ଭୁବନେଶ୍ୱର(ପ୍ରକାଶ ସେଠୀ): ସାଧାରଣ ନିର୍ବାଚନ ଓ କରୋନା ମହାମାରୀ ଯୋଗୁ ପ୍ରାୟ ଦେଢ଼ବର୍ଷ ବିଳମ୍ବ ହୋଇଥିବା ବିଜେଡିର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଏବେବି ଶେଷ ହୋଇନି । ଦଳ ଆରମ୍ଭରୁ ସଭାପତି ଥିବା ନବୀନ ପଟ୍ଟନାୟକ କ୍ରମାଗତ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ଭାବେ ଫେବୃୟାରୀ ୨୬ରେ ମନୋନୀତ ହୋଇଥିବାବେଳେ ଦଳୀୟ ସମ୍ବିଧାନକୁ ଅଣଦେଖା କରି ପ୍ରଥମଥର ପାଇଁ ପଦାଧିକାରୀଙ୍କ ସଂଖ୍ୟା ସେଞ୍ଚୁରୀ ପାର୍ କରାଇବାକୁ ଯୋଜନା ହୋଇଛି। ତେବେ ଭାରତୀୟ ରାଜନୀତି ଇତିହାସରେ ବିଜେଡି ପ୍ରଥମ ଦଳ ଯିଏ ନିଜର ସରକାର ଥାଇ ମଧ୍ୟ ‘ଛାୟା କ୍ୟାବିନେଟ’ ଭଳି ଦଳୀୟ ନେତାମାନଙ୍କୁ ସମାନ୍ତରାଳ ଭାବେ ବିଭିନ୍ନ କ୍ଷେତ୍ର(ବିଭାଗ)ର ଦାୟିତ୍ୱ ନ୍ୟସ୍ତ କରିଛି। ବିଜେଡି ସୁପ୍ରିମୋଙ୍କ ଏଭଳି ଥଇଥାନକୁ ନେଇ ଦଳର ବରିଷ୍ଠ ନେତାମାନେ ଅସନ୍ତୁଷ୍ଟ ଥିଲେ ମଧ୍ୟ ନିଜ ସ୍ଥିତି ରକ୍ଷା ଭୟରେ ନିରବ ରହିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଜୁଲାଇ ପହିଲାରୁ ବିଜେଡି ନିଜର ସାଂଗଠନିକ ପଦବୀ ନିମନ୍ତେ ପଦାଧିକାରୀଙ୍କ ନାଁ ଘୋଷଣା କରିବାରେ ଲାଗିଛି। ନବୀନଙ୍କୁ ବାଦ୍ ଦେଲେ ୪ଟି ପର୍ଯ୍ୟାୟରେ ଦଳ ମୋଟ ୭୦ ଜଣ ନେତାଙ୍କୁ ସାଂଗଠନିକ ପଦବୀରେ ଥଇଥାନ କରିସାରିଲାଣି। ଏହି ତାଲିକା ଆହୁରି ଲମ୍ବିବ ବୋଲି ଜଳଜଳ ହୋଇ ଜଣାପଡ଼ୁଛି। ଦଳୀୟ ସମ୍ବିଧାନ ବାହାରେ ବିଜେଡି ପ୍ରଥମଥର ପାଇଁ ‘ସଂଗଠନ ସମ୍ପାଦକ’ ଓ ‘ସାଧାରଣ ସମ୍ପାଦକ (ମୁଖ୍ୟାଳୟ)’, ‘ବରିଷ୍ଠ ଉପସଭାପତି’, ‘ବରିଷ୍ଠ ସାଧାରଣ ସମ୍ପାଦକ’ ପଦବୀ ସୃଷ୍ଟି କରି ନେତାଙ୍କୁ ଥଇଥାନ କରିଥିବା ବିଜେଡି ‘ଯୁଗ୍ମ ସମ୍ପାଦକ’ ପଦବୀରେ କିଛି ନେତାଙ୍କୁ ଅବସ୍ଥାପିତ କରିବାକୁ ଯୋଜନା କରିଛି।
ବିଜେଡି ସଭାପତି ନବୀନ ପଟ୍ଟନାୟକ ୨୦୧୬ ମାର୍ଚ୍ଚ ୧୬ତାରିଖରେ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ଓ ପରବର୍ତ୍ତୀ ସାଂଗଠନିକ ନିର୍ବାଚନ ୨୦୧୯ ଫେବୃୟାରୀ ୨୮ତାରିଖ ସୁଦ୍ଧା ସରିବ ବୋଲି ଦର୍ଶାଇବା ସହ ୨୭୨ ଜଣ ରାଜ୍ୟ ପରିଷଦ ସଦସ୍ୟ, ୮୦ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୯ ଜଣ ଉପସଭାପତି, ୧୦ଜଣ ଲେଖାଏଁ ସାଧାରଣ ସମ୍ପାଦକ ଓ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିବା ଅବଗତ କରିଥିଲେ। ତେବେ ଏହାପରଠୁ ଦଳର ସମ୍ବିଧାନ ସଂଶୋଧନ ଅବା ପଦାଧିକାରୀ ସଂଖ୍ୟା ବୃଦ୍ଧିକୁ ନେଇ କୌଣସି ପ୍ରକାରର ସୂଚନା ନିର୍ବାଚନ କମିଶନଙ୍କୁ ଦିଆଯାଇନଥିବା ଦଳର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ନବୀନ ଜୁଲାଇ ୧ ତାରିଖରେ ୯ ଜଣ ଉପସଭାପତିଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ୯ଟି ବିଭାଗ (କ୍ଷେତ୍ର)ର ପ୍ରଭାରୀ ଦାୟିତ୍ୱ ଦେଇଥିଲେ। ଅବଶ୍ୟ ଦଳର ଛାମୁଆ ସଂଗଠନ ଯଥା- ଛାତ୍ର, ଯୁବ, ମହିଳା , କୃଷକ ସାମ୍ମୁଖ୍ୟ, ଆଇନଜୀବୀ ସାମ୍ମୁଖ୍ୟ, ଶ୍ରମିକ ସାମ୍ମୁଖ୍ୟ, ଆଇଟି ସେଲ୍ ଆଦି ବାହାରେ ଏହି ୯ଟି ବିଭାଗ ସୃଷ୍ଟି କରାଯାଇ ଦଳର ୯ଜଣ ‘ଉପସଭାପତି’ଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେମାନଙ୍କୁ ସହଯୋଗ କରିବାକୁ ପ୍ରଥମେ ୧୫ଜଣ ‘ବରିଷ୍ଠ ସାଧାରଣ ସମ୍ପାଦକ’ ଓ ପରେ ୩୬ଜଣ ‘ସାଧାରଣ ସମ୍ପାଦକ’ଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ଆଉ ଏହି ଦାୟିତ୍ୱ ଛାୟା କ୍ୟାବିନେଟ ମନ୍ତ୍ରୀ ଓ ଛାୟା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସଦୃଶ ହୋଇଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ସରକାରଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ବିରୋଧୀ ଦଳଗୁଡ଼ିକ ଏଭଳି ‘ଛାୟା କ୍ୟାବିନେଟ’ ଗଠନ କରି ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇଥାନ୍ତି। କିନ୍ତୁ ବିଜେଡି ଏଭଳି ପଦବୀ ସୃଷ୍ଟି କରି ପରୋକ୍ଷରେ ନିଜ ସରକାରର ମନ୍ତ୍ରୀମାନଙ୍କ ଉପରେ ଭରସା ନଥିବାର ସନ୍ଦେଶ ଦେଉଛି। ଆଉ ବିଜେଡି ଯେଉଁସବୁ ପଦବୀ ସୃଷ୍ଟି କରି ଦଳର ବରିଷ୍ଠ ନେତାମାନଙ୍କୁ ‘ପ୍ରଭାରୀ’ ଦାୟିତ୍ୱ ଦେଇଛି ସେସବୁ ବିଭାଗର ମନ୍ତ୍ରୀ ପଦ ବିଜେଡି ପାଖରେ ରହିଛି। ତା’ଛଡ଼ା ନିର୍ବାଚନ ପରେ କେତେକ ବିଭାଗରେ ‘ପରାମର୍ଶଦାତା’ ପଦବୀ ସୃଷ୍ଟି ଦଳୀୟ ନେତାମାନଙ୍କୁ ସରକାରୀ ବ୍ୟବସ୍ଥାରେ ଥଇଥାନ କରିଛି। ଏସବୁ ସତ୍ତ୍ୱେ ଏବେ ଆଦିବାସୀ ସଶକ୍ତିକରଣ, ସଂଖ୍ୟାଲଘୁ ବ୍ୟାପାର, କଳା, ସଂସ୍କୃତି ଓ ମାନବ ସମ୍ବଳ, ପରିବେଶ, ସାମାଜିକ କଲ୍ୟାଣ, ମହିଳା ସଶକ୍ତିକରଣ, ଆଂଚଳିକ ବିକାଶ, ସଶକ୍ତ ଓଡ଼ିଶା, ଅନୁସୂଚିତ ଜାତି ସଶକ୍ତିକରଣ, ମୋ’ ପରିବାର, ଯୁବ ବ୍ୟାପାର, ଛାତ୍ର ବ୍ୟାପାର ଭଳି ଦଳୀୟସ୍ତରରେ ବିଭାଗ ସୃଷ୍ଟି କରି ନେତାମାନଙ୍କୁ ଥଇଥାନ କରିଛି।
ସେହିପରି ଅନନ୍ତ ନାରାୟଣ ଜେନା ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଓ ରମେଶ ଚନ୍ଦ୍ର ମାଝୀ ନବରଙ୍ଗପୁର ଜିଲ୍ଲା ସଭାପତି ଥିବାବେଳେ ଉଭୟ ନେତାଙ୍କୁ ଯଥାକ୍ରମେ ଦଳର ସାଧାରଣ ସମ୍ପାଦକ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ବିଜେଡି ଇତିିହାସରେ ବି ପ୍ରଥମଥର ପାଇଁ ଜିଲ୍ଲା ସଭାପତିଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି। ଦଳରେ ଦୀର୍ଘଦିନ ଧରି ପଡ଼ି ରହିଥିବା ନେତାମାନଙ୍କୁ ଅଣଦେଖା କରି ନିର୍ବାଚନ ପୂର୍ବରୁ ବିଜେଡିକୁ ଡେଇଁଥିବା ୭ରୁ ୮ଜଣ ନେତାଙ୍କୁ ପଦାଧିକାରୀ କରାଯାଇଛି। ବିଜେଡିରେ ପରସ୍ପର ବିରୋଧୀ ଗୋଷ୍ଠୀଙ୍କୁ ଗୋଟିଏ ବିଭାଗରେ ଜୁନିୟର ଓ ସିନିୟର ଦାୟିତ୍ୱ ଦିଆଯିବା ବି ଉକ୍ତ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଜନୀତି ବିଶ୍ଲେଷକଙ୍କ ମତରେ, ବିଜେଡି ନିଜର ନେତାମାନଙ୍କୁ ଥଇଥାନ କରିବା ଚକ୍କରରେ ‘ଛାୟା କ୍ୟାବିନେଟ’ ଗଢ଼ି କେବଳ ସେମାନଙ୍କୁ ‘ଲଲିପପ୍’ ଦେବାକୁ ପ୍ରୟାସ କରିଛି। କାରଣ ନିଜର ମନ୍ତ୍ରୀମାନଙ୍କୁ ଦଳ ଭରସା କରୁନଥିବାରୁ ନବୀନ ସରକାରରେ ‘ଅଫିସରରାଜ୍’ ଚାପରେ ମନ୍ତ୍ରୀମାନେ ନିଜର ଦକ୍ଷତାର ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ତେଣୁ ଏବେ ଦଳୀୟ ପଦାଧିକାରୀମାନେ ବିଭାଗର ପ୍ରଭାରୀ ଦାୟିତ୍ୱ ନେଇ ଲୋକଙ୍କ ସେବା କେତେଦୂର କରିପାରିବେ ତାହା ଜଳଜଳ ହୋଇ ଜଣାପଡ଼ୁଛି?