତା ନଥିବାରୁ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ଏହା ସହ ପିକନିକ ସ୍ପଟର ଆନୁସଙ୍ଗିକ ସୁବିଧା ଦିଗରେ ପଦକ୍ଷେପ ନିଆଗଲେ ପୁଞ୍ଜିସିଲର ଜନାଦୃତି ଅଧିକ ହୋଇପାରନ୍ତା।