ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଇ ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ଆଜି ନିର୍ବାଚିତ ହୋଇଛନ୍ତି। ସେ ୩୪ଟି ଭୋଟ୍ ପାଇ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଡେପୁଟି ମେୟର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା କରୁଣାକର ମାତ୍ର ୭ଟି ଭୋଟ୍ ପାଇଥିଲେ।
୪ ଜଣ ସ୍ୱାଧୀନ କର୍ପୋରେଟରଙ୍କ ମଧ୍ୟରୁ ଜଣେ ଭୋଟ୍ ନଦେଇ ପଳାଇଥିଲେ। ଅନ୍ୟ ୩ ସ୍ୱାଧୀନ କର୍ପୋରେଟରଙ୍କ ଭୋଟ୍ ବିଜେଡିକୁ ଯାଇଥିବା କୁହାଯାଉଛି। ସେହିପରି ଏକମାତ୍ର କଂଗ୍ରେସ କର୍ପୋରେଟରଙ୍କ ଭୋଟ୍ ମଧ୍ୟ ବିଜେଡିକୁ ଯାଇଛି। କାରଣ ବିଜେଡିର ୩୦ ଜଣ କର୍ପୋରେଟର ଥିବା ବେଳେ ଡେପୁଟି ମେୟର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପଡ଼ିଥିଲା ୩୪ ଖଣ୍ଡ ଭୋଟ୍।
ଇ ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ୪୨ ନମ୍ବର ୱାର୍ଡରୁ ବିଜୟୀ ହୋଇ କର୍ପୋରେଟର ହୋଇଥିଲେ। ଡେପୁଟି ମେୟର ହେବାକୁ ଆହୁରି କିଛି ଅଶାୟୀ ରହିଥିଲେ ହେଁ ବିଜେଡି ବିବେକଙ୍କୁ ପ୍ରାର୍ଥୀ ଭାବେ ବାଛିଥିଲା।
ସୂଚନାଯୋଗ୍ୟ, କଟକରେ ଡେପୁଟି ମେୟର ଭାବେ ଗତକାଲି ଦମୟନ୍ତୀ ମାଝି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥର ପୌର ନିର୍ବାଚନରେ ତିନି ମହାନଗର ନିଗମ- କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ବିଜେଡି ବାଜିମାତ୍ କରିଛି। ସବୁଠି ବିଜେଡି ପ୍ରାର୍ଥୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।