ଶଙ୍ଖକୁ ଫେରିବେନି ବିଜୟ, ଈସାରାରେ କହିଲେ ମନର କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଇସ୍ତଫା ଦେବାପରେ ସେମାନଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ବିଜେଡିରେ ସାମିଲ ହେବାକୁ ନେଇ ଲାଗିଥିବା ଚର୍ଚ୍ଚା ଉପରେ ଆଜି ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ସୋଶାଲ ମିଡିଆରେ ୨୨ମିନିଟ୍ ୫୨ ସେକେଣ୍ଡର ଏକ ଭିଡିଓ ଜାରି କରି ବରିଷ୍ଠ ନେତା ଶ୍ରୀ ମହାପାତ୍ର ଗଣମାଧ୍ୟମରେ ପ୍ରକାଶ ପାଉଥିବା ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଏକ ନୂଆ ରାଜନୀତିକ […]

vlcsnap-2017-06-17-15h00m10s295-720x430

Hemant Lenka
  • Published: Wednesday, 05 December 2018
  • , Updated: 05 December 2018, 05:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଇସ୍ତଫା ଦେବାପରେ ସେମାନଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ବିଜେଡିରେ ସାମିଲ ହେବାକୁ ନେଇ ଲାଗିଥିବା ଚର୍ଚ୍ଚା ଉପରେ ଆଜି ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ସୋଶାଲ ମିଡିଆରେ ୨୨ମିନିଟ୍ ୫୨ ସେକେଣ୍ଡର ଏକ ଭିଡିଓ ଜାରି କରି ବରିଷ୍ଠ ନେତା ଶ୍ରୀ ମହାପାତ୍ର ଗଣମାଧ୍ୟମରେ ପ୍ରକାଶ ପାଉଥିବା ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଏକ ନୂଆ ରାଜନୀତିକ ମୂଳଦୁଆ ସ୍ଥାପନ ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି। କଥାରେ କଥାରେ ସେ ବିଜେଡିର ୧୮ବର୍ଷର ଶାସନରେ ନିର୍ଯାତନା, ଅତ୍ୟାଚାର ଓ ଯନ୍ତ୍ରଣାରେ ରହିଥିବା ନେତା ଓ କର୍ମୀମାନଙ୍କୁ ସାଲ୍ୟୁଟ୍ କରିବା ସହ ନୂଆ ଓଡ଼ିଶା ପୁନର୍ଗଠନ ଦିଗରେ କାର୍ଯ୍ୟ କରିବାର ନିଜର ସଂକଳ୍ପକୁ ଉପସ୍ଥାପିତ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଦୀର୍ଘ ୧୮ବର୍ଷ ଧରି ବହୁ କଷ୍ଟ, ଯନ୍ତ୍ରଣା, ଅନ୍ୟାୟ ଓ ଅତ୍ୟାଚାର ସହି ରହିଥିବା ଲୋକମାନଙ୍କ ନିକଟରେ ସେ ମଥାନତ କରୁଛନ୍ତି। ଯନ୍ତ୍ରଣାରୁ ମୁକ୍ତି ପାଇବା ଭଳି ସାମୂହିକ ରାଜନୀତିକ ନିଷ୍ପତ୍ତି ନେବାକୁ ସେ ଯାଉଛନ୍ତି। ଯେଉଁଥିରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଯୁବକ-ଯୁବତୀମାନେ ନୂଆ ସ୍ୱପ୍ନ ଦେଖିବା ସହ ଓଡ଼ିଶା ତଥା ନିଜର ଭବିଷ୍ୟତ ଗଠନ କରିପାରିବେ। ଯୁବକଯୁବତୀମାନଙ୍କୁ ଗତ ୧୮ବର୍ଷ ମଧ୍ୟରେ ନିଯୁକ୍ତି ଓ ଆତ୍ମନିଯୁକ୍ତିରୁ ବଞ୍ଚିତ ହେବାକୁ ପଡ଼ିଛି। ସେମାନଙ୍କର ସ୍ୱପ୍ନ ଚରିତାର୍ଥ ହୋଇନି। ତେଣୁ ଓଡ଼ିଶାର ପୁନନିର୍ମାଣ ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଅନେକ ସମସ୍ୟା ରହିଛି, କିଭଳି ତା’ର ସମାଧାନ ହେବ, ସେ ନେଇ ଖୁବଶୀଘ୍ର ଏକ ବୈଠକ ଡକାଯିବ। ସେଠାରେ ଯୋଜନା ତିଆରି ହୋଇ ରାଜନୀତିକ ନିଷ୍ପତ୍ତିକୁ ରାଜ୍ୟବାସୀଙ୍କ ପାଖରେ ରଖାଯିବ। ୨୦୧୯ରେ ସମସ୍ତେ ନୂଆ ଓଡ଼ିଶା ଗଠନ ପାଇଁ ସହଯୋଗ ଓ ସମର୍ଥନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ସେ ଛଳନାପୂର୍ଣ୍ଣ ରାଜନୀତି କିମ୍ବା ସାଲିସ୍ ରାଜନୀତି କେବେ କରନ୍ତି ନାହିଁ, ପଦବୀ ପାଇଁ ନୁହେଁ ବରଂ ସାମୂହିକ ସ୍ୱାର୍ଥ ପାଇଁ ସେ ରାଜନୀତି କରୁଛନ୍ତି । ଯଦି ଟିକେ ସାଲିସ୍ କରିଥାନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିପାରିଥାନ୍ତେ। ସମ୍ପୂର୍ଣ୍ଣ ଘଟଣା ନଜାଣି ସେ ଓ ଦିଲ୍ଲୀପ ରାୟ ବିଜେପି ଛାଡ଼ିବାକୁ ନେଇ କିଛି ଲୋକ ନାନା କଥା ପ୍ରଚାର କରୁଛନ୍ତି। ବିଜେପି ନେତାମାନଙ୍କ ନାଁ ଉଲ୍ଲେଖ ନକରି ଶ୍ରୀ ମହାପାତ୍ର କହିଥିଲେ ଯେ ତାଙ୍କୁ ଅନେକ ସମୟରେ ଅପମାନିତ କରିବା ଭଳି ନିଷ୍ପତ୍ତି ନିଆଯାଇଛି। ଏବେ ସେସବୁ ଆଲୋଚନା କରିବା ସମୀଚୀନ ନୁହେଁ। ବିଜେପି ସହ ତାଙ୍କର ତିକ୍ତ ଅନୁଭୂତି ଓ ତାଙ୍କ ବିରୁଦ୍ଧରେ ହୋଇଥିବା ଷଡ଼ଯନ୍ତ୍ର ପ୍ରସଙ୍ଗରେ କହିବା ସହ ସେ ଖୁସିରେ ଦଳ ଛାଡ଼ିନଥିବା ସ୍ପଷ୍ଟ କରିଛନ୍ତି।

ମହାନଦୀ ପ୍ରସଙ୍ଗ, ଚାଷୀ ଆନ୍ଦୋଳନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସେ ଯେଭଳି ମୁହଁ ନଖୋଲିବେ ସେଥିପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର କରାଗଲା। କେନ୍ଦ୍ରୀୟ ନେତାଙ୍କୁ ଜଣାଇଲେ ମଧ୍ୟ ସେମାନେ ଚୁପ୍ ରହିଲେ । ଲୋକଙ୍କ ପାଇଁ କାର୍ଯ୍ୟକ୍ରମ ତୁଳନାରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ରକୁ ପ୍ରାଥମିକତା ମିଳିଲା। ଏକ ଅପମାନଜନକ ଅବସ୍ଥା ସୃଷ୍ଟି କରାଯିବାରୁ ସେ ଦଳ ଛାଡ଼ିବା ଭଳି ରାଜନୀତିକ ନିଷ୍ପତ୍ତି ନେଲେ। ତେବେ ସେ ସମସ୍ତ ଘଟଣାକୁ ଚାର୍ଜସିଟ୍ ଆକାରରେ ପ୍ରକାଶ କରିବାକୁ ଚାହୁଁନାହାନ୍ତି। ତେବେ ସେ କାହାରି ନାଁ ନନେଇ କହିଥିଲେ ଯେ, ପାଳଗଦା ଉପରେ ଛିଡ଼ା ହୋଇ ନିଜର ଉଚ୍ଚତା ମାପିଲେ ବାସ୍ତବ ଉଚ୍ଚତା ହୁଏନି ବୋଲି ରାଜନେତାମାନେ ମନେ ରଖବା ଉଚିତ୍।

ସେହିପରି ଦିଲ୍ଲୀପ ରାୟଙ୍କ ସିବିଆଇ ତଦନ୍ତ ସମ୍ପର୍କରେ ଶ୍ରୀ ମହାପାତ୍ର କହିଥିଲେ ଯେ ଦଳର ଜଣେ ବିଧାୟକ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସେ ଅବଗତ କରାଇଥିଲେ। ତା’ଠୁ ଅଧିକ ପାଦେ ଯାଇ ଉକ୍ତ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ପଦର ଅମର୍ଯ୍ୟାଦା ହେବ। ସେ ସୀମାକୁ ଲଂଘଂନ କରିବାକୁ ସେ ଚାହୁଁନାହାନ୍ତି। କାରଣ ଅସୁନ୍ଦର ପରିସ୍ଥିତି ସୃଷ୍ଟି ହେବ। ସେମାନଙ୍କ ଦଳ ଛାଡ଼ିବାକୁ ନେଇ କିଛି ନେତା ଯେଭଳି ଅଭିଯୋଗ କରୁଛନ୍ତି ସେମାନେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି ଓ ତାହା ସତ୍ୟ ଆଧାରିତ ନୁହେଁ। ବିଜେପି ନେତାମାନେ ନିଜର ଅନୁଶୀଳନ,ଆତ୍ମସମୀକ୍ଷା ଓ ଆତ୍ମଚିନ୍ତନ କରିବା ଉଚିତ୍। ବିଜେପୁରରେ ଦଳ କାହିଁକି ୪୦ହଜାର ଭୋଟ ବ୍ୟବଧାନରେ ହାରିଲା ତାହାର ଅନୁଶୀଳନ ଚାରିକାନ୍ଥ ଭିତରେ ହେଲା, ଯେଉଁଥିପାଇଁ ଦଳ ତଳକୁ ତଳ ଗଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ସମେତ ପାଟକୁରା, ମହାକାଳପଡ଼ାରେ ତାଙ୍କୁ ବିରୋଧ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ହେଲା। ଯଦି ସେଭଳି ଅଭିଯାନ ଦଳ ପାଇଁ କରିଥାନ୍ତେ ହୁଏତ ସଂଗଠନ ସୁଦୃଢ଼ ହୋଇପାରିଥାନ୍ତା। ତେବେ ବିଜେପି ଛାଡ଼ିବା ପ୍ରସଙ୍ଗରେ ଏବେ ଏସବୁ କହିବା ଅପ୍ରାସଙ୍ଗିକ ହେବ।

ତାଙ୍କର ଆଗାମୀ ଦିନର ରାଜନୀତିକ କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ଆଗ୍ରହ ରହିବା ସ୍ୱାଭାବିକ କଥା। ଏହା ଭିତରେ ୭/୮ଟି ଜିଲ୍ଲାର ରାଜନୀତିକ ବନ୍ଧୁମାନେ ତାଙ୍କୁ ଭେଟି ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ଅନ୍ୟମାନେ ତାଙ୍କୁ ପରାମର୍ଶ ଦେବେ ବୋଲି ସେ ଆଶା ରଖିଛନ୍ତି। ଯେତେବେଳେ ସେ କୌଣସି ନିଷ୍ପତ୍ତି ନେବେ ଏହି ସମସ୍ତଙ୍କ ମତାମତକୁ ଗୁରୁତ୍ୱ ଦେବେ। ସେ ଯେଉଁ ନିର୍ଣ୍ଣାୟକ ନିଷ୍ପତ୍ତି ନେବେ ତାହା ଓଡ଼ିଶାର ସାମୂହିକ ପ୍ରଗତି ଓ ସ୍ୱାଭିମାନ ମୁଖ୍ୟ ପ୍ରସଙ୍ଗ ହେବ। ଯାହାକୁ ପୁଞ୍ଜି କରି ସେ ରାଜନୀତିକ ଜୀବନ ଆରମ୍ଭ କରିଥିଲେ। ଛଳନାପୂର୍ଣ୍ଣ ରାଜନୀତିରେ ସେ ବିଶ୍ୱାସ କରନ୍ତି ନାହିଁ। ତାଙ୍କର ନିଷ୍ପତ୍ତି ସମସ୍ତଙ୍କ ପାଇଁ ମଙ୍ଗଳକର ହେବ। ସେ ସର୍ବଦା ସାମୁହିକ ନିଷ୍ପତ୍ତିକୁ ପ୍ରାଥମିକତା ଦେଇଛନ୍ତି। ସେ ଯାହା ନିଷ୍ପତ୍ତି ନେବେ ସମସ୍ତଙ୍କ ଜାଣତରେ କରିବେ ଓ ଓଡ଼ିଶାର ଯୁବବର୍ଗଙ୍କ ସ୍ୱପ୍ନକୁ ପୂରଣ ଦିଗରେ ଏକ ରାଜନୀତିକ ମୂଳଦୁଆ ସ୍ଥାପନ କରିବେ।

୨୦୧୯ ନିର୍ବାଚନ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ହେବାକୁ ଯାଉଛି ଯାହା କେହି କେବେ ଆଶା କରିନଥିବେ। ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେହି ପରିସ୍ଥିତି କିଭଳି ଲୋକାଭିମୁଖୀ ହେବ ସେ ଦିଗରେ ସମସ୍ତେ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Related story