ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକସଭା କ୍ଷେତ୍ର ନବରଙ୍ଗପୁରରେ କାହା ଭାଗ୍ୟ ବଦଳାଇବେ ବଙ୍ଗୀୟ ଭୋଟର? କାହା ମୁଣ୍ଡରେ ସୁନା କଳସ ଢାଳିବେ ଏହି ଅଣ ଓଡ଼ିଆ ମତଦାତା? ଦକ୍ଷିଣ ଓଡ଼ିଶାରେ ବଙ୍ଗୀୟ ମତଦାତାଙ୍କ ହଟସ୍ପଟ୍ ସାଜିଥିବା ଏହି ଆଦିବାସୀ ବହୁଳ ସଂସଦୀୟ କ୍ଷେତ୍ର ଏବେ ପ୍ରତ୍ୟେକ ଦଳର ଫୋକସରେ।
ତଥ୍ୟ କହୁଛି, ଏହି ସଂସଦୀୟ କ୍ଷେତ୍ରରେ ୧୫ ଲକ୍ଷରୁ ଅଧିକ ମତଦାତା ଥିବାବେଳେ ପ୍ରାୟ ୨ ଲକ୍ଷ ହେଉଛନ୍ତି ବଙ୍ଗୀୟ ଅଛନ୍ତି। ପିଢ଼ି ପରେ ପିଢ଼ି ରହିଆସିଛନ୍ତି ଏଠାରେ। ଆଉ ଘରଦ୍ୱାର କରି ଓଡ଼ିଶା ସରକାରଙ୍କ ନଥିପତ୍ରରେ ସାମିଲ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନେ ଯେଉଁ ପ୍ରାର୍ଥୀ ଓ ଦଳକୁ ସମର୍ଥନ କରନ୍ତି, ପ୍ରାୟତଃ ଏକତରଫା ଭୋଟ୍ ଦିଅନ୍ତି। ଅର୍ଥାତ ନିର୍ବାଚନରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଅନ୍ତି ଏହି ବଙ୍ଗୀୟ ମତଦାତା। ତେବେ ଗତ ପଞ୍ଚାୟତ ନିର୍ବାଚନରେ ପାଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଏବେ ଖପ୍ପା ଏମାନେ।
ପ୍ରାୟ ୧୫ ଲକ୍ଷ ଭୋଟର ବିଶିଷ୍ଟ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ରହିଛି ୭ଟି ବିଧାନସଭା ସିଟ। ତା’ମଧ୍ୟରୁ ଉମରକୋଟ ଏବଂ ମାଲକାନଗିରି ହେଉଛି ବଙ୍ଗୀୟ ଭୋଟରଙ୍କ ଗଡ଼। ଉମରକୋଟରେ ପ୍ରାୟ ୫୦ ହଜାର ଓ ମାଲକାନଗିରିରେ ଅଛନ୍ତି ପାଖାପାଖି ୮୫ ହଜାର ବେଙ୍ଗଲି ମତଦାତା। ଏହାବ୍ୟତୀତ ନବରଙ୍ଗପୁର, ଚିତ୍ରକୋଣ୍ଡା, ଝରିଗାଁ, ଡାବୁଗାଁ ଏବଂ କୋଟପାଡ଼ ବିଧାନସଭା ସିଟରେ ମଧ୍ୟ ବଙ୍ଗୀୟ ଭୋଟରଙ୍କ ରହିଛି ଦବଦବା। ତେଣୁ ସବୁଥର ଭଳି ଏଥର ୩ ପ୍ରମୁଖ ଦଳର ନଜର ବଙ୍ଗୀୟ ଭୋଟ୍ ଉପରେ। ଏହି ଭୋଟ୍ ଆଶାରେ ବଂଗୀୟ ନେତା ଅରବିନ୍ଦ ଢାଲିଙ୍କୁ ଦୁଇ ଦୁଇ ଥର ଜୟଦେବ ଆସନରୁ ଟିକଟ ଦେଇଥିଲା ଶାସକ ବିଜେଡି। କିନ୍ତୁ ଗତ ନିର୍ବାଚନରେ ବିଜେଡି ବଙ୍ଗୀୟ ଭୋଟରଙ୍କ ଆସ୍ଥାଭାଜନ ନହୋଇପାରିବାରୁ ହାତରୁ ଖସିଯାଇଥିଲା ମାଲକାନଗିରି ଓ ଉମରକୋଟ ସିଟ୍। କାରଣ ଏଠି ବସବାସ କରୁଥିବା ବଙ୍ଗୀୟ ଗୋଷ୍ଠୀଙ୍କ ରହିଛି ଅନେକ ସମସ୍ୟା। ଯାହାକୁ ମୁଦ୍ଦା କରିଛନ୍ତି ବିରୋଧୀ। ଗତ ୨ ତାରିଖରେ ପ୍ରଚାରରେ ଆସିଥିବା ମତୁଆ ସଂପ୍ରଦାୟର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଶାନ୍ତୁନୁ ଠାକୁର ମଧ୍ୟ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ।