ସରିଲା ‘ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ’ କାର୍ଡ ବଣ୍ଟା: ରାଜନୀତି କଲା ବିଜେଡି, ‘ଆୟୁଷ୍ମାନ’କୁ ଭୁଲିଗଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଜେଡି ସରକାର ୩ବର୍ଷ ପୁରୁଣା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’କୁ ନୂଆ ରୂପ(ଡିଜିଟାଲ ସ୍ମାର୍ଟ କାର୍ଡ ଫର୍ମାଟ)ରେ ପୁଣିଥରେ ସେପ୍ଟେମ୍ବର ପହିଲାରୁ ରାଜ୍ୟବ୍ୟାପୀ ଲାଗୁ କରିଛି। ଅଗଷ୍ଟ ୨୦ରୁ ଡିସେମ୍ବର ୧୫ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିଥିବାବେଳେ ଶାସକ ବିଜେଡି ନିଜର ମାଳମାଳ ମନ୍ତ୍ରୀ ଓ ନେତାଙ୍କୁ ପଠାଇ ପଂଚାୟତସ୍ତରରେ […]

health-card

Ordigital Desk
  • Published: Wednesday, 15 December 2021
  • , Updated: 15 December 2021, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଜେଡି ସରକାର ୩ବର୍ଷ ପୁରୁଣା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’କୁ ନୂଆ ରୂପ(ଡିଜିଟାଲ ସ୍ମାର୍ଟ କାର୍ଡ ଫର୍ମାଟ)ରେ ପୁଣିଥରେ ସେପ୍ଟେମ୍ବର ପହିଲାରୁ ରାଜ୍ୟବ୍ୟାପୀ ଲାଗୁ କରିଛି। ଅଗଷ୍ଟ ୨୦ରୁ ଡିସେମ୍ବର ୧୫ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିଥିବାବେଳେ ଶାସକ ବିଜେଡି ନିଜର ମାଳମାଳ ମନ୍ତ୍ରୀ ଓ ନେତାଙ୍କୁ ପଠାଇ ପଂଚାୟତସ୍ତରରେ ଏହି କାର୍ଡ ବାଣ୍ଟି ରାଜନୀତିକ ଫାଇଦା ନେଇଥିଲେ ମଧ୍ୟ ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସ ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍ ରହିଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ଆୟୁଷ୍ମାନ’ ସପକ୍ଷରେ ବି ଯୁକ୍ତି ବାଢ଼ିବାକୁ ରାଜ୍ୟ ବିଜେପି ଭୁଲିଯାଇଛି ଓ ବିଜେପିର ନିର୍ବାଚିତ ଲୋକପ୍ରତିନିଧିମାନେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡକୁ ଖୋଲାଖୋଲି ସମର୍ଥନ ଅଜାଡ଼ି ଦେବାକୁ ପଛାଇ ନାହାନ୍ତି।

ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସବୁ ଜିଲ୍ଲାରେ ସରକାରୀସ୍ତରରେ କାର୍ଯ୍ୟକ୍ରମ କରାଇ ରାଜନୀତିକ ଫାଇଦା ନେବାକୁ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଥିଲା। ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଓ ଜିଲ୍ଲାଗୁଡ଼ିକ ପାଇଁ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁ ଜିଲ୍ଲାରେ ନିଜର କାର୍ଯ୍ୟକ୍ରମ କରିଥିଲେ। ଗତ ପଂଚାୟତ ଓ ବିଧାନସଭା ନିର୍ବାଚନରେ ବିଜେଡି ଯେଉଁ ଜିଲ୍ଲାରେ ଦୁର୍ବଳ ପ୍ରଦର୍ଶନ କରିଥିଲା ସେହି ଜିଲ୍ଲାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ଯାଇ ଏହି ସ୍ମାର୍ଟ କାର୍ଡ ବାଣ୍ଟିଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମ କରିଥିଲେ। ଅଗଷ୍ଟ ୨୦ରେ ମାଲକାନଗିରିରୁ ଆରମ୍ଭ ହୋଇଥିବା ଏହି ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆଜି ଯାଜପୁର ଜିଲ୍ଲାରେ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯାଜପୁର ଜିଲ୍ଲାର ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମଧ୍ୟ ସରକାରୀସ୍ତରରେ ଭବ୍ୟ ଆୟୋଜନ ହୋଇଥିଲା। କରୋନା କଟକଣାକୁ ବେଖାତିର କରି ଆତସବାଜି କରିବାକୁ ବି ଜିଲ୍ଲା ପ୍ରଶାସନ ପଛାଇ ନଥିଲା।

ତେବେ ସବୁଠୁ ପରିତାପର ବିଷୟ, ଜିଲ୍ଲାସ୍ତରରେ ଏହି ‘ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ’ର ବଣ୍ଟନ ସରକାରୀ କାର୍ଯ୍ୟକ୍ରମ ଆୟୋଜନ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାରେ ଏହାର ଶୁଭାରମ୍ଭ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ବି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀ କିମ୍ବା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ସଭା ମଂଚରେ କିମ୍ବା କାର୍ଯ୍ୟକ୍ରମ ସଂଚାଳନରେ ଦେଖିବାକୁ ମିଳିନଥିଲା। ସରକାରୀ କାର୍ଯ୍ୟକ୍ରମର ଶ୍ରେୟ ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ଦେବା ପାଇଁ ସୁଚିନ୍ତିତ ଯୋଜନା ମଧ୍ୟ ହୋଇଥିଲା। କିଛି ଜିଲ୍ଲାରେ ବିଜେପି ବିଧାୟକ ଓ ସାଂସଦମାନେ ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଂଚରେ ବସି ପରୋକ୍ଷରେ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ସମର୍ଥନ କରିଥିଲେ। ଆଉ କିଛି ବିଜେପି ବିଧାୟକ ତ ଦୁଇପାଦ ଆଗକୁ ଯାଇ ବ୍ଲକସ୍ତରରେ କାର୍ଡ ବାଣ୍ଟିବାକୁ ପଛାଇ ନଥିଲେ। କିଛି ଜିଲ୍ଲାରେ କଂଗ୍ରେସ ବିଧାୟକମାନେ ବି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ମାତ୍ର ଏହି ସରକାରୀ ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମକୁ ବିଜେଡି ନିଜର ଦଳୀୟ କାର୍ଯ୍ୟକ୍ରମ ଭାବେ ଜୋରଦାର କରୁଥିଲେ ମଧ୍ୟ ସବୁ ଜାଣିବି ବିରୋଧୀ ଦଳର ବିଧାୟକ ଓ ସାଂସଦମାନେ ଏହାକୁ ଖୋଲାଖୋଲି ସମର୍ଥନ କରି ସଭା ମଂଚରେ ବସିବା ଓ କାର୍ଡ ବାଣ୍ଟିବା ଯୋଗୁ ତୃଣମୂଳସ୍ତରରେ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ରାଜ୍ୟ ବିଜେପି ନେତୃତ୍ୱଙ୍କର ପରିବର୍ତ୍ତିତ ଆଭିମୁଖ୍ୟ ମଧ୍ୟ ସାଧାରଣ ଲୋକଙ୍କ ଦ୍ୱନ୍ଦ୍ୱକୁ ଆହୁରି ଦ୍ୱିଗୁଣିତ କରିଛି। ଆଉ ଦୀର୍ଘ ୩ବର୍ଷ ଧରି କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ନିମନ୍ତେ ଯୁକ୍ତି ବାଢ଼ି ଆସୁଥିବା ବିଜେପି କର୍ମୀମାନଙ୍କ ମନୋବଳକୁ ହ୍ରାସ କରଛି।

ବିଜେପି ବିଧାୟକ ଓ ସାଂସଦମାନଙ୍କ ଆଭିମୁଖ୍ୟ ହିଁ ରାଜ୍ୟରେ ‘ଆୟୁଷ୍ମାନ ଯୋଜନା’କୁ ଲାଗୁ ନିମନ୍ତେ ସ୍ୱର ଉଠାଉଥିବା ବିଜେପି କର୍ମୀମାନଙ୍କୁ ହତୋତ୍ସାହିତ କରିବା ସହ ଧୀରେ ଧୀରେ ‘ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ’ ବିଜେପି ପାଇଁ ଗ୍ରହଣୀୟ ହୋଇପଡ଼ିଛି । ବିଜେପି ‘ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ’କୁ ବିରୋଧ ତ ଦୂରର କଥା କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଯୋଜନା’କୁ ଓଡ଼ିଶାରେ ଲାଗୁ ଦାବିକୁ ବି ସବୁଦିନ ପାଇଁ ଶୀତଳ ଭଣ୍ଡାରକୁ ପକାଇ ଦେଇଛି । ଆୟୁଷ୍ମାନ ଯୋଜନାକୁ ଲାଗୁ ନିମନ୍ତେ ରାଜ୍ୟ ବିଜେପି ନିଜର ଦାବିକୁ ବ୍ୟାପକ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଚୁପ୍ ବସିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

ବିଜେଡି ସରକାରକୁ ଉପରେ ପଡ଼ି ବିଜେପି ବିଧାୟକ ଓ ସାଂସଦଙ୍କ ଏଭଳି ପ୍ରେମ ଆଗାମୀ ଦିନରେ ପଂଚାୟତ ଓ ପୌର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାର ଆଶଙ୍କା ରହିଥିବା ଚର୍ଚ୍ଚା ହେଉଛି ।

Related story