ପାଣିଟାଙ୍କି ପରେ ଅଡିଟୋରିୟମକୁ ବିରୋଧ ପାଇଁ ଷଡ଼ଯନ୍ତ୍ର, ଯିଏ ଆସିଲା ସମାନ କଥା କହିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପାଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ବିଜେଡିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ନେଇ ବଢୁଛି ବିବାଦ। ପାଣିଟାଙ୍କି ପରେ ଏବେ ଉଦ୍‌ଘାଟନ ଅପେକ୍ଷାରେ ଥିବା ଅଡିଟୋରିୟକୁ ନେଇ ଦଳ ଭିତରେ କଳି ଆରମ୍ଭ ହୋଇଛି। ଗୋଟିଏ ଗୋଷ୍ଠୀ ଏହାକୁ ଉଦ୍‌ଘାଟନ କରାଇ ନଦେବାକୁ ଚେତାବନୀ ଦେଇଥିବା ବେଳେ, ଅନ୍ୟ ଗୋଷ୍ଠୀ ବୈଜୟନ୍ତଙ୍କ ସମର୍ଥନରେ ବାହାରିଛି। କଟକ ଜିଲ୍ଲାର ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିରେ ପାଣିଟାଙ୍କି ପରେ, ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶି ବ୍ଲକ୍ ଅନ୍ତର୍ଗତ […]

bjd internal conflict in kendrapara

Rakesh Mallick
  • Published: Thursday, 18 January 2018
  • , Updated: 18 January 2018, 08:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପାଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ବିଜେଡିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ନେଇ ବଢୁଛି ବିବାଦ। ପାଣିଟାଙ୍କି ପରେ ଏବେ ଉଦ୍‌ଘାଟନ ଅପେକ୍ଷାରେ ଥିବା ଅଡିଟୋରିୟକୁ ନେଇ ଦଳ ଭିତରେ କଳି ଆରମ୍ଭ ହୋଇଛି। ଗୋଟିଏ ଗୋଷ୍ଠୀ ଏହାକୁ ଉଦ୍‌ଘାଟନ କରାଇ ନଦେବାକୁ ଚେତାବନୀ ଦେଇଥିବା ବେଳେ, ଅନ୍ୟ ଗୋଷ୍ଠୀ ବୈଜୟନ୍ତଙ୍କ ସମର୍ଥନରେ ବାହାରିଛି।

କଟକ ଜିଲ୍ଲାର ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିରେ ପାଣିଟାଙ୍କି ପରେ, ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶି ବ୍ଲକ୍ ଅନ୍ତର୍ଗତ ଗୁଆଳସିଂଠାରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ବହୁମୁଖୀ ସଭାଗୃହଟି ଉଦ୍‌ଘାଟନ ପାଇଁ ପ୍ରସ୍ତୁତ। ତେବେ ଏହାର ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ପୁଣି ମୁଣ୍ଡ ଟେକିଛି ବିଜେଡି କଳି। ନିଜ ସଂସଦୀୟ କ୍ଷେତ୍ରରେ ବୈଜୟନ୍ତଙ୍କୁ ବିରୋଧ ରାଜନୀତି ଭିତରେ ଏଠି ମଧ୍ୟ ମୁହାଁମୁହିଁ ସ୍ଥିତିରେ ବିଜେଡିର ଦୁଇଗୋଷ୍ଠୀ। ମହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନା ଆଉ ଏଠି ନିଜ ବିଧାନସଭା କ୍ଷେତ୍ର ହୋଇନଥିଲେ ମଧ୍ୟ ବିଧାୟକ ଅତନୁ ସବ୍ୟସାଚୀଙ୍କ ସମର୍ଥକଙ୍କ ସହ ମୁହାଁମୁହିଁ ସ୍ଥିତିରେ ବୈଜୟନ୍ତଙ୍କ ସମର୍ଥକ। ସାଂସଦଙ୍କ ସଂସଦୀୟ ପାଣ୍ଠିରୁ ୩ କୋଟି ୭୬ ଲକ୍ଷ ଟଙ୍କା ଓ ରାଜ୍ୟ ସରକାରଙ୍କ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅଡିଟୋରିୟମ୍‌ର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଡେରାବିଶ ବ୍ଲକ୍ ଅଧ୍ୟକ୍ଷ। ହେଲେ ଏଭଳି ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନୀ ଉତ୍ସବର ପ୍ରତିରୋଧକାରୀଙ୍କୁ ଜବାବ ଦିଆଯିବ ବୋଲି କହିଛନ୍ତି ଗୁଆଳସିଂ ପଞ୍ଚାୟତ ସରପଞ୍ଚ ବଟକୃଷ୍ଣ ସେଠୀ।

ଆଶ୍ଚର୍ଯ୍ୟର କଥା ହେଉଛି ବୈଜୟନ୍ତଙ୍କ ବିରୋଧରେ ନବୀନ ନିବାସକୁ ଆସୁଥିବା ସବୁ ଗୋଷ୍ଠୀର ଅଭିଯୋଗ ସମାନ। ଯାହାକୁ ନେଇ ସନ୍ଦେହ ବଢ଼ିଛି। ଅଭିଯୋଗ ମୁତାବକ, ସାଂସଦ ଦଳୀୟ ନେତା ଓ ଲୋକଙ୍କ ସହ ସଂପର୍କ ରଖୁନାହାନ୍ତି। ବିରୋଧୀ କଳର କର୍ମୀଙ୍କୁ ଗୁରୁତ୍ୱ ଦେଉଛନ୍ତି ଓ ଏମ୍‌ପି ଲ୍ୟାଡ୍ ଫଣ୍ଡର ଅପବ୍ୟବହାର ହେଉଛି।

ବୈଜୟନ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି- “କେନ୍ଦ୍ରାପଡ଼ା ସାଂସଦ ସମଗ୍ର ଦେଶରେ ସର୍ବାଧିକ ସମୟ ନିଜ ନିର୍ବାଚନମଣ୍ଡଳୀରେ ବିତାଇ ଲୋକଙ୍କ ସୁବିଧା ଅସୁବିଧା ବୁଝନ୍ତି। ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ସମସ୍ତ କାମ କରନ୍ତି। ଏମ୍‌ପି ଲ୍ୟାଡ୍ ଫଣ୍ଡ ବିନିଯୋଗର ନିର୍ଦ୍ଦିଷ୍ଟ ଗାଇଡ୍ ଲାଇନ୍ ନଥିଲେ ମଧ୍ୟ ଲୋକଙ୍କ ସମସ୍ୟା ଦେଖି ତାହା ବିନିଯୋଗ ହେଉଛି।”

ସାଂସଦଙ୍କ ଅଫିସର ତଥ୍ୟ ଅନୁଯାୟୀ, କେନ୍ଦ୍ରାପଡ଼ା ସାଂସଦଙ୍କ ଏମ୍‌ପି ଲ୍ୟାଡ୍ ଫଣ୍ଡରୁ ନିଶ୍ଚିନ୍ତକୋଇଲି ବ୍ଲକରେ ୧୯ଟି ପ୍ରକଳ୍ପ ପାଇଁ ୧ କୋଟି ୭୮ ଲକ୍ଷ ୯୩ ହଜାର, ମହାକାଳପଡ଼ାର ୨୩ଟି ପ୍ରକଳ୍ପ ପାଇଁ ୧ କୋଟି ୪୭ ଲକ୍ଷ ୧୫ ହଜାର, ସାଲେପୁରରେ ୨୯ଟି ପ୍ରକଳ୍ପ ପାଇଁ ୧ କୋଟି ୯୨ ଲକ୍ଷ ୨୩ ହଜାର, କେନ୍ଦ୍ରାପଡ଼ା ବ୍ଲକରେ ୨୩ଟି ପ୍ରକଳ୍ପ ପାଇଁ ୨ କୋଟି ୪୨ ଲକ୍ଷ ୬୫ ହଜାର ଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ପାଇଁ ୧୮ଟି ପ୍ରକଳ୍ପ ଲାଗି ୧ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ କହିଛନ୍ତି- “ମାନ୍ୟବର ସାଂସଦ ସବୁଠାରୁ ଅଧିକ ସମୟ ନିଜ ନିର୍ବାଚନ ମଣ୍ଡଳୀରେ ଦେଇଥାଆନ୍ତି। ମାତ୍ର କିଛି ମୁଷ୍ଟିମେୟ ଲୋକ ଏଭଳି ଅଭିଯୋଗ ଆଣିବା ଏକ ରାଜନୈତିକ ଷଡ଼ଯନ୍ତ୍ର।”

ବୈଜୟନ୍ତଙ୍କୁ ବିରୋଧ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସୁଥିବା ଅଭିଯୋଗର ତଦନ୍ତ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ପକ୍ଷଙ୍କ ସହ ଆଲୋଚନା କରି ୭ ଦିନ ଭିତରେ ରିପୋର୍ଟ ଦେବାକୁ ପ୍ରମିଳାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related story