ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କାର କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳ ଏହି ପଦକ୍ଷେପ ନେଇଥିବା କହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍ରେ କୁହାଯାଇଛି।
ସାଧାରଣତଃ ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତାଙ୍କୁ ଦଳରୁ ନିଲମ୍ବନ ଅବା ବହିଷ୍କୃତ କରାଯାଉଥିବା ଦେଖାଯାଏ। କିନ୍ତୁ ବିଜେଡି ଶ୍ରୀ ପାଣିପ୍ରାହୀଙ୍କୁ ‘ଜନ ବିରୋଧୀ’ କାର୍ଯ୍ୟ ପାଇଁ ବହିଷ୍କୃତ କରିଛି। ତେବେ ସେ କି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରିଥିଲେ, ସେ ସଂପର୍କରେ ଜାରି ହୋଇଥିବା ପ୍ରେସ୍ ରିଲିଜ୍ରେ କିଛି କୁହାଯାଇନାହିଁ।
ସୂଚନାଯୋଗ୍ୟ, ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନିକଟରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଫିସର ତଥା ଅତିରିକି ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ସହିତ ସଂପର୍କକୁ ନେଇ ଶ୍ରୀ ପାଣିପ୍ରାହୀ ବିବାଦରେ ଥିଲେ। ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ସହିତ ଶ୍ରୀ ପାଣିପ୍ରାହୀଙ୍କ ଝିଅର ବାହାଘର ହେବାର ଥିଲା। ଡିସେମ୍ବର ମାସରେ ଏହି ବାହାଘର ହେବାର ଥିଲା। ଅଭିଯୋଗ କେବଳ ଅଭୟକାନ୍ତଙ୍କ ବିରୋଧରେ ନାହିଁ, ତାଙ୍କ ପୁଅ ଆକାଶଙ୍କ ନାଁରେ ବି ଅଛି। ତାଙ୍କ ନାଁରେ ଠକେଇ ଓ ଜାଲିଆତି ଭଳି ସଙ୍ଗିନ ଅଭିଯୋଗ ରହିଛି। ଟାଟା ମୋଟର୍ସ ନାଁରେ ଆକାଶ ଫେକ୍ ଆଇ କାର୍ଡ ବ୍ୟବହାର କରିବା ସହ ଚାକିରି ଦେବାକୁ କହି ଲୋକଙ୍କୁ ଠକିଥିବା ଭଳି ଅଭିଯୋଗ ହୋଇଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୋକେ ଏହି ଠକେଇର ଶିକାର ହୋଇଥିବା ବେଳେ ଏଥିରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ହାତ ଥିବା ମଧ୍ୟ କୁହାଯାଉଛି। ତେଣୁ ପାଠକ ମାମଲାରେ ବିଜେଡି ନିଜ ଛବି ସ୍ୱଚ୍ଛ କରିବା ପାଇଁ ଶ୍ରୀ ପାଣିପ୍ରାହୀଙ୍କୁ ବହିଷ୍କୃତ କରିଥିବା କୁହାଯାଉଛି।
ଅନ୍ୟପକ୍ଷରେ ଏହା ବି କୁହାଯାଉଛି ଯେ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ୱସ୍ତ ରହିଥିବା ଶ୍ରୀ ପାଣିଗ୍ରାହୀଙ୍କର ଆଉ କ୍ଷମତାକେନ୍ଦ୍ରଙ୍କ ସହିତ ଭଲ ସଂପର୍କ ନଥିଲା। ଅନେକ ସମୟରେ ସେ କ୍ଷମତାକେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ କରିଥିଲେ। ତେଣୁ ଦଳୀୟ କନ୍ଦଳ ଯୋଗୁ ତାଙ୍କୁ ବହିଷ୍କାର କରାଯାଇଥାଇପାରେ ବୋଲି କୁହାଯାଉଛି। କିନ୍ତୁ ଦଳ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ।