ବିଜେଡି ନେତ୍ରୀଙ୍କ 'ପ୍ଲେଜର ଟ୍ରିପ' ଫଟୋର ଖୋଳତାଡ଼ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଚାଷୀ ସମାବେଶ ରାଲିରେ ଯୋଗ ଦେବାକୁ ସ୍ୱତନ୍ତ୍ର ଟ୍ରେନରେ ଯାଇଥିବା ଦଳୀୟ ନେତ୍ରୀମାନଙ୍କ କାରନାମା ସମ୍ପର୍କରେ ଏବେ ଦଳ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଚାଷୀଙ୍କ ଅଧିକାର ଯାତ୍ରାରେ ସାମିଲ ଥିବା ଦଳୀୟ ନେତ୍ରୀମାନେ ଟ୍ରେନ୍ ଭିତରେ କେଉଁ ପରିସ୍ଥିତିରେ ପିକନିକ୍ ବା ପ୍ଲେଜର ଟ୍ରିପ୍ ଭଳି ଫଟୋ ପୋଜ୍ ଦେଇଥିଲେ ତାକୁ ନେଇ ଦଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁସାରେ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଏହି ନେତ୍ରୀମାନଙ୍କର ସ୍ୱତନ୍ତ୍ର […]

aaaa

Hemant Lenka
  • Published: Wednesday, 09 January 2019
  • , Updated: 09 January 2019, 04:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଚାଷୀ ସମାବେଶ ରାଲିରେ ଯୋଗ ଦେବାକୁ ସ୍ୱତନ୍ତ୍ର ଟ୍ରେନରେ ଯାଇଥିବା ଦଳୀୟ ନେତ୍ରୀମାନଙ୍କ କାରନାମା ସମ୍ପର୍କରେ ଏବେ ଦଳ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।

ଚାଷୀଙ୍କ ଅଧିକାର ଯାତ୍ରାରେ ସାମିଲ ଥିବା ଦଳୀୟ ନେତ୍ରୀମାନେ ଟ୍ରେନ୍ ଭିତରେ କେଉଁ ପରିସ୍ଥିତିରେ ପିକନିକ୍ ବା ପ୍ଲେଜର ଟ୍ରିପ୍ ଭଳି ଫଟୋ ପୋଜ୍ ଦେଇଥିଲେ ତାକୁ ନେଇ ଦଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁସାରେ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଏହି ନେତ୍ରୀମାନଙ୍କର ସ୍ୱତନ୍ତ୍ର ଟ୍ରେନ ଭିତରର କାର୍ଯ୍ୟକଳାପ ଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଫଟୋଗୁଡ଼ିକ ସଂଗ୍ରହ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦଳ ପକ୍ଷରୁ ଚାଷୀଙ୍କ ଅଧିକାର ପାଇଁ ଦିଲ୍ଲୀ ଯିବା ନିମନ୍ତେ ବୁକିଂ ହୋଇଥିବା ସ୍ୱତନ୍ତ୍ର ଟ୍ରେନର ଏସି ବଗି ଭିତରେ ‘ଫଳ’ ଧରି ଫଟୋ ପୋଜ୍ ଦେବା ଓ ମନ୍ତ୍ରୀ ପ୍ରତାପ ଜେନା ଏକମାତ୍ର ପୁରୁଷ ଭାବେ ସେମାନଙ୍କ ଗହଣରେ ବସିଥିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯାହାକୁ ନେଇ ନକାରାତ୍ମକ ପ୍ରତିକ୍ରିୟାମାନ ଆସୁଥିବାରୁ ତୃତୀୟ ମହଲା କ୍ଷୁବ୍ଧ ହୋଇଛି। ଦଳର ମହିଳା ଶାଖା କର୍ମକର୍ତ୍ତାଙ୍କ ଏଭଳି କାର୍ଯ୍ୟଶୈଳୀ ସମ୍ପର୍କରେ ମଧ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି।

ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଦିଲ୍ଲୀରେ ଚାଷୀଙ୍କ ପାଇଁ ସମାବେଶ କରିବାକୁ ଦଳର ଏତେବଡ଼ କାର୍ଯ୍ୟକ୍ରମକୁ ଦଳ ଏବେ ନିଜର ରାଜନୀତିକ ଫାଇଦା ନିମନ୍ତେ ଉପଯୋଗ ମଧ୍ୟ କରିବା ସମ୍ଭବପର ହୋଇନି। କାରଣ କିଛି ଦଳୀୟ ନେତ୍ରୀଙ୍କ କାରନାମା ଯୋଗୁ ହିଁ ପ୍ରଥମରୁ ହିଁ ଦିଲ୍ଲୀରେ ଚାଷୀ ସମାବେଶ ପାଇଁ ନକାରାତ୍ମକ ପରିବେଶ ସୃଷ୍ଟି ହୋଇଛି।

ଦଳୀୟ ନେତ୍ରୀମାନେ ଏତେ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗକୁ ଅତ୍ୟନ୍ତ ହାଲକା ଭାବେ ନେଇ ‘ପ୍ଲେଜର ଟ୍ରିପ୍’ରେ ଯିବା ଭଳି ଫଟୋ ପୋଜ୍ ଦେଇଛନ୍ତି । ସେମାନଙ୍କ ଆଚରଣ ହିଁ ଦଳ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷକରି ଦଳ ଯେଉଁ ଲକ୍ଷ୍ୟ ନେଇ ଦିଲ୍ଲୀରେ ସମାବେଶ କଲା ତାହା ବସ୍ତୁତଃ ବିଫଳ ହୋଇଛି। ଚାଷୀଙ୍କ ଲଢ଼େଇ ପାଇଁ ଯିବା ଆଳରେ ନେତ୍ରୀମାନେ ଯାହା କଲେ, ତାହା ଦଳର ବରିଷ୍ଠ ନେତାମାନଙ୍କୁ କ୍ଷୁବ୍ଧ କରିଛି ବୋଲି ବିଜେଡି ମହଲରେ ଚର୍ଚ୍ଚା।

Related story