ଆଶଙ୍କାରେ ବିଜେଡି: ଅଟକିଲା ମହିଳା, କୃଷକ ଓ ଶ୍ରମିକ ସେଲ୍ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉପନିର୍ବାଚନ ପାଇଁ ରାଜନୀତିକ ସରଗରମ ଆରମ୍ଭ ହୋଇସାରିଥିବାବେଳେ ବିଜେଡି ନିଜର ଛାମୁଆ ସଂଗଠନଗୁଡ଼ିକର ପୁନର୍ଗଠନ କରିବାରେ ସକ୍ଷମ ହୋଇପାରିନି। ଦଳର ଛାତ୍ର ଓ ଯୁବ ୱିଙ୍ଗର ପୁନର୍ଗଠନକୁ ନେଇ ଆଭ୍ୟନ୍ତରୀଣ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ବିଜେଡି ଏବେ ହରଡ଼ଘଣାରେ ପଡ଼ିଛି। ନିର୍ବାଚନରେ ଭୋଟବ୍ୟାଙ୍କ ବଢ଼ାଇବାରେ ଦଳର ମହିଳା, କୃଷକ ଓ ଶ୍ରମିକ ସେଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବାବେଳେ ଏହି ସବୁ ଛାମୁଆ ସଂଗଠନର ପୁନର୍ଗଠନ ହୋଇନଥିବାରୁ ସେମାନଙ୍କ ମାଧ୍ୟମରେ କିଭଳି ଭୋଟ୍ ସଂଗ୍ରହ […]

naveen

Manoranjan Sial
  • Published: Wednesday, 30 September 2020
  • , Updated: 30 September 2020, 10:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉପନିର୍ବାଚନ ପାଇଁ ରାଜନୀତିକ ସରଗରମ ଆରମ୍ଭ ହୋଇସାରିଥିବାବେଳେ ବିଜେଡି ନିଜର ଛାମୁଆ ସଂଗଠନଗୁଡ଼ିକର ପୁନର୍ଗଠନ କରିବାରେ ସକ୍ଷମ ହୋଇପାରିନି। ଦଳର ଛାତ୍ର ଓ ଯୁବ ୱିଙ୍ଗର ପୁନର୍ଗଠନକୁ ନେଇ ଆଭ୍ୟନ୍ତରୀଣ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ବିଜେଡି ଏବେ ହରଡ଼ଘଣାରେ ପଡ଼ିଛି। ନିର୍ବାଚନରେ ଭୋଟବ୍ୟାଙ୍କ ବଢ଼ାଇବାରେ ଦଳର ମହିଳା, କୃଷକ ଓ ଶ୍ରମିକ ସେଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବାବେଳେ ଏହି ସବୁ ଛାମୁଆ ସଂଗଠନର ପୁନର୍ଗଠନ ହୋଇନଥିବାରୁ ସେମାନଙ୍କ ମାଧ୍ୟମରେ କିଭଳି ଭୋଟ୍ ସଂଗ୍ରହ ହେବ ତାକୁ ନେଇ ବିଜେଡି ଆଶଙ୍କାରେ ପଡ଼ିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଦଳର ଦୁଇ ଛାମୁଆ ସଂଗଠନ ଯୁବ ଓ ଛାତ୍ର ଶାଖାର ପୁନର୍ଗଠନକୁ ନେଇ ରାଜ୍ୟବ୍ୟାପୀ ଏବେ ତୀବ୍ର ଅସନ୍ତୋଷ ରହିଥିବାରୁ ଅନ୍ୟ ଛାମୁଆ ସଂଗଠନଗୁଡ଼ିକର ପୁନର୍ଗଠନ ନିମନ୍ତେ ବିଜେଡି ସୁପ୍ରିମୋ ସାହାସ କରିପାରୁନାହାନ୍ତି। ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ୬ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମହିଳା ସଭାନେତ୍ରୀ, କୃଷକ ସେଲ୍ ମୁଖ୍ୟ ଓ ଶ୍ରମିକ ସେଲ୍ ମୁଖ୍ୟ ପଦରେ କାହାରିକୁ ଅବସ୍ଥାପିତ କରାଯାଇ ପାରିନାହିଁ। ସୁବାସ ସିଂ ରାଜ୍ୟସଭାକୁ ନିର୍ବାଚନ ହେବାପରେ ତାଙ୍କ ସ୍ଥାନରେ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରି ଦଳର ନିର୍ମାଣ ଶ୍ରମିକ ସେଲକୁ ସକ୍ରିୟ କରି ରଖିବେ ବୋଲି ବିଜେଡି ଚାହିଁଥିଲା। କିନ୍ତୁ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ବି ରାଜ୍ୟ ଶ୍ରମ କମିଶନରଙ୍କ ଅଫିସ୍ ସମ୍ମୁଖରେ ନିର୍ମାଣ ଶ୍ରମିକମାନଙ୍କ ବିକ୍ଷୋଭ ପରେ ରାଜ୍ୟ ସରକାରଙ୍କ ଶ୍ରମିକମାରଣ ନୀତି ପଦାରେ ପଡ଼ିଛି। ଦଳର ନିଜସ୍ୱ ଶ୍ରମିକ ସେଲ୍ ଥିଲେ ମଧ୍ୟ ତାହା ଏବେ ଅପଙ୍ଗୁ ହୋଇ ରହିଛି।

ସେହିପରି କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ନେଇ କଂଗ୍ରେସ ଏବେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ବିଜେଡି ଏହାକୁ ସଂସଦରେ ବିରୋଧ କରିଥିଲା। କିନ୍ତୁ ଏହି କୃଷି ଆଇନ ବିରୁଦ୍ଧରେ ଜନମତ ସୃଷ୍ଟି କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଭଳି ଦଳୀୟ କାର୍ଯ୍ୟକ୍ରମ ହାତକୁ ନେବାକୁ ବିଜେଡି ସାହାସ କରିପାରୁନି। ଯଦିଓ ଆଗକୁ ସମବାୟ ନିର୍ବାଚନ ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ଗଢ଼ା ହୋଇଥିବା ଦଳର କୃଷକ ସେଲ୍ ଏବେ ସମ୍ପୂର୍ଣ୍ଣ ପଙ୍ଗୁ ହୋଇଯାଇଛି ଓ ପଦାଧିକାରୀମାନେ ମଧ୍ୟ ନିଷ୍କ୍ରିୟ ହୋଇ ରହିଛନ୍ତି। ଏହି କୃଷକ ସେଲର ପୁନର୍ଗଠନ ଜରୁରୀ ହୋଇଥିଲେ ମଧ୍ୟ ଦଳ ଏନେଇ ନିରବତା ଅବଲମ୍ବନ କରିଛି।

ସେହିପରି ମିନତୀ ବେହେରା ରାଜ୍ୟ ମହିଳା କମିଶନ ଆୟୋଗ ଅଧ୍ୟକ୍ଷା ହେବାପରଠୁ ଦଳର ମହିଳା ଶାଖାର ସଭାନେତ୍ରୀ କେହି ନାହାନ୍ତି। ମହିଳା ଶାଖାରେ ଥିବା ପ୍ରଭାବଶାଳୀ ନେତ୍ରୀମାନଙ୍କୁ ଦଳର ମୁଖ୍ୟ ସଂଗଠନ(ମହିଳା ସଶକ୍ତିକରଣ) ନାଁ ରେ ଅବସ୍ଥାପିତ କରାଯାଇଛି। ଦଳର ମହିଳା ଶାଖା ଏବେ ପ୍ରାୟତଃ ନାହିଁ କହିଲେ ଚଳେ। ମହିଳା ୱିଙ୍ଗର ପୁନର୍ଗଠନ ପାଇଁ ଦୀର୍ଘଦିନ ହେଲା ନିର୍ବାଚନମଣ୍ଡଳୀରୁ ତାଲିକା ସଂଗ୍ରହ ହେଉଥିଲେ ମଧ୍ୟ ଦଳୀୟ ନେତୃବୃନ୍ଦଙ୍କ ମତିଗତିକୁ ନେଇ ତୃଣମୂଳସ୍ତରର ନେତ୍ରୀମାନେ କ୍ଷୁବ୍ଧ ଅଛନ୍ତି। ନିର୍ବାଚନବେଳେ ସେମାନଙ୍କୁ ଭୋଟ୍ ସଂଗ୍ରହ କାର୍ଯ୍ୟରେ ଲଗାଇ ପରବର୍ତ୍ତୀ ଅବସ୍ଥାରେ ଦଳ ସମ୍ପୂର୍ଣ୍ଣ ଅଣଦେଖା କରିବାର ଗ୍ଲାନିକୁ ବ୍ଲକ୍ ଓ ଜିଲ୍ଲାସ୍ତରର ନେତ୍ରୀମାନେ ସହଜରେ ଗ୍ରହଣ କରିପାରୁନଥିବାରୁ ଦଳୀୟ ବିଧାୟକମାନେ ମଧ୍ୟ କାହା ନାଁ ପଠାଇବେ ତାହା ଚୂଡ଼ାନ୍ତ କରିବାରେ ସକ୍ଷମ ହେଉନାହାନ୍ତି। ଦଳ ଦୁଇଟି ଦଫାରେ ଯେଉଁ ନେତ୍ରୀମାନଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସାଂଗଠନିକ ଦକ୍ଷତା ନାହିଁ କହିଲେ ଚଳେ। ଯେଉଁଥିପାଇଁ ସେମାନେ ଜିଲ୍ଲା ଗସ୍ତରେ ଗଲେ ବି ସାଂଗଠନିକ କାର୍ଯ୍ୟ ଓ ଦଳର ମହିଳାମାନଙ୍କୁ ଏକଜୁଟ କରିବାରେ ସକ୍ଷମ ହେଉନାହାନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ସଂଗଠନ ଏବେ ଯେଉଁଭଳି ଭାବେ ଚାଲିଛି ତାହା ନିଶ୍ଚିତ ଭାବେ ଦଳ ପାଇଁ ଆଗାମୀ ଦିନରେ ଚ୍ୟାଲେଞ୍ଜ ଭାବେ ଉଭା ହେବ। କାରଣ ଦଳ ଏବେ କେବଳ ୩-୪ଜଣ ବ୍ୟକ୍ତିଙ୍କ ଭିତରେ ସୀମିତ ହୋଇଗଲାଣି। ସଂଗଠନକୁ ସକ୍ରିୟ କରିବାକୁ ହେଲେ ସମସ୍ତ ଛାମୁଆ ସଂଗଠନରେ ଦକ୍ଷ ବ୍ୟକ୍ତିମାନଙ୍କୁ ନେତୃତ୍ୱ ଦେବାର ଆବଶ୍ୟକତା ରହିଛି। ସେସବୁ ସଂଗଠନ ଯେପରି ଠିକ୍ ଭାବେ କାମ କରିପାରିବେ ସେଥିପାଇଁ ମଧ୍ୟ ସେମାନଙ୍କୁ ସ୍ୱାଧୀନତା ମିଳିବା ଜରୁରୀ। ମାତ୍ର ଏବେ ଦଳର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଯେଉଁ ପର୍ଯ୍ୟାୟରେ ପହଂଚିଲାଣି ତାକୁ ଦେଖିଲେ ବିଜେଡି ପାଇଁ ନିଜର ଛାମୁଆ ସଂଗଠନକୁ ଗଢ଼ିବା ଏତେ ସହଜ ମନେହେଉନି। ଅନ୍ତତଃପକ୍ଷେ ଏସବୁ ଶାଖାର ପୁନର୍ଗଠନ ଉପନିର୍ବାଚନ ପୂର୍ବରୁ ନୁହେଁ ବୋଲି ଜଣାପଡ଼ିଛି।

Related story