ଚାଷୀଙ୍କ ପ୍ରତି ବିମୁଖ ବିଜେଡି: ଏଯାଏଁ କମିଟି ଗଢ଼ିନି, ସମର୍ଥନ ବି ଦେଲାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ କୋଟି ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡି ଏପର୍ଯ୍ୟନ୍ତ ନିଜର କୃଷକ ସେଲକୁ ପୁର୍ନଗଠନ କରିପାରିନି। ଏପରିକି ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗକୁ ଦଳ ଏବେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଦେଇଛି। ଚାଷୀଙ୍କୁ ‘କାଳିଆ’ ଯୋଜନାର ଲୋଭ ଦେଖାଇ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ୍ ହାତେଇଥିବା ବିଜେଡି ଏଥର କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଚାଷୀବିରୋଧୀ ବୋଲି କହୁଥିଲେ ବି ତାକୁ ପ୍ରତ୍ୟାହାର ପାଇଁ ଚାଷୀ ସଂଗଠନଗୁଡ଼ିକ କରୁଥିବା ଆନ୍ଦୋଳନକୁ […]

bjd

Manoranjan Sial
  • Published: Monday, 07 December 2020
  • , Updated: 07 December 2020, 10:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ କୋଟି ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡି ଏପର୍ଯ୍ୟନ୍ତ ନିଜର କୃଷକ ସେଲକୁ ପୁର୍ନଗଠନ କରିପାରିନି। ଏପରିକି ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗକୁ ଦଳ ଏବେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଦେଇଛି। ଚାଷୀଙ୍କୁ ‘କାଳିଆ’ ଯୋଜନାର ଲୋଭ ଦେଖାଇ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ୍ ହାତେଇଥିବା ବିଜେଡି ଏଥର କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଚାଷୀବିରୋଧୀ ବୋଲି କହୁଥିଲେ ବି ତାକୁ ପ୍ରତ୍ୟାହାର ପାଇଁ ଚାଷୀ ସଂଗଠନଗୁଡ଼ିକ କରୁଥିବା ଆନ୍ଦୋଳନକୁ ଖୋଲା ସମର୍ଥନ କରିନି। ଯାହାକି ବିଜେଡିର ଚାଷୀଙ୍କ ପ୍ରତି ଆଭିମୁଖ୍ୟକୁ ପଦାରେ ପକାଇଛି।

୨୦୧୯ ସାଧାରଣ ନିର୍ବାଚନ ସରିବାପରେ ବିଜେଡି ପାଇଁ ଚାଷୀମାନେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇ ପଡ଼ିଛନ୍ତି। ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ତ ପୂରଣ ହେଲାନି ଓଲଟା ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଆସନ୍ତାକାଲି ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାକୁ ବି ବିଜେଡି ସମର୍ଥନ ଦେଲାନି। ଭୋଟ୍ ହାତେଇବାକୁ ଶାସକ ବିଜେଡି ରାଜ୍ୟରେ ୭୫ଲକ୍ଷ ଚାଷୀ ପରିବାରକୁ ‘କାଳିଆ’ ଯୋଜନା ମାଧ୍ୟମରେ ସହାୟତା ଦେବାକୁ ଘୋଷଣା କରିଥିଲା। କାଳିଆ ଯୋଜନାର ବ୍ୟାପକ ପ୍ରଚାରପ୍ରସାର କରି ଚାଷୀଙ୍କ ଆକାଉଣ୍ଟକୁ ନିର୍ବାଚନ ପୂର୍ବରୁ ୫ହଜାର ଟଙ୍କା ଦେଇଥିଲା। ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଆକୃଷ୍ଟ କରିବା ନିମନ୍ତେ କୌଣସି ସୁଯୋଗକୁ ହାତଛଡ଼ା ମଧ୍ୟ କରିନଥିଲା। ଏପରିକି ରାଜ୍ୟସ୍ତରରେ କୃଷକ ସେଲ୍ ଗଠନ କରିଥିଲା ଓ ଜିଲ୍ଲାଗୁଡ଼ିକରେ ମଧ୍ୟ ଦଳର କୃଷକ ସେଲ୍ ସଭାପତିମାନଙ୍କୁ ନିଯୁକ୍ତି ଦେଇଥିଲା। ଚାଷୀଙ୍କୁ ଧାନ ଉତ୍ପାଦନ ମୂଲ୍ୟର ଦେଢ଼ଗୁଣ ଅର୍ଥକୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଭାବେ ବିଧାନସଭାରେ ସଂକଳ୍ପ ଗୃହୀତ କରିବା ସହ ରାଜରାସ୍ତାରେ ଧାରଣା ଓ ବିକ୍ଷୋଭ ଏବଂ ଦିଲ୍ଲୀରେ ମଧ୍ୟ ଗର୍ଜନ କରିବାକୁ ମଧ୍ୟ ବିଜେଡି ପଛାଇ ନଥିଲା।

ମାତ୍ର ପଞ୍ଚମ ପାଳି କ୍ଷମତାସୀନ ହେବାପରେ ବିଜେଡି ପାଇଁ ଚାଷୀ ଏକ ଅନାବଶ୍ୟକ ପ୍ରସଙ୍ଗ ହୋଇଯାଇଛି। ଚାଷୀଙ୍କଠୁ ଧାନ କିଣାରେ ବ୍ୟାପକ ଅନିୟମିତତା ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନକୁ ପ୍ରଶମିତ ପାଇଁ ବିଜେଡି ସରକାର ବଳପ୍ରୟୋଗ କରିବାକୁ ପଛାଉନାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ଦେବାରେ ବି ସକ୍ଷମ ହୋଇନି। କୋଭିଡ୍ ଯୋଗୁ ଚାଷୀ ପ୍ରଭାବିତ ହୋଇଥିଲେ ମଧ୍ୟ ସରକାରୀସ୍ତରରେ ଆବଶ୍ୟକ ପରିମାଣର ସହଯୋଗ ଦେବାରେ ବିଜେଡି ସରକାର ଆଗ୍ରହ ଦେଖାଇନଥିଲେ। ଏପରିକି ‘କାଳିଆ’ ଟଙ୍କାର ଦ୍ୱିତୀୟ କିସ୍ତି ପାଇଁ ଚାଷୀ ଚାତକ ପରି ଚାହିଁ ରହିଛି। ସରକାର ଦେବାର ନାଁ ଧରୁ ନାହାନ୍ତି।

ବିଜେଡି ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ନିଜର କୃଷକ ସେଲଗୁଡ଼ିକୁ ନିଷ୍କ୍ରିୟ କରି ପକାଇ ରଖିଛି। ହାର ପୁର୍ନଗଠନର ଆବଶ୍ୟକତା ରହିଛି ବୋଲି ଦଳ ମଧ୍ୟ ଅନୁଭବ କରୁନି। ଆସନ୍ତାକାଲି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହାବି ଦଳର ନେତାମାନେ ଜାଣିନଥିଲେ। ବିଜେପି ସହ ସମୀକରଣ ବିଗିଡ଼ିଯିବାର ଭୟରେ ଚାଷୀକୁଳଙ୍କ ସ୍ୱାର୍ଥ ପ୍ରତି ବି ଆଖିବୁଜି ଦେବାକୁ ବିଜେଡି କୁଣ୍ଠାବୋଧ କରିନି। ସଂସଦରେ ବିଲକୁ ବିରୋଧ କରିଥିବା ବିଜେଡି ଏବେ ରାଜ୍ୟରେ ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ ଦେଇ ଚାଷୀକୁଳର ବିଶ୍ୱାସଭାଜନ ହୋଇପାରିଥାନ୍ତା। ମାତ୍ର ସେଭଳି ନକରି ଦଳ ଜାତୀୟ ରାଜନୀତିରେ ବିଜେପିର ନରେନ୍ଦ୍ର ମୋଦି ସରକାରକୁ ଅସନ୍ତୁଷ୍ଟ ନକରିବାକୁ ନିଷ୍ପତ୍ତି ନେଇଛି। ବିଜେଡି ପାଇଁ ଚାଷୀଙ୍କ ସ୍ୱାର୍ଥ ବିଶେଷ ଗୁରୁତ୍ୱ ବହନ କରିନି। ଯଦିଓ ରାଜ୍ୟରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସର ନିଜସ୍ୱ କୃଷକ ସେଲ୍ ବେଶ୍ ସକ୍ରିୟ ଭାବେ କାମ କରୁଛି ତଥାପି ବିଜେଡି ନିଜର କୃଷକ ସେଲକୁ ଅକାମୀ କରି ପକାଇ ରଖିଛି। ଯେହେତୁ ଦଳର ସମସ୍ତ ଛାମୁଆ ସଂଗଠନ ଓ ନିଷ୍ପତ୍ତି ଗୋଟିଏ ସ୍ଥାନରେ କେନ୍ଦ୍ରୀଭୂତ ହୋଇ ରହିଛି ଓ ଏହାର ବିକେନ୍ଦ୍ରୀକରଣ ହୋଇପାରୁନି ତେଣୁ ବିଜେଡି ପାଇଁ ସଂଗଠନ କେବଳ ଏକ ଆଳଙ୍କାରିକ ବୋଲି ରାଜନୀତିକ ବିଶ୍ଲେଷକ ମହଲରେ ଚର୍ଚ୍ଚା।

Related story