ଦେଢ଼ବର୍ଷ ଚୁପ୍ ଥିଲା ବିଜେଡି, ଏବେ ଦେଉଛି ଜବାବ: ସିବିଆଇକୁ ବି ସନ୍ଦେହ କଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାର ଦ୍ୱିତୀୟଥର କ୍ଷମତାସୀନ ହେବାପରଠୁ ଦଳର କୌଣସି କେନ୍ଦ୍ରୀୟ ନେତାଙ୍କୁ କଡ଼ା ଜବାବ ଦେଉନଥିବା ବିଜେଡି ପ୍ରାୟ ଦୀର୍ଘ ଦେଢ଼ବର୍ଷ ପରେ ଏବେ ପ୍ରତିକ୍ରିୟାଶୀଳ ହୋଇଛି। ତା’ପୁଣି ବିଜେପିର ନୂଆ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିବା ପରେ। ସିବିଆଇକୁ ରାଜନୀତିକ ଉଦ୍ଦେଶ୍ୟରେ ବିଜେପି ଉପଯୋଗ କରୁଛି ବୋଲି ବିଜେଡି ସିଧାସଳଖ ଅଭିଯୋଗ କରିବାକୁ ମଧ୍ୟ ପଛାଇ ନାହିଁ। […]

bjd

Manoranjan Sial
  • Published: Saturday, 12 December 2020
  • , Updated: 12 December 2020, 07:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାର ଦ୍ୱିତୀୟଥର କ୍ଷମତାସୀନ ହେବାପରଠୁ ଦଳର କୌଣସି କେନ୍ଦ୍ରୀୟ ନେତାଙ୍କୁ କଡ଼ା ଜବାବ ଦେଉନଥିବା ବିଜେଡି ପ୍ରାୟ ଦୀର୍ଘ ଦେଢ଼ବର୍ଷ ପରେ ଏବେ ପ୍ରତିକ୍ରିୟାଶୀଳ ହୋଇଛି। ତା’ପୁଣି ବିଜେପିର ନୂଆ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିବା ପରେ। ସିବିଆଇକୁ ରାଜନୀତିକ ଉଦ୍ଦେଶ୍ୟରେ ବିଜେପି ଉପଯୋଗ କରୁଛି ବୋଲି ବିଜେଡି ସିଧାସଳଖ ଅଭିଯୋଗ କରିବାକୁ ମଧ୍ୟ ପଛାଇ ନାହିଁ।

ନବନିଯୁକ୍ତ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକ ସରକାରକୁ କଡ଼ା ସମାଲୋଚନା କରିବା ସହ ରାଜ୍ୟବାସୀ ନବୀନ ବାବୁଙ୍କୁ ଭୋଟ୍ ଦେଇ କ୍ଷମତାକୁ ଆଣିଥିଲେ ମଧ୍ୟ ଏଠି ଶାସନ ସରକାରୀ ବାବୁମାନେ କରୁଛନ୍ତି। ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ କୋଇଲା, ଜଙ୍ଗଲ, ଚିଟଫଣ୍ଡ, ଜମି ଭଳି ଅନେକ ଦୁର୍ନୀତିରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ଆୟୁଷ୍ମାନ ଯୋଜନାକୁ ଲାଗୁ ନକରିବା, ପାନୀୟ ଜଳ ଯୋଗାଣ ଓ ପକ୍କାଘର ବଣ୍ଟନ, ପରୀ ହତ୍ୟା ଆଦି ପ୍ରସଙ୍ଗରେ ସରକାରଙ୍କ ବିଫଳତାକୁ ନେଇ ଡି. ପୁରନ୍ଦେଶ୍ୱରୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ବିଜେଡି ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ଅତୀତରେ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାରେ ଜୟରାମ ପାଙ୍ଗୀଙ୍କ ଭୂମିକାକୁ ନେଇ ଅନେକ ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଥିଲା। କିନ୍ତୁ ପାଙ୍ଗୀ ବିଜେପିରେ ଯୋଗଦେବା ପରେ ତାଙ୍କୁ ଦଳ ସ୍ୱାଗତ କରି ଗତ ନିର୍ବାଚନରେ ଟିକେଟ୍ ମଧ୍ୟ ଦେଇଥିଲା। ଲାଗୁଛି ରାଜ୍ୟ ବିଜେପି ଏଭଳି ଘଟଣା ସମ୍ପର୍କରେ ପୁରନ୍ଦେଶ୍ୱରୀଙ୍କୁ ଠିକ୍ ଭାବେ ଅବଗତ କରିନି। ସର୍ବାଧିକ ଗୃହା ନିର୍ମାଣ କରିଥିବା ଯୋଗୁ ଓଡ଼ିଶାକୁ ୫ଟି ପୁରସ୍କାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ବୋଧହୁଏ ପୁରନ୍ଦେଶ୍ୱରୀ ଏଥିପ୍ରତି ସଚେତନ ନାହାନ୍ତି।

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପି ପରାଜିତ ହେବାପରେ ଦଳର କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି ପାଇଁ ପୁରନ୍ଦେଶ୍ୱରୀ ଆସିଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି । ବିଶେଷକରି ବାଲେଶ୍ୱରର ପରାଜୟ ଦଳର ମନୋବଳକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି ଓ ଏବେ ତାଙ୍କ ଉପରେ ଗୁରୁ ଦାୟିତ୍ୱ ରହିଛି। ତାଙ୍କ ନିଜ ଦଳର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଗତକାଲି ଜଣେ ମହିଳା ସମାଜସେବୀଙ୍କୁ ସର୍ବସାଧାରଣ କାର୍ଯ୍ୟକ୍ରମରେ ଦୁର୍ବ୍ୟବହାର କରିଛନ୍ତି ଓ ଏନେଇ ପୁଲିସରେ ଅଭିଯୋଗ ହୋଇଥିବା ସମ୍ପର୍କରେ ବୋଧହୁଏ ପୁରନ୍ଦେଶ୍ୱରୀ ଅବଗତ ନାହାନ୍ତି। ଦଳର କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେ ତାଙ୍କର ସମସ୍ତ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।

ବିଜେପି ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ ଚାଷୀଙ୍କ ସମସ୍ୟା ବିଶେଷକରି ଏମଏସପି ପ୍ରସଙ୍ଗରେ କହିବା ଉଚିତ୍। ଓଡ଼ିଶା ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ତାରିଖରେ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା। ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୪୭୦ଟଙ୍କାରୁ ୨୯୩୦ଟଙ୍କା ବୃଦ୍ଧି ନିମନ୍ତେ ଏହି ସଂକଳ୍ପରେ ଦାବି ହୋଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।

ତେବେ ବିଜେପି କେନ୍ଦ୍ରୀୟ ନେତାଙ୍କ ପ୍ରସଙ୍ଗରେ ବେଶ୍ ମାପିଚୁପି ମନ୍ତବ୍ୟ ଦେଉଥିବା ବିଜେଡି ଆଜି ପୁରନ୍ଦେଶ୍ୱରୀଙ୍କୁ ଯେଉଁଭଳି ଢଙ୍ଗରେ ସମାଲୋଚନା କରିଛି ତାହା ଦୁଇ ଦଳ ମଧ୍ୟରେ ଥିବା ଗୁପ୍ତ ବୁଝାମଣା ସମୀକରଣକୁ ପ୍ରଭାବିତ କରିବାର ଆଶଙ୍କା ଥିବା ଚର୍ଚ୍ଚା ହେଉଛି ।

Related story