ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଆଜି ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
ଶେଷରେ ଚାପର ବଶବର୍ତ୍ତୀ ହୋଇ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍ କଟିଛି। ସେହିପରି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ କରାଯାଇଛି। ବିଜେଡି ଏପର୍ଯ୍ୟନ୍ତ ୧୪୪ଟି ବିଧାନସଭା ଓ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।
ସେହିପରି ଭୁବନେଶ୍ୱର-ଉତ୍ତର ଆସନରୁ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପରିବର୍ତ୍ତେ ବିଲଡର ସୁଶାନ୍ତ କୁମାର ରାଉତ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, କୋରେଇରୁ ଆକାଶ ଦାସ ନାୟକଙ୍କ ପରିବର୍ତ୍ତେ ଅଶୋକ ବଳ, ପାଲଲହଡ଼ାରୁ ମୁକେଶ ପାଲ, ଆଠମଲ୍ଲିକରୁ ସଞ୍ଜିବ ସାହୁଙ୍କ ପରିବର୍ତ୍ତେ ରମେଶ ଚନ୍ଦ୍ର ସାଏଙ୍କୁ ଦଳ ପ୍ରାର୍ଥୀ କରିଛି। ଏହି ପର୍ଯ୍ୟାୟରେ ମୋଟ ୫ ଜଣ ବିଧାୟକଙ୍କ ଟିକଟ କଟିଛି ଓ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବେନି ବୋଲି ଯେଉଁ ଚର୍ଚ୍ଚା ଧରିଥିଲା, ତାହାର ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଚମ୍ପୁଆ, ବାରିପଦା ଓ କେନ୍ଦ୍ରାପଡ଼ା ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ ଦଳ ସ୍ଥିର କରିପାରି ନାହିଁ।