ବିଜେଡି ଇସ୍ତାହାର: ବାଟ ହୁଡ଼ିଲା ବିକାଶର ରୋଡମ୍ୟାପ୍ , ପୁଣି ‘ନିଯୁକ୍ତି’ର ଲମ୍ବା ପ୍ରତିଶ୍ରୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପରେ ବିଜେଡି ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। ବିଜେଡିର ଏହି ୧୧ ପୃଷ୍ଠାର ନିର୍ବାଚନୀ ଇସ୍ତାହାରରେ ସମ୍ପୂର୍ଣ୍ଣ ଗୋଟିଏ ପୃଷ୍ଠାରେ ସିଧାସଳଖ ବିଜେପିକୁ ‘ପ୍ରତିଶ୍ରୁତି ଖିଲାପୀ’ ଭାବେ ଅଭିହିତ କରାଯାଇଥିବାବେଳେ ଅନ୍ୟ ଗୋଟିଏ ପୃଷ୍ଠାରେ ବିଜେଡି ନିଜର ପୁରୁଣା କଥା ‘କେନ୍ଦ୍ର ସରକାରଙ୍କ ଅବହେଳା’ କଥା ଉଲ୍ଲେଖ କରିଛି। ତେବେ ଏସବୁ ଭିତରେ ବିଜେଡି ନିଜର ଇସ୍ତାହାରରେ ରାଜ୍ୟର ବିକାଶ ପ୍ରକ୍ରିୟାକୁ […]

bjd-releases-manifesto-with-a-plethora-of-promises

Manoranjan Sial
  • Published: Tuesday, 09 April 2019
  • , Updated: 09 April 2019, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପରେ ବିଜେଡି ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। ବିଜେଡିର ଏହି ୧୧ ପୃଷ୍ଠାର ନିର୍ବାଚନୀ ଇସ୍ତାହାରରେ ସମ୍ପୂର୍ଣ୍ଣ ଗୋଟିଏ ପୃଷ୍ଠାରେ ସିଧାସଳଖ ବିଜେପିକୁ ‘ପ୍ରତିଶ୍ରୁତି ଖିଲାପୀ’ ଭାବେ ଅଭିହିତ କରାଯାଇଥିବାବେଳେ ଅନ୍ୟ ଗୋଟିଏ ପୃଷ୍ଠାରେ ବିଜେଡି ନିଜର ପୁରୁଣା କଥା ‘କେନ୍ଦ୍ର ସରକାରଙ୍କ ଅବହେଳା’ କଥା ଉଲ୍ଲେଖ କରିଛି। ତେବେ ଏସବୁ ଭିତରେ ବିଜେଡି ନିଜର ଇସ୍ତାହାରରେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କୌଣସି ସ୍ପଷ୍ଟ ଭିଜନ୍ ରଖିପାରିନି।

ଯଦିଓ ଆଞ୍ଚଳିକ ବୈଶମ୍ୟକୁ ଦୂର କରିବା ପାଇଁ ପୁରୁଣା ଶୈଳୀରେ ‘ଜୁହାର’ (ଜଏଣ୍ଟ ଅପଲିଫ୍ଟମେଣ୍ଟ ଅଫ ହାବିଟେସନ୍ ଆଣ୍ଡ ରିଜନ) ନାଁରେ ଏକ କାର୍ଯ୍ୟକ୍ରମ ନିମନ୍ତେ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଛି। ବିଜେଡି ପାଖରେ ସ୍ଥାୟୀ ଭିତ୍ତିଭୂମିର ବିକାଶ ପାଇଁ କୌଣସି ଭିଜନ ନଥିବାରୁ ‘ବିକାଶର ରୋଡମ୍ୟାପ’ ବାଟ ହୁଡ଼ିଥିବା ଚଳିତ ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ହୋଇଛି। ବିଜେଡି ନିଜର ଏହି ନିର୍ବାଚନୀ ଇସ୍ତାହାରରେ ମହିଳା, ଚାଷୀ, ଯୁବବର୍ଗ ଓ ଜୁହାର କାର୍ଯ୍ୟକ୍ରମକୁ ଅଧିକ ପ୍ରାଥମିକତା ଦେଇଛି। କିନ୍ତୁ ଏହା ‘ନୂଆ ବୋତଲରେ ପୁରୁଣା ମଦ’ ପୁରାଇବା ଭଳି ହୋଇଛି।

ବିଜେଡିର ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ମିଶନ ଶକ୍ତି ପାଣ୍ଠି ବୃଦ୍ଧି, ଏସଏଚଜି ମହିଳା ସଦସ୍ୟଙ୍କୁ ଦୁର୍ଘଟଣା ବୀମା, ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ବଜାର, କର୍ପସ ଫଣ୍ଡ, ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, ରେଜିଷ୍ଟ୍ରେସନ ବେଳେ ଷ୍ଟାମ୍ପ ଡ୍ୟୁଟିରେ ରିହାତି ସହ ଝିଅମାନଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ଗରିବ ଝିଅଙ୍କୁ ବିବାହ ପାଇଁ ୨୫ହଜାର ଟଙ୍କା, ପ୍ରତ୍ୟେକ ମହିଳା ଓ ସ୍ୱାମୀ ପରିତ୍ୟକ୍ତାଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।

ସେହିପରି ଚାଷୀଙ୍କ ପାଇଁ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ‘କାଳିଆ’ ଯୋଜନାର କାର୍ଯ୍ୟକାରିତା ଏବଂ ଧାନ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଏମଏସପି ଦେବାକୁ କେନ୍ଦ୍ର ପାଖରେ ଦାବି ଜୋରଦାର କରିବା ଓ ପ୍ରତ୍ୟେକ ପଞ୍ଚାୟତରେ ଗୋଦାମଗୃହ ନିର୍ମାଣ(୨୦୧୪ ନିର୍ବାଚନୀ ଇସ୍ତାହାରରେ ବି ଥିଲା)ର ପ୍ରତିଶ୍ରୁତି ଦିଆଯାଇଛି।

ସେହିପରି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଇସ୍ତାହାରରେ ନିଯୁକ୍ତି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକଙ୍କୁ ୭୫ ପ୍ରତିଶତ ନିଯୁକ୍ତି, ୧୦ ଯୋଗ୍ୟ ଯୁବକଯୁବତୀଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଷ୍ଟାର୍ଟଅପ୍ ପାଣ୍ଠି, ୬ଟି କ୍ଷେତ୍ରରେ ୩୦ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି, କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ୧ଜିବି ଇଣ୍ଟରନେଟ୍ , ରାଜ୍ୟସ୍ତରୀୟ ସମସ୍ତ ନିଯୁକ୍ତି ପାଇଁ ଲାଗୁଥିବା ଫି’କୁ ଛାଡ଼ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।

ଯଦିଓ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ବିଜେଡି ୨୦୦୪ ମସିହାରୁ ଦେଇ ଆସୁଛି, ତାହା ଏପର୍ଯ୍ୟନ୍ତ ବାସ୍ତବ ରୂପ ନେଇପାରିନି। ନିଯୁକ୍ତି କ୍ଷେତ୍ରରେ ବିଜେଡି ସରକାରଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି।

ସେହିପରି ‘ଜୁହାର’ କାର୍ଯ୍ୟକ୍ରମ ମାଧ୍ୟମରେ ୮ଟି ଜିଲ୍ଲା ଓ ୩ଟି ସବଡିଭିଜନରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇ ସେଥିରେ ବିଶେଷଜ୍ଞମାନଙ୍କୁ ସାମିଲ କରି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି କୁହାଯାଇଛି। ନବୀନ ଓଡ଼ିଶା,ସଶକ୍ତ ଓଡ଼ିଶା ଓ ସମସ୍ତଙ୍କ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯିବ। ପାରମ୍ପରିକ ବୃତ୍ତି ଯଥା ପୂଜାରୀ, ବାରିକ ଓ ରଜକଙ୍କୁ ପ୍ରୋତ୍ସାହିତ କରିବା ୱେଲଫେୟାର ବୋର୍ଡ ଗଠନ କରାଯିବ।

ବିଜେଡି ନିଜର ଇସ୍ତାହାରରେ ଗତ ୫ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଛି। ଯେଉଁଥିରେ ଜଳସେଚନ କ୍ଷେତ୍ରରେ ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବା ପ୍ରତିଶ୍ରୁତି ପାଳନ ହୋଇପାରିନି। ଆହୁରି ୧ଲକ୍ଷ ହେକ୍ଟର ଜମିକୁ ଜଳସେଚନ ମେ’ମାସ ସୁଦ୍ଧା ସରିବ ବୋଲି କହିଛି। ଯଦିଓ ପୂର୍ବରୁ ଏହି ଅବଧି ମାର୍ଚ୍ଚ ଓ ପରେ ୨୦୧୯ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

ସେହିପରି ସବୁ ବ୍ଲକରେ ମଡେଲ୍ ସ୍କୁଲ ନିର୍ମାଣ କରିବାକୁ ୨୦୧୪ ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିବା ବିଜେଡି ଏପର୍ଯ୍ୟନ୍ତ ମାତ୍ର ୧୯୦ଟି ବ୍ଲକରେ ତାହା ସମ୍ପୂର୍ଣ୍ଣ କରିପାରିଛି।

ନିମ୍ନସ୍ତରର ରାଜନୀତି

ଏସବୁ ବ୍ୟତୀତ ବିଜେଡି ବୋଧହୁଏ ଦେଶର ପ୍ରଥମ ରାଜନୀତିକ ଦଳ ଭାବେ ନିଜର ନିର୍ବାଚନୀ ଇସ୍ତାହାରରେ ଅନ୍ୟ ଏକ ଦଳର ପ୍ରତିଶ୍ରୁତି ପାଳନ ହୋଇନଥିବା କଥାକୁ ସ୍ଥାନିତ କରିଛି। ଯାହାକି ଭାରତୀୟ ରାଜନୀତିରେ କେଉଁଠାରେ ଦେଖିବାକୁ ମିଳେନି। ପ୍ରତ୍ୟେକ ଦଳ ନିର୍ବାଚନ ସମୟରେ ବିରୋଧୀ ଦଳକୁ ଶାଣିତ ସମାଲୋଚନା କରନ୍ତି କିନ୍ତୁ ନିଜର ନିର୍ବାଚନୀ ଇସ୍ତାହାରରେ ଲୋକଙ୍କୁ ନିଜେ ପ୍ରତିଶ୍ରୁତି ଦେବା ବଦଳରେ ଅନ୍ୟ ଏକ ନିର୍ଦ୍ଦିଷ୍ଟ ଦଳ କ’ଣ ପ୍ରତିଶ୍ରୁତି ଦେଇଥିଲା ଓ କେତେ ପୂରଣ କରିଛି ତାକୁ ସ୍ଥାନିତ କରିବା ଅତ୍ୟନ୍ତ ନିମ୍ନସ୍ତରର ରାଜନୀତିର ସଙ୍କେତ ଦେଇଥିବା ସାଧାରଣରେ ଚର୍ଚ୍ଚା।

Related story