ରାଜ୍ୟସଭା ଅଙ୍କ: ‘ବିଧାନ ପରିଷଦ’ରେ ଅଟକିଛି ବିଜେଡି, ହାତେଇବ ୪ ସିଟ୍‌

ଭୁବନେଶ୍ୱର(ପ୍ରକାଶ ସେଠୀ): ଓଡ଼ିଶାରେ ଖାଲି ପଡ଼ିଥିବା ୪ଟି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ତାରିଖ ଘୋଷଣା ସହ ରାଜ୍ୟରେ ରାଜନୀତିକ ଅଙ୍କକଷା ଆରମ୍ଭ ହୋଇଯାଇଛି। ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ ବିଜେପି ଗତଥର ଭଳି ଏଥର ଓଡ଼ିଶାରୁ ଗୋଟିଏ ସିଟ୍ ନେବାକୁ କସରତ ଜୋରଦାର କରିଥିବାବେଳେ ବିଜେଡି କିନ୍ତୁ ‘ବିଧାନ ପରିଷଦ ବିଲ୍‌’ ସଂସଦରେ ଗୃହୀତ କରାଇବା ଜିଦରେ ଅଟଳ ରହିଥିବା ଜଣାପଡ଼ିଛି। ବିଜେପି ନେତୃତ୍ୱଙ୍କୁ ଇତିମଧ୍ୟରେ ନିଜର ଆଭିମୁଖ୍ୟ ଜଣାଇ ସାରିଥିବା ବିଜେଡି […]

rajyasaba

Manoranjan Sial
  • Published: Tuesday, 25 February 2020
  • , Updated: 25 February 2020, 03:22 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ଓଡ଼ିଶାରେ ଖାଲି ପଡ଼ିଥିବା ୪ଟି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ତାରିଖ ଘୋଷଣା ସହ ରାଜ୍ୟରେ ରାଜନୀତିକ ଅଙ୍କକଷା ଆରମ୍ଭ ହୋଇଯାଇଛି। ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ ବିଜେପି ଗତଥର ଭଳି ଏଥର ଓଡ଼ିଶାରୁ ଗୋଟିଏ ସିଟ୍ ନେବାକୁ କସରତ ଜୋରଦାର କରିଥିବାବେଳେ ବିଜେଡି କିନ୍ତୁ ‘ବିଧାନ ପରିଷଦ ବିଲ୍‌’ ସଂସଦରେ ଗୃହୀତ କରାଇବା ଜିଦରେ ଅଟଳ ରହିଥିବା ଜଣାପଡ଼ିଛି। ବିଜେପି ନେତୃତ୍ୱଙ୍କୁ ଇତିମଧ୍ୟରେ ନିଜର ଆଭିମୁଖ୍ୟ ଜଣାଇ ସାରିଥିବା ବିଜେଡି ଅଧିକ ମୂଲଚାଲ୍ ନକରି ଖାଲି ପଡ଼ିଥିବା ସମସ୍ତ ୪ଟି ସିଟକୁ ହାତେଇବା ପାଇଁ ରଣନୀତିକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗିଥିବା ସୂଚନା ମିଳିଛି। ୩ଟି ଆସନକୁ ସହଜରେ ଜିତିବା ପାଇଁ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ଥିବାବେଳେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହଯୋଗରେ ୪ର୍ଥ ଆସନକୁ ହାତେଇବାକୁ ବିଜେଡି ଉଦ୍ୟମ ଆରମ୍ଭ କରିଛି। ବିଜେଡି ଏଥର ରାଜ୍ୟସଭା ପାଇଁ ଓବିସି, ମହିଳା ଓ ଆଦିବାସୀ ବର୍ଗରୁ ଜଣେ ଲେଖାଏଁ ପ୍ରାର୍ଥୀ ଦେଇ ନିଜର ପ୍ରାଥମିକତା ଓ ପ୍ରତିବଦ୍ଧତାକୁ ଦର୍ଶାଇବାକୁ ମଧ୍ୟ ଚାହୁଁଛିି।

ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୨ତାରିଖରେ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ ଓ ରଞ୍ଜିବ ବିଶ୍ୱାଳ କାର୍ଯ୍ୟକାଳ ଶେଷ ହେଉଛି। ପୂର୍ବରୁ ଇସ୍ତଫା ଦେଇଥିବା ସାଂସଦ ଅନୁଭବ ମହାନ୍ତିଙ୍କର କାର୍ଯ୍ୟକାଳ ମଧ୍ୟ ଏମାନଙ୍କ ସହ ସରୁଛି। ତେଣୁ ଏହି ୪ଟି ଯାକ ଆସନରେ ମାର୍ଚ୍ଚ ୨୬ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ୧୩ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିବାକୁ ପଡ଼ିବ। ମାର୍ଚ୍ଚ ୬ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ତେବେ ବିଧାନସଭାରେ ସର୍ବାଧିକ ନିଜର ୧୧୩ ବିଧାୟକଙ୍କ ସମର୍ଥନରେ ବିଜେଡି ସମସ୍ତ ୪ଟି ଆସନକୁ ହାତେଇବାକୁ ଲକ୍ଷ୍ୟ ରଖିଥିବାବେଳେ ୨୩ ବିଧାୟକ ଥିବା ବିଜେପି ମଧ୍ୟ ନିଜର ପ୍ରଭାବ ମାଧ୍ୟମରେ ଗୋଟିଏ ସିଟକୁ ହାତେଇ ବୋଲି ଦମ୍ଭୋକ୍ତି ବାଢ଼ୁଛି। କଂଗ୍ରେସର ୯ ବିଧାୟକ ଥିବାବେଳେ ଦଳ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିବାର ଯଥେଷ୍ଟ ସମ୍ଭାବନା ରହିଛି। ବାକି ଦୁଇ ବିଧାୟକ ମକରନ୍ଦ ମୁଦୁଲି ଓ ଲକ୍ଷ୍ମଣ ମୁଣ୍ଡାଙ୍କ ଆଭିମୁଖ୍ୟ ଶାସକ ବିଜେଡି ପ୍ରତି ରହିଥିବା ଜଣାପଡ଼ିଛି। ବିଧାୟକ ଶ୍ରୀ ମୁଦୁଲି ପୂର୍ବରୁ ଶାସକ ଦଳ ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି।

ବିଜେଡି ଓ ବିଜେପି ସମୀକରଣ

ରାଜ୍ୟସଭାର ଗୋଟିଏ ବି ଆସନ ଜିଣିବା ପାଇଁ ବିଜେପି ପାଖରେ ସଂଖ୍ୟା ନାହିଁ । ତଥାପି ନିଜର କେନ୍ଦ୍ରୀୟ ନେତୃତ୍ୱଙ୍କ ମାଧ୍ୟମରେ ଦଳ ଓଡ଼ିଶାରେ ଗୋଟିଏ ଆସନ ଜିତିବାକୁ ନେଇ ଆଶାବାଦୀ ଅଛି । ତେବେ ‘ବିଧାନ ପରିଷଦ ବିଲ୍‌’କୁ ସଂସଦରେ ଗୃହୀତ କରାଇବା ଜିଦରେ ଅଟଳ ଥିବା ବିଜେଡି ଏଥର ଚତୁର୍ଥ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କ ବ୍ୟତୀତ ଅନ୍ୟ କାହାରିକୁ ସମର୍ଥନ କରିବା ସ୍ଥିତିରେ ନଥିବା ବିଜେପିକୁ ରୋକଠୋକ୍ ଜଣାଇ ଦେଇଥିବା ସୂଚନା ମିଳିଛି । ଯଦି ବିଜେପି ଶ୍ରୀ ରାୟଙ୍କୁ ପ୍ରାର୍ଥୀ କରେ,ତା’ହେଲେ ବିଜେଡି ଆବଶ୍ୟକ ସହଯୋଗ ଯୋଗାଇ ଦେବ ବୋଲି ପ୍ରସ୍ତାବ ଦେଇଛି। ମାତ୍ର ଶ୍ରୀ ରାୟଙ୍କୁ ରାଜ୍ୟ ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ବିରୋଧ କରୁଥିବାରୁ ତାଙ୍କ ନାଁ ଉପରେ ସହମତି ହେବା ସମ୍ଭାବନା କ୍ଷୀଣ। ତେଣୁ ସମସ୍ତ ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟା ନେଇ କସରତ ଆରମ୍ଭ କରିବା ସହ ଗଣମାଧ୍ୟମରେ ସମସ୍ତ ୪ଟି ଆସନରେ ଦଳ ଜିତିବ ବୋଲି ଖୋଲାଖୋଲି ଦମ୍ଭୋକ୍ତି ବାଢ଼ିଛି।

ରାଜ୍ୟସଭା ଫର୍ମୂଲା

ଓଡ଼ିଶାରେ ୪ଟି ଆସନ ପାଇଁ ନିର୍ବାଚନ ହେବ। ରାଜ୍ୟସଭା ନିର୍ବାଚନ ସୂତ୍ର ଅନୁସାରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଜିତିବା ପାଇଁ ସର୍ବନିମ୍ନ ୨୯.୪୧(୩୦ଟି) ଭୋଟ୍ ଆବଶ୍ୟକ। ବିଜେଡି ପାଖରେ ୧୧୩ ବିଧାୟକ ଥିବାରୁ ଦଳ ପାଖରେ ୪ର୍ଥ ପ୍ରାର୍ଥୀ ପାଇଁ ୨୩ ବିଧାୟକଙ୍କ ସମର୍ଥନ ରହିବ। ଯଦି ଦଳ ବିଧାୟକ ଶ୍ରୀ ମୁଦୁଲି ଓ ଶ୍ରୀ ମୁଣ୍ଡାଙ୍କ ସମର୍ଥନ ଯୋଗାଡ଼ କରେ ଏବଂ କଂଗ୍ରେସ ଭୋଟଦାନରୁ ବିରତ ରହେ ତା’ହେଲେ ଉଭୟ ପ୍ରଥମ ଓ ଦ୍ୱିତୀୟ ପସନ୍ଦର ଭୋଟ ଆଧାରରେ ବିଜେଡି ନିଜର ୪ର୍ଥ ପ୍ରାର୍ଥୀଙ୍କୁ ସହଜରେ ଜିତାଇବାରେ ସକ୍ଷମ ହେବ। ଯଦିଓ ବିଜେପି ପାଖରେ ୨୩ ବିଧାୟକ ଅଛନ୍ତି ତଥାପି ତାହା ମୂଲ୍ୟହୀନ ହୋଇପଡ଼ିବ।

Related story