ହାତୀଙ୍କୁ ଜଗିବେ ମହୁମାଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଙ୍ଗଲ କ୍ଷୟ ହେଉଥିବାରୁ ଖାଦ୍ୟ ପାଇଁ ହାତୀ ପଲ ଜନବସତି ଆଡକୁ ଚାଲି ଆସୁଛନ୍ତି। ଯେଉଁଥିପାଇଁ ମଣିଷ ଓ ହାତୀ ମଧ୍ୟରେ ଲଢ଼େଇ ହେଉଛି। କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯେଉଛି ତ ଆଉ କେତେବେଳେ ମଣିଷଙ୍କ ଶିକାର ହେଉଛି ହାତୀ। ଏପରି ସ୍ଥିତିରେ ହାତୀକୁ ଅଟକାଇବା ପାଇଁ ବନ ବିଭାଗ କରିଛି ସ୍ୱତନ୍ତ୍ର ବ୍ୟବସ୍ଥା। ଜନବସତି ମୁହାଁ ହେଉଥିବା ହାତୀଙ୍କୁ ରୋକିବା ପାଇଁ ମହୁମାଛିଙ୍କୁ ଉପଯୋଗ କରାଯିବ। ସେପଟେ ବାରମ୍ବାର […]

An Elephant Herd

Manoranjan Sial
  • Published: Monday, 13 September 2021
  • , Updated: 13 September 2021, 09:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଙ୍ଗଲ କ୍ଷୟ ହେଉଥିବାରୁ ଖାଦ୍ୟ ପାଇଁ ହାତୀ ପଲ ଜନବସତି ଆଡକୁ ଚାଲି ଆସୁଛନ୍ତି। ଯେଉଁଥିପାଇଁ ମଣିଷ ଓ ହାତୀ ମଧ୍ୟରେ ଲଢ଼େଇ ହେଉଛି। କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯେଉଛି ତ ଆଉ କେତେବେଳେ ମଣିଷଙ୍କ ଶିକାର ହେଉଛି ହାତୀ। ଏପରି ସ୍ଥିତିରେ ହାତୀକୁ ଅଟକାଇବା ପାଇଁ ବନ ବିଭାଗ କରିଛି ସ୍ୱତନ୍ତ୍ର ବ୍ୟବସ୍ଥା। ଜନବସତି ମୁହାଁ ହେଉଥିବା ହାତୀଙ୍କୁ ରୋକିବା ପାଇଁ ମହୁମାଛିଙ୍କୁ ଉପଯୋଗ କରାଯିବ। ସେପଟେ ବାରମ୍ବାର ଜନବସତି ଅଞ୍ଚଳକୁ ଚାଲି ଆସୁଥିବା ବଣୁଆ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ହାତୀ ବେକରେ ଲଗାଯିବ ରେଡ଼ିଓ କଲାର।

ହାତୀ ଉପଦ୍ରବରେ ଅଙ୍କୁଶ ଲଗାଇବାକୁ ମହୁମାଛିଙ୍କୁ ଉପଯୋଗ କରିବ ବନ ବିଭାଗ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ରହିବ ମହୁମାଛି ବକ୍ସ। ବକ୍ସଗୁଡ଼ିକ ତାରରେ ସଂଯୋଗ କରାଯିବ। ଯେତେବେଳେ ହାତୀ ସେହି ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରିବ, ସେତେବେଳେ ତାର ସଂସ୍ପର୍ଶରେ ଆସିବେ। ଆଉ ତାର ଦ୍ୱାରା ବକ୍ସ ଟାଣିହେଲେ ତା’ ଭିତରୁ ମହୁମାଛି ବାହାରିବେ।

ମହୁମାଛିଙ୍କୁ ଆକଟ କରିବାରେ ଅକ୍ଷମ ହାତୀ। ଏହାଦ୍ୱାରା ସଂପୃକ୍ତ ଅଞ୍ଚଳ ଛାଡ଼ି ଚାଲିଯିବ ବୋଲି ଆଶା ବାନ୍ଧିଛି ବନ ବିଭାଗ। ପୂର୍ବରୁ ଆଫ୍ରିକା ଓ ଆସାମରେ ଏହି ପ୍ରକଳ୍ପ ସଫଳ ହୋଇଥିବାରୁ ଓଡ଼ିଶାରେ ମଧ୍ୟ ହାତୀ ଉପଦ୍ରବ କମାଇବାରେ ଏହା ବେଶ୍ ଉପଯୋଗୀ ହେବ ବୋଲି ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶଶୀ ପଲ୍‌ ମତ ରଖିଛନ୍ତି।

ସେପଟେ ଦୁର୍ଦ୍ଦାନ୍ତ ବଣୁଆ ଦନ୍ତାଙ୍କ ଉପଦ୍ରବ କମ୍‌ କରିବା ପାଇଁ ହାତୀ ବେକରେ ଲଗାଯିବ ରେଡିଓ କଲାର। ଜିପିଏସ୍‌ ସଂଯୁକ୍ତ ଏହି ରେଡ଼ିଓ କଲାର ଦ୍ୱାରା ସାଟେଲାଇଟ୍‌ ମାଧ୍ୟମରେ ହାତୀର ଗତିବିଧି ଉପରେ ନଜର ରଖା ଯାଇପାରିବ। ଯାହାଫଳରେ ହାତୀ ଜନବସତି ମୁହାଁ ହେଉଛି କି ଚାଷ ଜମି ଆଡ଼କୁ ଯାଉଛି, ସେ ସମ୍ପର୍କରେ ସୂଚନା ମିଳିପାରିବ। ଯହାଦ୍ୱାରା କୌଣସି ଅଘଟଣ ପୂର୍ବରୁ ହାତୀକୁ ଘଉଡ଼ାଇ ଦିଆଯାଇପାରିବ। ଏଥିପାଇଁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ବିଶେଷଜ୍ଞମାନେ ଓଡ଼ିଶାରେ ପହଞ୍ଚିଛନ୍ତି।

ରବିବାର ଏହି ସଂକ୍ରାନ୍ତରେ ଏକ ବୈଠକ ବସିଥିଲା। ପ୍ରଥମେ ଚନ୍ଦକା ଜଙ୍ଗଲରେ ଥିବା ୨ଟି ବଣୁଆ ହାତୀଙ୍କ ଦେହରେ ରେଡ଼ିଓ କଲାର ଲଗାଯିବା ପରେ ଶିମିଳିପାଳରେ ଥିବା ୪ଟି ହାତୀ ବେକରେ ଏହାକୁ ସଂଯୋଗ କରାଯିବ ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି। ପୂର୍ବରୁ ଅନ୍ୟ ରାଜ୍ୟରେ ଏହି ଯୋଜନା ସଫଳ ହୋଇଥିବାରୁ ଓଡ଼ିଶାରେ ମଧ୍ୟ ଏହାର ସୁଫଳ ମିଳିବ ବୋଲି ଆଶା ରଖିଛନ୍ତି ବିଶେଷଜ୍ଞା।

କେବଳ ଏତିକି ନୁହେଁ, ହାତୀ-ମଣିଷ ବିବାଦର ସମାଧାନ ପାଇଁ ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନ୍‌ରେ ଗଜସାଥୀଙ୍କୁ ନିଯୁକ୍ତି ଦିଆଯିବ। ଗତ ୩ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୨୮୨ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗଲା ୧୦ ବର୍ଷରେ ହାତୀ ଆକ୍ରମଣରେ ୯୨୧ ଜଣଙ୍କ ଜୀବନ ଯାଇଛି। ତେବେ ଏସବୁ ନୂଆ ପଦକ୍ଷେପ ଦ୍ୱାରା ହାତୀ-ମଣିଷ ବିବାଦର କେତେ ଦୂର ସମାଧାନ ହୋଇପାରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Related story