ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳ ସମାବେଶ ପୂର୍ବରୁ ସୋମବାର ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନକୁ ପୋଲିସ ଅଟକ ରଖିଛି। ତାଙ୍କ ସହିତ ଆଉ ୩ ଜଣଙ୍କୁ ପୋଲିସ୍ ଅଟକ ରଖିଛି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ବିଜେଡି ଛାତ୍ର ସମାବେଶ ବେଳେ ଛାତ୍ର କଂଗ୍ରେସ ପକ୍ଷରୁ ବିଶୃଙ୍ଖଳା ଘଟାଯିବା ନେଇ ଗୁଇନ୍ଦା ସୂଚନା ଆଧାରରେ ପୋଲିସ୍ ଏଭଳି ପଦକ୍ଷେପ ନେଇଛି ବୋଲି ଜଣାପଡ଼ିଛି।
ଦଳର ସଂଗଠନକୁ ମଜଭୁତ କରିବା ଓ ଛାତ୍ରଛାତ୍ରୀଙ୍କୁ ଏକଜୁଟ୍ କରିବା ଲକ୍ଷ୍ୟରେ ସଂଗଠନ ପକ୍ଷରୁ ଏହି ସମାବେଶର ଆୟୋଜନ କରାଯାଉଛି। ରାଜ୍ୟ ସରକାରଙ୍କ ସଫଳତା, ଖାସ୍ କରି ଛାତ୍ରାଛାତ୍ରୀଙ୍କ ଲାଗି ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବିଜୁ ଛାତ୍ର ଜନତା ଦଳ।