ଏସ୍ଆଇ କାର୍ତ୍ତିକ ଜେନା ଓ ଅଟକ ଯୁବକ
ଦାୟିତ୍ଵରେ ଅବହେଳା ପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନା ସବ୍ଇନ୍ସପେକ୍ଟର (SI) କାର୍ତ୍ତିକ ଜେନାଙ୍କୁ ନିଲମ୍ବନ କରାଯାଇଛି। ଏକ ମାମଲାର ତଦନ୍ତ ପାଇଁ ନିଜେ ଘଟଣାସ୍ଥଳକୁ ନଯାଇ ଜଣେ ଯୁବକଙ୍କୁ ପଠାଇଥିଲେ ପୁଲିସ୍ ଏସ୍ଆଇ ଶ୍ରୀ ଜେନା। ଉକ୍ତ ଯୁବକଙ୍କ ନାଁ ପୀୟୂଷ ରଞ୍ଜନ ପଣ୍ଡା।
ଏସ୍ଆଇ ଶ୍ରୀ ଜେନା ପୁଲିସର ଏକ ମୋଟର ସାଇକେଲ ଦେଇ ପୀୟୂଷଙ୍କୁ ରସିକାବାଦ ଗାଁକୁ ପଠାଇଥିଲେ ମାମଲାଟିର ତଦନ୍ତ ପାଇଁ। ଏହାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ପୀୟୂଷ ଏକ ଡାଏରୀ ଧରି କିଛି ପଚାରିଛନ୍ତି। ଏହା ପରେ ଜଣେ ବ୍ୟକ୍ତି ତାଙ୍କୁ ପଚାରିଛନ୍ତି, ଆପଣ ଭଦ୍ରକ ଗ୍ରାମାଞ୍ଚଳ ଥାନାର କର୍ମଚାରୀ କି? ସେ ଦୁଇ ଥର ଏହି ପ୍ରଶ୍ନ ପଚାରିବା ପରେ ପୀୟୂଷ ହଁ ମାରିଛନ୍ତି। ଏହା ପରେ ପ୍ରଶ୍ନ କରୁଥିବା ବ୍ୟକ୍ତି ତାଙ୍କୁ ଆଇକାର୍ଡ ଦେଖାଇବାକୁ କହିଛନ୍ତି। କିନ୍ତୁ ପୀୟୂଷ ଆଇକାର୍ଡ ଦେଖାଇ ପାରି ନାହାନ୍ତି। ତା’ ବଦଳରେ ସେ ଏସ୍ଆଇ କାର୍ତ୍ତିକ ଜେନାଙ୍କ ସହିତ ଫୋନ୍ରେ କଥା ହେବାକୁ ଉକ୍ତ ବ୍ୟକ୍ତିଙ୍କୁ କହିଛନ୍ତି। କିନ୍ତୁ ସେହି ବ୍ୟକ୍ତି ସଫା ସଫା କହିଛନ୍ତି ଯେ ସେ କାର୍ତ୍ତିକ ଜେନାଙ୍କ ସହିତ କଥା ହେବେ ନାହିଁ। ଏହା ସହିତ ‘ଆପଣ ପୁଲିସ୍ ଷ୍ଟାଫ୍ ତ’ ବୋଲି ପୀୟୂଷଙ୍କୁ ପୁଣି ପ୍ରଶ୍ନ କରିଛନ୍ତି। କିନ୍ତୁ ପୀୟୂଷଙ୍କ ଉତ୍ତର ତାଙ୍କୁ ସନ୍ତୁଷ କରିପାରି ନାହିଁ। ତା’ପରେ ସେ ବ୍ୟକ୍ତି କହିଛନ୍ତି ଯେ ସେ ଭଦ୍ରକ ଗ୍ରାମାଞ୍ଚଳ ଥାନାର ସମସ୍ତ କର୍ମଚାରୀଙ୍କୁ ଜାଣିଛନ୍ତି। ଏହା ସହିତ ତୁମେମାନେ ଏମିତି ଫର୍ଜରୀ କରୁଛ ବୋଲି ସେ ପୀୟୂଷଙ୍କୁ କହିଛନ୍ତି।
ଗ୍ରାମବାସୀ ପୀୟୂଷଙ୍କୁ ଅଟକ ରଖି ଗ୍ରାମାଞ୍ଚଳ ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ। ତାଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଏସ୍ଆଇ କାର୍ତ୍ତିକ ଜେନାଙ୍କୁ ନିଲମ୍ବନ କରାଯାଇଥିବା ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।
ଅତିରିକ୍ତ ଏସ୍ପି କହିଛନ୍ତି, ଏସ୍ଆଇ କାର୍ତ୍ତିକ ଜେନାଙ୍କୁ ଜଣେ ବ୍ୟକ୍ତିଙ୍କୁ ତଦନ୍ତ କରିବାକୁ ପଠାଇଥିଲେ। ଏହା ଆଇନ ବହିର୍ଭୂତ କାର୍ଯ୍ୟ। ତଦନ୍ତରେ ଅବେହଳା ପାଇଁ ଗତକାଲି ରାତିରେ ଏସ୍ପି ତାଙ୍କୁ ନିଲମ୍ବନ କରିଛନ୍ତି। ଉକ୍ତ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ଘଟଣାର ତଦନ୍ତ କରାଯାଉଛି। ତା’ପରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ପୀୟୂଷଙ୍କ ମାଧ୍ୟମରେ ଲାଞ୍ଚ ମାଗୁଥିଲେ ଏସ୍ଆଇ!
ଯେଉଁ ମାମଲାଟିର ତଦନ୍ତ ପାଇଁ ଏସ୍ଆଇ କାର୍ତ୍ତିକ ଜେନ ଜଣେ ସାଧାରଣ ବ୍ୟକ୍ତି ପୀୟୂଷଙ୍କୁ ପଠାଇଥିଲେ, ତା’ର ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଟଙ୍କା ମଗାଯାଇଥିଲା। ପୀୟୂଷ ତାଙ୍କୁ ୫/୧୦ ହଜାର ଟଙ୍କା ଦେବା ପାଇଁ କହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଏଫଆଇଆର ମଧ୍ୟ ଦେଇଛନ୍ତି।
ଏହି ଏଫଆଇଆର ଅନୁଯାୟୀ, ଗତ ମାସ ୪ ତାରିଖରେ ଦେଇଥିବା ଏତଲା ଉପରେ ବୁଝାବୁଝି କରିବା ପାଇଁ ଅଭିଯୋଗକାରୀ ଥାନାରେ ଏସ୍ଆଇ କାର୍ତ୍ତିକ ଜେନାଙ୍କୁ ଭେଟିଥିଲେ। କାର୍ତ୍ତିକ ଜେନା ଅଭିଯୋଗକାରୀଙ୍କୁ ପରେ ଆସି ଭେଟିବାକୁ ସମୟ ଦେଇଥିଲେ। କିନ୍ତୁ ସେହି ସମୟ ପୂର୍ବରୁ ଏସ୍ଆଇ ଶ୍ରୀ ଜେନା ଅଭିଯୋଗକାରୀଙ୍କୁ ଫୋନ୍ କରି ଏକ ମୋବାଇଲ ନମ୍ବର ଦେଇ ସେହି ବ୍ୟକ୍ତିଙ୍କ ସହିତ କଥା ହେବାକୁ କହିଥିଲେ। ଏମିତିକି ସେ ଯାହା କହିବେ ତାଙ୍କୁ ଦେବାକୁ କହିଥିଲେ ଏସ୍ଆଇ। ସେହି ବ୍ୟକ୍ତି କେସ୍ ସମାଧାନ କରିଦେବେ ବୋଲି ଏସ୍ଆଇ ଶ୍ରୀ ଜେନା ଅଭିଯୋଗକାରୀଙ୍କୁ କହିଥିଲେ। କିନ୍ତୁ ସେହି ବ୍ୟକ୍ତି ଅଭିଯୋଗକାରୀଙ୍କୁ ଟଙ୍କା ମାଗିଥିଲେ।
ସୂଚନାଯୋଗ୍ୟ, ଏଫଆଇଆରେ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେବାକୁ ଏସ୍ଆଇ ଅଭିଯୋଗକାରୀଙ୍କୁ କହିଥିଲେ, ସେ ହେଉଛନ୍ତି ପୀୟୁଷ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/10/kartika-and-piyush-2025-10-10-17-15-13.jpg)