ନାଣ୍ଡୁ ଧଳ
ରାଜଧାନୀ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନ ସମ୍ମୁଖରେ ବୁଧବାର ଦେଖିବାକୁ ମିଳିଛି ହାଇଡ୍ରାମା। ସମର୍ଥକଙ୍କ ସହିତ କଂଗ୍ରେସରେ ମିଶିବାକୁ ଆସି ଭାଣ୍ଡିଆ ହୋଇଛନ୍ତି ଯାତ୍ରାପାର୍ଟି ‘ତୁଳସୀ ଗଣନାଟ୍ୟ’ର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳ। ସେ ପଟୁଆର କରି ସମର୍ଥକଙ୍କ ସହିତ କଂଗ୍ରେସ ଭବନ ସମ୍ମୁଖରେ ପହଞ୍ଚିଲା ବେଳକୁ ଫାଟକରେ ପଡ଼ିଥିଲା ତାଲା। ପୁଲିସ ବି ତାଙ୍କ ବାଟ ଓଗାଳିଥିଲା। କଂଗ୍ରେସ କର୍ମୀ କହିଥିଲେ, ସେମାନଙ୍କୁ (ନାଣ୍ଡୁ ଓ ତାଙ୍କ ସମର୍ଥକ) କିଏ ଡାକିଥିଲେ ଆମେ ଜାଣିନୁ। ପିସିସି ସଭାପତି ନୂଆପଡ଼ାରେ ଅଛନ୍ତି।
ସମର୍ଥକଙ୍କ ସମ୍ମୁଖରେ ହଟାହଟା ହେବା ପରେ ବିଷ ଉଗାରିଥିଲେ ନାଣ୍ଡୁ ଧଳ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ, ପିସିସି ସଭାପତି ସମୟ ଦେଇଥିଲେ। ତାରା ପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ୧୫ ତାରିଖ (ଆଜି) ଫାଇନାଲ ହୋଇଥିଲା। ତା’ପରେ ସେ ମୋତେ କହିଥିଲେ, ଆପଣଙ୍କ ନାଁରେ ଅଭିଯୋଗ ରହିଛି। ବିଚାରବିମର୍ଶ ପରେ ଆଉ ଗୋଟିଏ ଦିନ ଧାର୍ଯ୍ୟ କରାଯିବ। ମୁଁ ମନା କରିଥିଲି। ଯେହେତୁ ଦିନ ଧାର୍ଯ୍ୟ କରାଯାଇଛି, ତେଣୁ ସେଥିରେ ବୁଝାମଣା କରାଯିବ ନାହିଁ ବୋଲି କହିଥିଲି। କାରଣ ମୁଁ ସବୁ ପ୍ରସ୍ତୁତି କରିସାରିଥିଲି। ସେ ଟଙ୍କା କିଏ ଦେବ?
ଶ୍ରୀ ଧଳ କହିଛନ୍ତି, ମୁଁ କ’ଣ ତାଙ୍କୁ (ପିସିସି ସଭାପତି) ନକହି ଏଠାକୁ ଆସିଛି। ଯଦି ସେ ଉପସ୍ଥିତ ରହିପାରିଲେ ନାହିଁ, ତା’ହେଲେ ଅନ୍ୟ କେହି ନେତା ଉପସ୍ଥିତ ରହି ମିଶାଇ ପାରିଥା’ନ୍ତେ। ତାଲା କାହିଁକି ପଡ଼ିଲା ସେ (ପିସିସି ସଭାପତି) କହିପାରିବେ। କଂଗ୍ରେସରେ ମୁଁ ଆଗରୁ ଅଛି। ସେ (ପିସିସି ସଭାପତି) ଜନତା ଦଳରୁ କଂଗ୍ରେସକୁ ଆସିଛନ୍ତି। ମୁଁ କଂଗ୍ରେସ ଲୋକ। ମୋ ପରିବାର କଂଗ୍ରେସରେ ଅଛି। ମୋ ସମର୍ଥକମାନଙ୍କୁ ମୁଁ କଂଗ୍ରେସରେ ମିଶାଇବା ପାଇଁ ଆଣିଥିଲି। ୧୫/୨୦ ହଜାର ଲୋକ ନେଇ ଆସିଥିଲି। ସେ ମୋତେ ୫/୧୦ ଜଣ ଲୋକ ଧରି ଆସିବା ପାଇଁ କହିଥିଲେ। କିନ୍ତୁ ମୁଁ ମନା କରିଥିଲି। ସେ କହିଥିଲେ, ତୁ ହାଇଲାଇଟ୍ କାହିଁକି ହେବୁ। ମୁଁ ହାଇଲାଇଟ୍ ହେଲେ, ତାଙ୍କର କ’ଣ ଅସୁବିଧା ମୁଁ ଜାଣିପାରୁନି ବୋଲି ପ୍ରଶ୍ନ କରିଛନ୍ତି ନାଣ୍ଡୁ ଧଳ।
ପିସିସି ସଭାପତି ଭକ୍ତ ଦାସଙ୍କୁ ଚ୍ୟାଲେଞ୍ଜ ଦେଇ ସେ କହିଛନ୍ତି, କଂଗ୍ରେସ ଭବନ କାହା ବାପର ନୁହେଁ। କେତେ ଦିନ ତାଲା ପକାଇବେ? ସେ ଆଜି ପିସିସି ସଭାପତି ଅଛନ୍ତି। କାଲି ଆଉ ସେ ପଦରେ ନଥିବେ। ତାଲା ପକାଇବାର ଅଧିକାର ତାଙ୍କର ନାହିଁ। ତାଙ୍କର ଭୟ ବଢ଼ିଯାଇଛି। ସେଥିପାଇଁ ଏମିତି କରୁଥିବେ। ନହେଲେ ବଡ଼ଚଣାରେ କାହାକୁ କଥା ଦେଇଥିବେ।
ନାଣ୍ଡୁ ଧଳ କହିଛନ୍ତି, ମୁଁ ସମର୍ଥକଙ୍କୁ ଧରି ଦିଲ୍ଲୀ ଯିବି। ତିନି/ଚାରିଟି ଟ୍ରେନ୍ ବୁକ୍ କରିବୁ। ପାଞ୍ଚ ହଜାର/ ସାତ ହଜାର ସମର୍ଥକଙ୍କୁ ଧରି ଦିଲ୍ଲୀ ଯିବି। ଯନ୍ତରମନ୍ତରରେ ଯାଇ ବସିବୁ। ସେଠାକୁ ରାହୁଲ ଗାନ୍ଧୀ ଆସିବେ। ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଆମକୁ କେହି ଅଟକାଇ ପାରିବେ ନାହିଁ।
ସେ ଆହୁରି କହିଛନ୍ତି, ମୁଁ କଂଗ୍ରେସ ଭବନ ଭିତରେ ପଶି ରାଜନୀତି କରିବି। ସେ (ପିସିସି ସଭାପତି) ତାଲା ପକାଇ ମୋତେ ଅପମାନିତ କରି ନାହାନ୍ତି। ଏହା କଂଗ୍ରେସ ଦଳ ପାଇଁ ଅପମାନ। ମୁଁ ତ କଂଗ୍ରେସରେ ଅଛି। ଲୋକଙ୍କୁ ଆଣିଥିଲି ମିଶାଇବାକୁ। ସେ କାହିଁକି କଂଗ୍ରେସରେ ମିଶାଇ ଦେଉ ନାହାନ୍ତି? ସେ କଂଗ୍ରେସର କ୍ଷତି କରୁଛନ୍ତି ନା ଲାଭ?
ସେହିପରି ନାଣ୍ଡୁଙ୍କ ଜଣେ ସମର୍ଥକ କହିଛନ୍ତି ଯେ ବଡ଼ଚଣା ବିଧାନସଭା ଆସନରେ କଂଗ୍ରେସର ସ୍ଥିତି କ’ଣ ଅଛି? ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ସେଠାରେ ୬ ହଜାର ଭୋଟ୍ ପାଇଛି। ଆମେ ୧୫/୨୦ ହଜାର ମିଶିବାକୁ ଆସିଥିଲୁ। ବଡ଼ଚଣା କଂଗ୍ରେସର ଲାଭ ହୋଇଥା’ନ୍ତା ନା କ୍ଷତି ହୋଇଥା’ନ୍ତା? ରାହୁଲ ଗାନ୍ଧୀ ଆମର ଆଦର୍ଶ। ଆମେ କଂଗ୍ରେସରେ ମିଶିବୁ। ଆମକୁ କେହି ଅଟକାଇ ପାରିବେ ନାହିଁ।
ଅନ୍ୟପକ୍ଷରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି। ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ। ସଦସ୍ୟତା ମଗା ଯାଏ, ଛଡ଼ାଇକି ନିଆଯାଏ ନାହିଁ। ରାହୁଲ ଗାନ୍ଧୀଙ୍କ ପାଖକୁ ଯଦି ଯାଇପାରିବେ ଯାଆନ୍ତୁ। ମୁଁ କଂଗ୍ରେସ ଅଧ୍ୟକ୍ଷ ଭାବେ କହୁଛି, ତାଙ୍କୁ ଗ୍ରହଣ କରାଯିବନି।
ସୂଚନାଯୋଗ୍ୟ, ପ୍ରାୟ ୪ ମାସ ତଳେ ଖୁବ୍ ବିବାଦରେ ରହିଥିଲେ ନାଣ୍ଡୁ ଧଳ। ତୁଳସୀ ଗଣନାଟ୍ୟର ଜଣେ ପୂର୍ବତନ ଅଭିନେତ୍ରୀ ତାଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ। ନାଣ୍ଡୁ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବା ପାଇଁ ଚାହୁଁଥିଲେ ବୋଲି ସେ କହିଥିଲେ। ସେହିପରି ଆଉ କିଛି ଅଭିନେତ୍ରୀ ମଧ୍ୟ ତାଙ୍କ ନାଁରେ ଅଭିଯୋଗ କରିଥିଲେ। ବକେୟା ଟଙ୍କା ମାଗିବାରୁ ନାଣ୍ଡୁ ଧଳ ତାଙ୍କ ସହିତ ମାରପିଟ କରିଥିବା ନେଇ ଅନ୍ୟଜଣେ ଅଭିନେତ୍ରୀ ଅଭିଯୋଗ କରିଥିଲେ। ତେବେ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ନାଣ୍ଡୁ। ସେହିପରି ହାସ୍ୟ ଅଭିନେତା ନରି ପଣ୍ଡା ମଧ୍ୟ ତାଙ୍କ ବିରୋଧରେ ମାରପିଟ ଅଭିଯୋଗ ଆଣିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/15/nandu-dhala-2025-10-15-18-02-18.jpg)