ବରିଷ୍ଠଙ୍କୁ ଅଣଦେଖା କଲା ବିଜେଡି, ସସ୍ମିତଙ୍କ ଉପରେ ଆଶୀର୍ବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ପ୍ରଥମଥରର ସାଂସଦ ସସ୍ମିତ ପାତ୍ର ସାମିଲ ହେବାପରେ ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ଆଉ ଏକ ଦିଗ ପଦାକୁ ଆସିଥିବା ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସଂସଦୀୟ ରାଜନୀତିରେ ଅଭିଜ୍ଞତା ନଥିବା ସସ୍ମିତ ମାତ୍ର ବର୍ଷକ ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ତାଙ୍କୁ ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲ କରି ବିଜେଡି ରାଜ୍ୟସଭାରେ ଦଳର ଅନ୍ୟ ବରିଷ୍ଠ ଓ ଅଭିଜ୍ଞ ସାଂସଦଙ୍କୁ ଅଣଦେଖା କରିବାକୁ ପଛାଇ […]

9091

Tapas Behera
  • Published: Saturday, 25 July 2020
  • , Updated: 25 July 2020, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ପ୍ରଥମଥରର ସାଂସଦ ସସ୍ମିତ ପାତ୍ର ସାମିଲ ହେବାପରେ ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ଆଉ ଏକ ଦିଗ ପଦାକୁ ଆସିଥିବା ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସଂସଦୀୟ ରାଜନୀତିରେ ଅଭିଜ୍ଞତା ନଥିବା ସସ୍ମିତ ମାତ୍ର ବର୍ଷକ ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ତାଙ୍କୁ ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲ କରି ବିଜେଡି ରାଜ୍ୟସଭାରେ ଦଳର ଅନ୍ୟ ବରିଷ୍ଠ ଓ ଅଭିଜ୍ଞ ସାଂସଦଙ୍କୁ ଅଣଦେଖା କରିବାକୁ ପଛାଇ ନାହିଁ। ତେବେ ସସ୍ମିତ କାହା ଆଶୀର୍ବାଦରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲ ହେଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ତାଲିକାରେ ୬ଜଣ ନେତା ସାମିଲ ହୋଇଥିବାବେଳେ ସେଥିରେ ବିଜେପିର ୨ଜଣ, କଂଗ୍ରେସ,ବିଜେଡି,ଏନସିପି ଓ ଟିଏମସିର ଜଣେ ଲେଖାଏଁ ସାଂସଦଙ୍କୁ ସାମିଲ କରାଯାଇଛି। ବିଜେଡିର ସସ୍ମିତ ଓ କଂଗ୍ରେସର ଏଲ ହନୁମନ୍ଥାହ ପ୍ରଥମଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ବି ପ୍ୟାନେଲରେ ସ୍ଥାନ ପାଇଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ୟାନେଲରେ ସ୍ଥାନ ପାଇଥିବା ବିଜେଡିର ସସ୍ମିତ ପାତ୍ର ଏକମାତ୍ର ସାଂସଦ ଯେ କି ସଂସଦୀୟ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ। ଶ୍ରୀ ପାତ୍ର ପୂର୍ବରୁ କୌଣସି ନିର୍ବାଚିତ ପଦପଦବୀ ଅବା ଜନପ୍ରତିନିଧି ଭାବେ କାର୍ଯ୍ୟ କରିନାହାନ୍ତି। ତଥାପି ତାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସାମିଲ କରିବାକୁ ବିଜେଡି ପଛାଇ ନାହିଁ। ଯଦିଓ କଂଗ୍ରେସର ଏଲ୍ ହନୁମନ୍ତାହ ପ୍ରଥମଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ତଥାପି ୨୦୦୧ ମସିହାରୁ ତାଙ୍କର ବିଧାନ ପରିଷଦ ସଦସ୍ୟ ଭାବେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ସମ୍ପର୍କରେ ଅଭିଜ୍ଞତା ରହିଛି।

ଅପରପକ୍ଷରେ ଶ୍ରୀ ପାତ୍ରଙ୍କୁ ବିଜେଡି କେଉଁ ଆଧାରରେ ପ୍ୟାନେଲରେ ସାମିଲ ପାଇଁ ସୁପାରିସ୍ କଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବିଜେଡିର ବରିଷ୍ଠ ତଥା ଅଭିଜ୍ଞ ନେତା ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ, ପ୍ରଶାନ୍ତ ନନ୍ଦଙ୍କ ଭଳି ସାଂସଦ ରାଜ୍ୟସଭାରେ ଥିବାବେଳେ ଅମର ପଟ୍ଟନାୟକଙ୍କ ଭଳି ସର୍ବଭାରତୀୟ ପ୍ରଶାସନିକ ଅଫିସର ମଧ୍ୟ ଗତବର୍ଷଠୁ ଦଳର ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଦଳୀୟ ସାଂସଦମାନଙ୍କୁ ଅଣଦେଖା କରି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତଙ୍କୁ ସାମିଲ ହେବା ବିଜେଡିର ଅନ୍ୟ ନେତାମାନଙ୍କୁ ବିସ୍ମିତ କରିଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ନିଜର ରାଜନୀତିକ ବାଧ୍ୟବାଧକତା ପାଇଁ ବିଜେଡି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଉପରେ ପଡ଼ି ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଛି। ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ବହୁମତ ମିଳିପାରିନି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପିକୁ ରାଜ୍ୟସଭାରେ ବିଜେଡି, ଏଆଇଡିଏମକେ, ୱାଇଏସଆର ଓ ଟିଆରଏସ୍ ଭଳି ଦଳଗୁଡ଼ିକର ସମର୍ଥନ ଆବଶ୍ୟକ ପଡ଼ିବ। ବିଜେଡି ଓ ଏଆଇଡିଏମକେର ୯ଜଣ ଲେଖାଏଁ ସଦସ୍ୟ ରାଜ୍ୟସଭାରେ ଥିଲେ ମଧ୍ୟ ବିଜେଡିକୁ ରାଜ୍ୟସଭାରେ ଉପାଧ୍ୟକ୍ଷ ପ୍ୟାନେଲ ପଦବୀ ମିଳିଛି। ଆଉ ୨୩ବର୍ଷ ପରେ ମିଳିଥିବା ଏହି ପଦବୀକୁ ବିଜେଡି ମଧ୍ୟ ହାତଛଡ଼ା କରିନି।

ମାତ୍ର ସଂସଦୀୟ ରାଜନୀତିର ଅଭିଜ୍ଞତା ନଥିବା ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲ କରି ଖୋଲାଖୋଲି ଭାବେ ବିଜେଡି କ୍ଷମତାକେନ୍ଦ୍ର ଦଳରେ ନିଜର କ୍ଷମତାକୁ ଜାହିର କରାଇଛନ୍ତି। ଆଉ ବିଜେଡିରେ ବରିଷ୍ଠ ନେତାଙ୍କ ଅଭିଜ୍ଞତା ବିଶେଷ ଗୁରୁତ୍ୱ ବହନ କରେନି ବରଂ ‘ୟେସ୍ ମ୍ୟାନ୍‌’ ହେବା ଜରୁରୀ ବୋଲି ପରୋକ୍ଷରେ ସନ୍ଦେଶ ଦେବାକୁ ବି ପଛାଇ ନାହାନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ଭଳି ଗାରିମାମୟ ପଦର ଦାୟିତ୍ୱକୁ ସସ୍ମିତ କିଭଳି ସମ୍ଭାଳୁଛନ୍ତି ତାକୁ ନେଇ ସଂଶୟ ଲାଗି ରହିଛି।
ବିଜେଡି ମୁଖପାତ୍ର ଭାବେ ବିଭିନ୍ନ ପ୍ରସଙ୍ଗରେ ସସ୍ମିତଙ୍କ ମାଧ୍ୟମରେ ବିଜେପିକୁ ଉପରଦେଖାଣିଆ ସମାଲୋଚନା କରୁଥିବା ବିଜେଡିର ରଣନୀତି ଆଗାମୀ ଦିନରେ କ’ଣ ହେଉଛି ଓ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲ ହେବାପରେ ସସ୍ମିତ କିଭଳି ବିଜେପି ଓ ନରେନ୍ଦ୍ର ମୋଦି ସରକାରକୁ ସମାଲୋଚନା କରିବେ ତାହା ଉପରେ ସମସ୍ତଙ୍କ ନଜର?

Related story