ସରିଲା ବିଧାନସଭା, ଉଭେଇଗଲା କେନ୍ଦ୍ରବିରୋଧୀ ବିଜେଡି ସ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାର୍ଯ୍ୟ ତାରିଖର ୪ଦିନ ପୂର୍ବରୁ ଆଜି ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି। ବିଧାନସଭା ଚାଲୁଥିବା ସମୟରେ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରି ଗୃହରେ ହୋ-ହାଲ୍ଲା ଓ ରାଜରାସ୍ତାକୁ ଓହ୍ଲାଉଥିବା ବିଜେଡିର କେନ୍ଦ୍ର ବିରୋଧୀ ସ୍ୱର ଏଥର ଶୁଭିନଥିଲା। ପ୍ରଥମଥର ପାଇଁ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ଉଭା ହୋଇଥିଲେ ମଧ୍ୟ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ବିଜେପି ତୁଳନାରେ କଂଗ୍ରେସର ସ୍ୱର ଅଧିକ ଶାଣିତ ରହିଥିବା ଦେଖିବାକୁ ମିଳିଥିଲା। ବିଧାନସଭା […]

assable

Manoranjan Sial
  • Published: Saturday, 03 August 2019
  • , Updated: 03 August 2019, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାର୍ଯ୍ୟ ତାରିଖର ୪ଦିନ ପୂର୍ବରୁ ଆଜି ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି। ବିଧାନସଭା ଚାଲୁଥିବା ସମୟରେ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରି ଗୃହରେ ହୋ-ହାଲ୍ଲା ଓ ରାଜରାସ୍ତାକୁ ଓହ୍ଲାଉଥିବା ବିଜେଡିର କେନ୍ଦ୍ର ବିରୋଧୀ ସ୍ୱର ଏଥର ଶୁଭିନଥିଲା। ପ୍ରଥମଥର ପାଇଁ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ଉଭା ହୋଇଥିଲେ ମଧ୍ୟ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ବିଜେପି ତୁଳନାରେ କଂଗ୍ରେସର ସ୍ୱର ଅଧିକ ଶାଣିତ ରହିଥିବା ଦେଖିବାକୁ ମିଳିଥିଲା।

ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜୁନ୍ ୨୫ତାରିଖରୁ ଆରମ୍ଭ ହୋଇଥିବା ଦୁଇଟି ପର୍ଯ୍ୟାୟର ବଜେଟ୍ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟଦିବସ ସମ୍ପାଦିତ ହୋଇଛି । ଗୃହ ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହାକୁ ଆଗୁଆ ୪ଦିନ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଶେଷ ଦିନ ୩ଟି ବିଲ୍ ଗୃହୀତ ହୋଇଛି। ଏହି ଅବଧି ମଧ୍ୟରେ ଗୃହରେ ମାତ୍ର ୧୨ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା, ୩ଟି ଦୃଷ୍ଟି ଆକର୍ଷଣ ଆଲୋଚନା ଓ ୫ଟି ସରକାରୀ ବିଲ୍ ଆଗତ ଓ ଗୃହୀତ ହୋଇଛି। ୧୯ଟି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟକୁ ଗୃହୀତ କରାଇବା ପାଇ ବ୍ୟୟମଞ୍ଜୁରୀ ବିଲ୍, କଣ୍ଟିଜେନ୍ସି ଫଣ୍ଡରୁ ହୋଇଥିବା ଖର୍ଚ୍ଚ ନିମନ୍ତେ ଆଗତ ସ୍ୱତନ୍ତ୍ର ପ୍ରଥମ ଅତିରିକ୍ତ ବିବରଣୀ ତାଲିକା ବିଲ୍, ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍, ଏଏସବିଏମ୍ ବିଶ୍ୱବିଦ୍ୟାଳୟ ବିଲ ଆଦି ମୋଟ ୫ଟି ବିଲକୁ ଚଳିତ ଅଧିବେଶନରେ ଗୃହର ଅନୁମୋଦନ ମିଳିଛି।

ସମଗ୍ର ଅଧିବେଶନରେ ଶାସକ ଦଳକୁ ଘେରିବା ପରିବର୍ତ୍ତେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପରସ୍ପର ଛକାପଞ୍ଝାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ସେହିପରି ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପ୍ରଥମ ଦିନରୁ ଗୃହରେ ହଟ୍ଟଗୋଳ କରିଥିଲେ। ତେବେ କଂଗ୍ରେସ ପକ୍ଷରୁ ସ୍ୱର ଶାଣିତ ହେବା ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହରେ ଏନେଇ ବିବୃତ୍ତି ଦେବାକୁ ପଡ଼ିଥିଲା।

ଅନ୍ୟପକ୍ଷରେ ଗୃହରେ ଅଧିକାଂଶ ସମୟରେ ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା, ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ଓ ଗୃହରେ ହଟ୍ଟଗୋଳ ଆଦି କରୁଥିବା ବିଜେଡି ଏଥର ସମ୍ପୂର୍ଣ୍ଣ ଶାନ୍ତ ରହିଥିଲା। ଯଦିଓ ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ଜାରି ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ସାମାନ୍ୟ ବୃଦ୍ଧି, ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ନମିଳିବା, କେନ୍ଦ୍ରୀୟ ଯୋଜନାର ଅଂଶଧନ ହ୍ରାସ ଓ କମ୍ ଅନୁଦାନ ମିଳିବା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କ ନାସ୍ତିବାଣୀ, ଧାନର ଏମଏସପି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ବି ଗୃହକମିଟିକୁ ଭେଟିବାକୁ ସମୟ ନଦେବା ଆଦି ପ୍ରସଙ୍ଗରେ ବିଜେଡି ନିଜର ସ୍ୱର ଶାଣିତ କରିପାରିନଥିଲା। ଅନ୍ୟପକ୍ଷେ, ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସକୁ ଭଲଭାବେ ମ୍ୟାନେଜ୍ କରି ଶାସକ ବିଜେଡି ଗୃହରେ ଅଧିକାଂଶ ସମୟରେ ସ୍ୱାଭାବିକ ସ୍ଥିତି ବଜାୟ ରଖିପାରୁଥିଲା।

ତେବେ ଚଳିତ ଅଧିବେଶନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ମାତ୍ରାଧିକ୍ ରୁଲିଂ ହିଁ ରାଜ୍ୟ ସରକାରଙ୍କ ପାଇଁ ଅଧିକ ଚିନ୍ତାର କାରଣ ପାଲଟିଛି। ଗୃହର ସଦସ୍ୟମାନେ ଉତଥାପନ କରୁଥିବା ଅଧିକାଂଶ ପ୍ରସଙ୍ଗକୁ ବାଚସ୍ପତି ଶ୍ରୀ ପାତ୍ର ସଙ୍ଗେସଙ୍ଗେ ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ତା’ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଥିଲା।

Related story