ବଦଳିବେ ବିଜେଡି ମହିଳା, ଯୁବ ଓ ଛାତ୍ର ମୁଖିଆ: ନୂଆ ମୁହଁ ଖୋଜା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନିଜର ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେବାପରେ ଦଳର ୩ ଛାମୁଆ ସଂଗଠନର ମୁଖିଆଙ୍କୁ ପରିବର୍ତ୍ତନ କରିବା ପ୍ରକ୍ରିୟା ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ବିଜେଡି ମହିଳା, ଯୁବ ଓ ଛାତ୍ର ମୁଖିଆ ପଦରେ କାହାକୁ ଅବସ୍ଥାପିତ କରାଯିବ ସେଥିନେଇ ଦଳର ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରେ ବିଚାରବିମର୍ଶ ଆରମ୍ଭ ହୋଇଛି। ବିଜେଡି ନେତୃତ୍ୱଙ୍କ ପରାମର୍ଶରେ ଦଳର କିଛି ପ୍ରଭାବଶାଳୀ ନେତାମାନେ ଏବେ ଦଳର […]

bjd-1..

Manoranjan Sial
  • Published: Saturday, 24 August 2019
  • , Updated: 24 August 2019, 09:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନିଜର ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେବାପରେ ଦଳର ୩ ଛାମୁଆ ସଂଗଠନର ମୁଖିଆଙ୍କୁ ପରିବର୍ତ୍ତନ କରିବା ପ୍ରକ୍ରିୟା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ ବିଜେଡି ମହିଳା, ଯୁବ ଓ ଛାତ୍ର ମୁଖିଆ ପଦରେ କାହାକୁ ଅବସ୍ଥାପିତ କରାଯିବ ସେଥିନେଇ ଦଳର ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରେ ବିଚାରବିମର୍ଶ ଆରମ୍ଭ ହୋଇଛି। ବିଜେଡି ନେତୃତ୍ୱଙ୍କ ପରାମର୍ଶରେ ଦଳର କିଛି ପ୍ରଭାବଶାଳୀ ନେତାମାନେ ଏବେ ଦଳର ଯୁବ ଓ ଛାତ୍ର ସଂଗଠନରେ ନୂଆ ଚେହେରାକୁ ଅବସ୍ଥାପିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦଳର ଯୁବ ସଭାପତି ଅମ୍ରେଶ ପତ୍ରୀଙ୍କୁ ରାଜ୍ୟ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି। ଯୁବ ସଭାପତି ଭାବେ ଶ୍ରୀ ପତ୍ରୀଙ୍କ କାର୍ଯ୍ୟ ଉତ୍ସାହଜନକ ନଥିବାରୁ ତାଙ୍କ ସ୍ଥାନରେ ଜଣେ ଦକ୍ଷ ଓ ପ୍ରଭାବଶାଳୀ ଯୁବନେତାଙ୍କୁ ଏହି ଦାୟିତ୍ୱ ଦେବା ପାଇଁ ଦଳୀୟ ନେତୃତ୍ୱ ଚାହୁଁଛନ୍ତି।

ପୂର୍ବରୁ ଯୁବ ବିଜେଡି ସଭାପତି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ନାଁ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଶ୍ରୀ ରାୟଙ୍କୁ ଭଦ୍ରକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଏବଂ ଚନ୍ଦ୍ରସାରଥୀଙ୍କୁ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିବା ପରେ ସେମାନେ ଯୁବ ସଭାପତି ପଦ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ସେହିପରି ଛାତ୍ର ସଭାପତି ରାଣାପ୍ରତାପ ପାତ୍ର ସାଧାରଣ ନିର୍ବାଚନ ସମୟରୁ ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି ।

ସେହିପରି ମହିଳା ବିଜେଡି ସଭାନେତ୍ରୀ ମିନତୀ ବେହେରା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରେ ଆସୀନ ହୋଇସାରିଥିବାରୁ ସେ ରାଜନୀତିକ କାର୍ଯ୍ୟକ୍ରମରେ ସାମିଲ ହେବାରେ ସମସ୍ୟା ରହିଛି। ମିନତୀଙ୍କ ସ୍ଥାନରେ ଦଳ ଅନ୍ୟ କୌଣସି ନେତ୍ରୀଙ୍କୁ ଥଇଥାନ କରିବ। ଦଳର ଆଗଧାଡ଼ିର ନେତ୍ରୀମାନଙ୍କୁ ନିକଟରେ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରାଯାଇଥିବାରୁ ସେମାନଙ୍କ ପରିବର୍ତ୍ତେ ଅନ୍ୟ କୌଣସି ନେତ୍ରୀଙ୍କୁ ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ପଦରେ ଥଇଥାନ କରାଯାଇପାରେ।

ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ଦଳ ଏହି ୩ ଛାମୁଆ ସଂଗଠନର ରାଜ୍ୟ କମିଟି ଉପରେ ଅଧିକ ନିର୍ଭରଶୀଳ ନରହି ଜୋନ୍ କମିଟିଗୁଡ଼ିକୁ ଶକ୍ତିଶାଳୀ କରିବା ନିମନ୍ତେ ଯୋଜନା କରୁଛି। ସମଗ୍ର ରାଜ୍ୟକୁ ୪ଟି ଜୋନରେ ବିଭକ୍ତ କରି ଜୋନ୍ କମିଟିଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯିବ। ଏହି ଜୋନ୍ କମିଟି ଉପରେ ଜିଲ୍ଲା ଓ ବ୍ଲକସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାର ଦାୟିତ୍ୱ ରହିବ। ତେଣୁ ଏସବୁ ଛାମୁଆ ସଂଗଠନର ରାଜ୍ୟ ମୁଖିଆଙ୍କ ପ୍ରଦର୍ଶନ ଯଦି କୌଣସି କାରଣରୁ ଉତ୍ସାହଜନକ ନରହେ, ତା’ର ପ୍ରଭାବ ଆଉ ସେହି ସଂଗଠନ ଉପରେ ପଡ଼ିବ ନାହିଁ ଓ ବାରମ୍ବାର ଏହାର ମୁଖିଆଙ୍କୁ ବଦଳାଇବାର ଆବଶ୍ୟକତା ଅନୁଭବ ହେବ ନାହିଁ ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି।

ତେବେ ବିଜେଡି ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ନିଜର ଏହି ୩ ଛାମୁଆ ସଂଗଠନର ମୁଖ୍ୟଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଥିବା ଜଣାପଡ଼ିଛି।

Related story